ଝିରପାଣି ବ୍ରିଜ୍‌ ଉପରୁ କୋଏଲ ନଦୀକୁ ଖସିପଡ଼ି ନବମ ଶ୍ରେଣୀ ଛାତ୍ର ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ରାଉରକେଲା: ଇସ୍ପାତ୍‌ ନଗରୀ ରାଉରକେଲା ଉପକଣ୍ଠ ଝିରପାଣି ବ୍ରିଜ୍‌ ଉପରୁ ଗୁରୁବାର ଜଣେ ହାଇସ୍କୁଲ ଛାତ୍ର ନଦୀକୁ ଖସିପଡ଼ିବାରୁ ନିଖୋଜ ଥିବା ସୂଚନା ମିଳିଛି। ସୂଚନା ଅନୁସାରେ ରାଉରକେଲା ସହର ଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା କୋଏଲ ନଦୀ ଉପରେ ନିର୍ମିତ ଝିରପାଣି ବ୍ରିଜ ଉପରୁ ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲର ନବମ ଶ୍ରେଣୀ ଛାତ୍ର ଆଜି ଅପରାହ୍ଣରେ କୌଣସି ପ୍ରକାରରେ ଖସିପଡ଼ିଥିଲା। ସ୍ଥାନୀୟ ଲୋକେ ଏବାବଦରେ ଅଗ୍ନିଶମ ଓ ପୁଲିସ ବିଭାଗକୁ ସୂଚନା ଦେଇଥିଲେ।

ସୂଚନା ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାମ ଜାରି ରଖିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ନିଖୋଜ ଛାତ୍ରକୁ ଉଦ୍ଧାର କରାଯାଇପାରି ନାହିଁ। ଛାତ୍ରର ନାମ ନୀଲେସ ଦାସ ବୋଲି ଜଣାପଡ଼ିଛି ଓ ତା’ର ଘର କୋଏଲନଗର। ସାଙ୍ଗମାନଙ୍କ ସହ ବ୍ରିଜ ବାଡ଼ରେ ଚଢ଼ି ସେଲଫି ନେଉଥିଲା ବେଳେ କୋଏଲ ନଦୀକୁ ଖସି ନିଖୋଜ ହୋଇ ଯାଇଥିବା ଅନୁମାନ କରାଯାଉଛି। ଝିରପାଣି ପୁଲିସ, ଅଗ୍ନିଶମ କର୍ମଚାରୀ ପହଂଚି ଉଦ୍ଧାର କାମ ଜାରି ରଖିଛନ୍ତି। ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର