ବ୍ୟବସାୟୀଙ୍କ ଗାଡ଼ି ଡିକିରୁ ୯ଲକ୍ଷ ଲୁଟ୍‌ ଅଭିଯୋଗ

ବ୍ରହ୍ମପୁର: ଗୋସାଇଁ ନୂଆଗାଁ ଥାନା ଅନ୍ତର୍ଗତ ନୀଳକଣ୍ଠନଗର ହାଉସିଂବୋର୍ଡ଼ କଲୋନି ଛକରୁ ଜଣେ ବ୍ୟବସାୟୀଙ୍କ ସ୍କୁଟି ଡିକିରୁ ୯ ଲକ୍ଷ ୪୦ ହଜାର ଟଙ୍କା ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ବ୍ୟବସାୟୀ ସୀମାଞ୍ଚଳ ବେହେରା ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ପୁଲିସ ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌ ଯାଞ୍ଚ କରି ତଦନ୍ତ ଜାରି ରଖିଛନ୍ତି। ବଡ଼ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ନିବାସୀ ସୀମାଞ୍ଚଳ ହାଉସିଂବୋର୍ଡ଼ କଲୋନି ଛକରେ ଏକ ଆକ୍ବାରିୟମ୍‌ ଦୋକାନ କରିଛନ୍ତି। ସେଠାରେ ସେ ଆଉ ଏକ ଆକ୍ବାରିୟମ୍‌ ସୋ’ ରୁମ୍‌ ତିଆରି କରୁଛନ୍ତି। ଏଥିପାଇଁ ସେ ମିଲିଟାରି ଲାଇନ୍‌ ସ୍ଥିତ ଜଣେ ବ୍ୟବସାୟୀଙ୍କ ଠାରୁ ୯ ଲକ୍ଷ ୪୦ ହଜାର ଟଙ୍କା ଧାର ଆଣିଥିଲେ।

ଗତକାଲି ରାତି ପ୍ରାୟ ୯ଟା ବେଳେ ସୀମାଞ୍ଚଳ ତାଙ୍କର ସ୍କୁଟି ଡିକିରେ ଟଙ୍କା ରଖି ହାଉସିଂବୋର୍ଡ଼ ସ୍ଥିତ ଦୋକାନକୁ ଆସିଥିଲେ। ଦୋକାନ ବାହାରେ ଗାଡ଼ି ରଖି ସୋ’ରୁମ୍‌ରେ କାମ କରୁଥିବା ଶ୍ରମିକଙ୍କୁ ମଜୁରି ଟଙ୍କା ଦେବାକୁ ଯାଇଥିଲେ। କିଛି ସମୟ ପରେ ଆସି ଦେଖିବା ବେଳେ ତାଙ୍କର ଡିକି ଖୋଲା ରହିଥିଲା। ଯାଞ୍ଚ ପରେ ଡିକିରୁ ଟଙ୍କା ଗାଏବ ଥିବା ଜାଣିବାକୁ ପାଇଥିଲେ। ଏ ନେଇ ତୁରନ୍ତ ପୁଲିସକୁ ଖବର କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର