କମ୍ପାଉଣ୍ଡରଙ୍କ ଭୁଲ୍‌ ଇଞ୍ଜେକ୍‌ସନ୍‌ ଯୋଗୁଁ ଜୀବନ ହାରିଲା ୯ ବର୍ଷୀୟ ଝିଅ, କ୍ଲିନିକ୍‌ରେ ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ଲୋକେ

କଟକ: ଏକ ଘରୋଇ କ୍ଲିନିକ୍‌ରେ କମ୍ପାଉଣ୍ଡରଙ୍କ ଭୁଲ୍‌ ଇଞ୍ଜେକ୍‌ସନ୍‌ ଯୋଗୁଁ ରବିବାର ଜଣେ ୯ ବର୍ଷୀୟ ଝିଅ ଜୀବନ ହାରିଛି। କଟକ ଜିଲ୍ଲାର ନିଆଳି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ରିପୋର୍ଟ ଅନୁସାରେ ଅସୁସ୍ଥତା ଯୋଗୁଁ ଗରଡ଼ ଗାଁର ସୀମା ନାୟକଙ୍କୁ ନିଆଳି ବଜାରସ୍ଥିତ ଏକ ଘରୋଇ କ୍ଲିନିକ୍‌ରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଯାଞ୍ଚ କରିବା ପରେ ଡାକ୍ତର ରାଧାକାନ୍ତ ପଣ୍ଡା ଇଞ୍ଜେକ୍‌ସନ୍‌ ଦେବା ପାଇଁ କମ୍ପାଉଣ୍ଡର ସରୋଜ ସିଂଙ୍କୁ କହିଥିଲେ।

କମ୍ପାଉଣ୍ଡରଙ୍କ ଠାରୁ ଇଞ୍ଜେକ୍‌ସନ୍‌ ନେବା ପରେ ସୀମାର ସ୍ୱାସ୍ଥ୍ୟ ଆହୁରି ଅଧିକ ବିଗିଡ଼ିବାକୁ ଲାଗିଥିଲା। ଏହା ପରେ ସୀମାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯିବାର କିଛି ସମୟ ପରେ ସୀମାକୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଭୁଲ୍‌ ଇଞ୍ଜେକ୍‌ସନ୍‌ ଯୋଗୁଁ ନାବାଳିକା ସୀମାର ମୃତ୍ୟୁ ହୋଇଛି ବୋଲି ମା’ ରୀତା ଅଭିଯୋଗ ଆଣିଛନ୍ତି। ସେ ମୃତଦେହକୁ ଧରି କ୍ଲିନିକ୍‌ ସମ୍ମୁଖରେ ଧାରଣା ଦେଇଥିବା ବେଳେ ସ୍ଥାନୀୟ ଲୋକେ ଭଙ୍ଗାରୁଜା କରିଛନ୍ତି। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚିଥିଲା।

ସମ୍ବନ୍ଧିତ ଖବର