ଖୋର୍ଦ୍ଧା: ଭାରତ ସରକାରଙ୍କ ପ୍ରେସ ଇନ୍ଫରମେସନ ବ୍ୟୁରୋ (ପିଆଇବି) ପକ୍ଷରୁ କେନ୍ଦ୍ର ସରକାରଙ୍କ ୯ ବର୍ଷର କାର୍ଯ୍ୟକାଳ, ଯୋଜନାର ରୂପାୟନ ଓ ସଫଳତା ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଏକ ‘ବାର୍ତାଳାପ’ କାର୍ଯ୍ୟକ୍ରମ ସ୍ଥାନୀୟ ଜୟୀରାଜଗୁରୁ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ପିଆଇବିର ନୋଡାଲ୍ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସିବିସିର ଆଞ୍ଚଳିକ ଅଧିକାରୀ ତଥା ଯୁଗ୍ମ ନିର୍ଦେଶକ (ଏମଆଣ୍ଡସି) ଡଃ. ଗିରୀଶ ଚନ୍ଦ୍ର ଦାଶ ଅଧ୍ୟକ୍ଷତା କରିଥିଲେ। ସଭା ଆରମ୍ଭରେ ପିଆଇବିର ସଙ୍ଗୀତ ଓ ନାଟକ ବିଭାଗର କଳାକାରଙ୍କ ଦ୍ୱାରା ବନ୍ଦେ ଉକ୍ରଳ ଜନନୀ ଗାନ କରାଯାଇଥିଲା। ସଭାର ଅଧ୍ୟକ୍ଷ ଡଃ. ଦାଶ ନିଜ ବକ୍ତବ୍ୟରେ ବର୍ତ୍ତମାନ ଯୁଗରେ ସାମାଜିକ ଗଣମାଧ୍ୟମର ପ୍ରଭାବ, ଗଣମାଧ୍ୟମରେ ଖବରକୁ ରୋଚକ କରିବାକୁ କିଭଳି ତ୍ରୁଟିପୂର୍ଣ୍ଣ ତଥ୍ୟ ସମ୍ପ୍ରସାରଣ କରାଯାଉଛି ସେନେଇ ଆଲୋଚନା କରିଥିଲେ। ଏଭଳି ମିଛ ଖବର ରୋକିବା ଦିଗରେ ମୁଖ୍ୟଧାରାରେ ଥିବା ଗଣମାଧ୍ୟମର ପ୍ରମୁଖ ଦାୟିତ୍ୱ ରହିଛି ବୋଲି କହିଥିଲେ।
ଅତିଥି ଓ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଅକ୍ଷୟ ସାହୁ, ପ୍ରଧ୍ୟାପକ ସୂର୍ଯ୍ୟ ନାରାୟଣ ମିଶ୍ର, ପ୍ରଭାତ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ। ନିଜ ବକ୍ତବ୍ୟରେ, ୨୦୧୪ ଠାରୁ ୨୦୨୩ ମଧ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦେଶର ଅର୍ଥନୀତିର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ, ସ୍ଥଳବିଶେଷରେ ଏହାର ପ୍ରଭାବ, ଯୁବ ଓ ମହିଳାଙ୍କ ମଧ୍ୟରେ ଆର୍ଥିକ ସାକ୍ଷରତା ବୃଦ୍ଧି ଓ ସ୍ୱାବଲମ୍ବୀ ହେବା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଉଜ୍ଜ୍ୱଳା, ଜାତୀୟ ରାଜପଥ ନିର୍ମାଣ, ମେକ୍ ଇନ୍ ଇଣ୍ଡିଆ, ଲୋକାଲ୍ ଠାରୁ ଗ୍ଲୋବାଲ୍, ବୈଦେଶିକ ନୀତିରେ ଦେଶ ପ୍ରଥମକୁ ଗୁରୁତ୍ୱ, ଡିଜିଟାଲ୍ ଇଣ୍ଡିଆ ଦୀନଦୟାଲ କୌଶଳ ଯୋଜନା, ଆଜାଦି କା ଅମୃତ ମହୋତ୍ସବ, ସ୍ୱଚ୍ଛତା ଓ ପରିମଳ, ଶୌଚାଳୟ ନିର୍ମାଣ, ପ୍ରଧାନମନ୍ତ୍ରୀ ଆବାସ ଆଦି ଅନେକ ପଦକ୍ଷେପ ଏକ ନୀତିଗତ ପକ୍ଷଘାତର ଶିକାର ହୋଇଥିବା ପ୍ରଶାସନକୁ ବଦଳାଇ ବିଶ୍ୱସ୍ତରରେ ଭାରତର ସମ୍ମାନ ଓ ପ୍ରତିଷ୍ଠାକୁ ବୃଦ୍ଧି ହୋଇ ପାରିଛି ବୋଲି କହିଥିଲେ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ପିଆଇବି ଆଞ୍ଚଳିକ ଅଧିକାରୀ ଶ୍ରୀ ଚୌଧୁରୀ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ବିଭିନ୍ନ ଜିଲ୍ଲାରେ ଏଭଳି ବାର୍ତାଳାପ ଆୟୋଜନ କରାଯାଉଛି। ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ଯୋଜନା ସମ୍ପର୍କରେ ଜାଣିବା ସହ ଏନେଇ ସଠିକ ତଥ୍ୟ ଜନସାଧାରଣ ବିଶେଷତଃ ଗ୍ରାମାଞ୍ଚଳର ଲୋକଙ୍କ ନିକଟରେ ପହଞ୍ଚାଇବାର ଆଭିମୁଖ୍ୟ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚଳିତବର୍ଷରେ ପ୍ରଥମ ଥର ପାଇଁ ହୋଇଥିବା ସେ କହିଛନ୍ତି। କାର୍ଯ୍ୟକ୍ରମରେ ପିଆଇବିର ଉପନିଦ୍ଦେଶକ ମନୋଜ କୁମାର ଜାଲିଙ୍କ ସମେତ ଖୋର୍ଦ୍ଧାର ବିଭିନ୍ନ ବୈଦ୍ୟୁତିକ, ଛାପା ଓ ୱେବ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ପିଆଇବି ଆଞ୍ଚଳିକ କାର୍ଯ୍ୟାଳୟର କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।