ପାରାଦୀପରେ ଆରମ୍ଭ ହେଲା ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର

ବାର୍ଜ ଦ୍ବାରା ମହାନଦୀରେ ପରିବହନ ହେବ ସାର ଓ ଜିପସମ୍

ଜଗତସିଂହପୁର : ଇତିହାସ ରଚିଛି ପାରାଦୀପ। ଇଫକୋ ପକ୍ଷରୁ ନିର୍ମାଣ କରାଯାଇଥିବା ବହୁ ପ୍ରତିକ୍ଷିତ ରାଜ୍ୟର ପ୍ରଥମ ନଦୀ ଭିତ୍ତିକ ବନ୍ଦରରେ ପରିବହନ କାର୍ଯ୍ୟ ଆରମ୍ଭ ହୋଇଛି। ଦୁଇ ଦିନିଆ ଗସ୍ତରେ ଆସି ଆଜି କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏହି ବନ୍ଦରକୁ ଉଦଘାଟନ କରି କହିଛନ୍ତି ଯେ, ପରିବହନ କ୍ଷେତ୍ରରେ ଇଫକୋ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ମହାନଦୀରେ ଇଫକୋରୁ ଉତ୍ପାଦନ ହେଉଥିବାର ସାର ଓ ସେଥିରୁ ନିର୍ଗତ ଜିପସମ୍, ବାର୍ଜ ଦ୍ବାରା ବିଭିନ୍ନ ସ୍ଥାନକୁ ରପ୍ତାନୀ କରାଯାଇପାରିବ। ଏହାଦ୍ବାରା ଉଭୟ ପରିବହନ ଖର୍ଚ୍ଚ ଓ ପ୍ରଦୂଷଣ ଉପରେ ନିୟନ୍ତ୍ରଣ ରହିବା ସହ କର୍ମ ନିଯୁକ୍ତିର ସୁଯୋଗ ମଧ୍ୟ ରହିଛି। ଏହି ଯୋଜନାକୁ କାର୍ଯ୍ୟକାରୀ କରାଇବା ଦିଗରେ  ରାଜ୍ୟ ସରକାର ସମସ୍ତ ସହଯୋଗ କରିଥିବାରୁ କେନ୍ଦ୍ର ମନ୍ତ୍ରୀ ସୋନୋୱାଲ କୃତଜ୍ଞତା ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଲେ ଯେ, ପରିବହନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ କାର୍ଯ୍ୟକାରୀ କରାଇବା ଦିଗରେ ଯାହା ବି ଆବଶ୍ୟକତା ଥିଲା, ରାଜ୍ୟ ସରକାର ଏହାକୁ ପୂରଣ କରିଛନ୍ତି। ବିଭାଗୀୟ ମନ୍ତ୍ରୀ, ସ୍ଥାନୀୟ ଜନପ୍ରତିନିଧି ଓ ଜନ ସାଧାରଣ ସମସ୍ତେ ସହଯୋଗ କରିଥିବାରୁ ଆଜି ଏତେ ବଡ଼ ଯୋଜନା ସଫଳ ଭାବେ କାର୍ଯ୍ୟକାରୀ ହୋଇପାରିଛି। ଜଳସେଚନ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ମଧ୍ୟ ଇଫକୋର ଏହି ଉଦ୍ୟମକୁ ବେଶ୍ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହି ଯୋଜନା ବେଶ୍ ସଫଳ ହେବ ବୋଲି କହିଛନ୍ତି। ପାରାଦୀପ ବିଧାୟକ ସମ୍ବିତ ରାଉତରାୟ କହିଲେ, ଏହା ପୁଣି ଥରେ ଆମ ପରମ୍ପରାକୁ ଉଜ୍ଜିବିତ କରିଛି। ସାଧବ ପୁଅମା‌ନେ ବୋଇତ ନେଇ ଜାଭା ସୁମାତ୍ରା, ମାଳଦ୍ବୀପ ଓ ଇଣ୍ଡେନେସିଆକୁ ବଣିଜ କରିବାକୁ ଯାଇଥିଲେ। ଆଜି ଇଫକୋ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଯୋଜନା ପରୋକ୍ଷରେ ଏହି ପରମ୍ପରାକୁ ପୁଣି ଥରେ ସମସ୍ତଙ୍କୁ ମନେ ପକାଇ ଦେଇଛି।

ଅନ୍ୟମାନଙ୍କ ମଧ୍ୟ‌ରେ ଇଫକୋ ଯୁଗ୍ମ ପରିଚାଳକ ନିର୍ଦ୍ଦେଶକ ରାକେଶ କପୁର, ଆଇଡବ୍ଲୁଏଆଇ ଅଧ୍ୟକ୍ଷ ସଞ୍ଜୟ ବନ୍ଦୋପାଧ୍ୟାୟ, ପାରାଦୀପ ବନ୍ଦର ଅଧ୍ୟକ୍ଷ ପିଏଲ ହରନାଦ ଓ ଇଫେକୋ ବରିଷ୍ଠ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେଜେ ପଟେଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଏହି ନୂତନ ଯୋଜନାରେ କେବଳ ଇଫ‌କୋ ନୁହେଁ ପାରାଦୀପରେ ଥିବା ଅନ୍ୟ ଶିଳ୍ପ ସଂସ୍ଥା ଗୁଡ଼ିକ ଫାଇଦା ନେଇପାରିବେ ବୋଲି କହିଛନ୍ତି। ଏହାସହ ଓଡ଼ିଶା ଷ୍ଟିଭେଡୋୟର୍ସ ଲିମିଟେଡ୍ (ଓଏସଏଲ୍) ନିର୍ଦ୍ଧାରିତ ସମୟରେ ଏହି ବନ୍ଦରର ନିର୍ମାଣ କାର୍ଯ୍ୟ ଶେଷ କରିପାରିଥିବାରୁ ଏହାର ମୁଖ୍ୟ ମହିମାନନ୍ଦ ମିଶ୍ରଙ୍କୁ ସମସ୍ତେ ପ୍ରଶଂସା କରିଥିଲେ।

ଇଫକୋ ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ବନ୍ଦର ଦ୍ବାରା ବାର୍ଷିକ ୧ ମିଲିଅନ ଟନ୍ ପଣ୍ୟ କାରବାର କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ବନ୍ଦର ପାଇଁ ପ୍ରାଥମିକ ସ୍ତରରେ ଇଫ‌କୋ ପକ୍ଷରୁ ୧୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହାପରେ ଏହାକୁ ଅଧିକ ଉନ୍ନତିକରଣ କରିବା ପାଇଁ ପଦକ୍ଷେପ ନିଆଯିବ। ବିଶେଷ କରି ସଡ଼କ ଓ ରେଳପଥରରେ ଜିପସମ୍ ପରିବହନକୁ ନେଇ ବହୁ ସମସ୍ୟା ସୃଷ୍ଟି ହେଉଛି। ଏଣୁ ଏହାଦ୍ବାରା ଏହି ସମସ୍ୟାର ସମାଧାନ ହୋଇପାରିବ। ଆଜି ପ୍ରଥମ ଦିନରେ ବାର୍ଜ ଦ୍ବାରା ପାରାଦୀପ ବନ୍ଦରକୁ ଜିପସମ୍ ଆସିଥିବା ଜଣାପଡ଼ିଛି।

 

ସମ୍ବନ୍ଧିତ ଖବର