ସାଲେପୁର : ମହିଳାମାନେ ଆଉ ଅବଳା କିମ୍ବା ଦୁର୍ବଳା ନୁହନ୍ତି। କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରୁଛନ୍ତି। ଏହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି କଟକ ଜିଲ୍ଲା ସାଲେପୁର ବ୍ଲକ୍ ଛାଣିପୁର ପଞ୍ଚାୟତ ଅନ୍ତର୍ଗତ କରମୁଆଁ ଗ୍ରାମର ସୁନାବୋହୂ ନିରୁପମା ବାରିକ। ବର୍ତ୍ତମାନ ତାଙ୍କର ବୟସ ୫୩ ବର୍ଷ। ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି ସେ। ଘର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ପାଠପଢ଼ାରେ ଡୋରି ବାନ୍ଧିଥିଲେ। ପିଲାବେଳୁ ଦୁଃଖକଷ୍ଟ ସହିଥିଲେ ମଧ୍ୟ ଭବିଷ୍ୟତରେ ନିଜକୁ ସ୍ବାବଲମ୍ବୀ କରିବା ପାଇଁ ଲକ୍ଷ୍ୟ ରଖିଥିଲେ ନିରୁପମା। ୧୯୮୬ ମସିହାରେ କରମୁଆଁ ଗ୍ରାମର ନରେନ୍ଦ୍ର କୁମାର ବାରିକଙ୍କ ସହ ତାଙ୍କର ବିବାହ ହୋଇଥିଲା। ଶାଶୂଘରେ ମଧ୍ୟ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିଲା। ବିବାହର ଠିକ୍ ୧୧ବର୍ଷ ପରେ ଅର୍ଥାତ୍ ୧୯୯୭ ମସିହାରୁ ସ୍ବାମୀ ନରେନ୍ଦ୍ରଙ୍କ ପ୍ରେରଣାରେ ପଥର ଖୋଦେଇ କରି ବିଭିନ୍ନ ସାମଗ୍ରୀ ନିର୍ମାଣ କରିବାକୁ ଅଣ୍ଟା ଭିଡ଼ିଥିଲେ। ଘରେ ସୁନାବୋହୂ ଥିବା ନିରୁପମା କ୍ରମେ ଆଖପାଖ ଅଞ୍ଚଳରେ ଜଣେ ଦକ୍ଷ ମହିଳା ଉଦ୍ୟୋଗୀ ଭାବେ ସୁନାମ ସାଉଁଟିଥିଲେ। ତାଙ୍କ ଦ୍ଵାରା ନିର୍ମିତ ପଥର ଖୋଦେଇ ସାମଗ୍ରୀର ଚାହିଦା ମଧ୍ୟ ବୃଦ୍ଧି ପାଇଥିଲା। ପ୍ରାୟ ୨୪ବର୍ଷ ଧରି ପ୍ରସ୍ତରଶିଳ୍ପୀ ନିରୁପମା ବିଭିନ୍ନ ପ୍ରକାରର ଚଉରା, ମୂର୍ତ୍ତି, ଦୀପ, ଖଟୁଲି, ଠାକୁରଙ୍କ ବିମାନ, ଡ୍ରେସିଂ ଟେବୁଲ୍, ଟିପଏ, ଡାଇନିଂ ଟେବୁଲ୍ ସମେତ ଅନେକ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି।
ସ୍ବାମୀ ନରେନ୍ଦ୍ର ମଧ୍ୟ ତାଙ୍କୁ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଉକ୍ତ କାର୍ଯ୍ୟରେ ୭ରୁ ୮ଜଣ ମହିଳାଙ୍କୁ ନିୟୋଜିତ କରି ଆତ୍ମନିର୍ଭରଶୀଳ କରିଛନ୍ତି ବୋଲି କୁହନ୍ତି ନିରୁପମା। ଝିଅ ମଧୁସ୍ମିତା ବାରିକ ବିଏସ୍ସି ପାସ କରିଛନ୍ତି। ଝିଅକୁ ପିଲାଟି ବେଳୁ ଆତ୍ମନିର୍ଭରଶୀଳ ହେବାକୁ ପ୍ରେରଣା ଦେଇଥିବା ସେ କହିଛନ୍ତି। ତାଙ୍କ ଦ୍ବାରା ନିର୍ମିତ ସାମଗ୍ରୀଗୁଡ଼ିକରେ ମଧୁସ୍ମିତା ନିଖୁଣତାର ସହ ଚିତ୍ର ଆଙ୍କିଥା’ନ୍ତି। ନିରୁପମାଙ୍କ ଦ୍ଵାରା ନିର୍ମିତ ଚଉରାର ମୂଲ୍ୟ ୮୦୦ ଟଙ୍କାରୁ ଆରମ୍ଭ ହୋଇ ୮ ହଜାର ଟଙ୍କାରେ ବିକ୍ରି ହୋଇଥାଏ। ରାଉରକେଲା, ଭୁବନେଶ୍ୱର ଓ କଟକର କେତେକ ଦୋକାନୀ ଏହାକୁ କିଣି ନେଇଥା’ନ୍ତି। ବଡ଼ବଡ଼ ପ୍ରଦର୍ଶନୀ, ବାଣିଜ୍ୟ ମେଳା, ବାଲିଯାତ୍ରା ଆଦି ସ୍ଥାନରେ ମଧ୍ୟ ଏହାର ବେଶ୍ ଚାହିଦା ରହିଛି। ଅନେକ ସମୟରେ ଚାହିଦା ଅନୁଯାୟୀ ହାତ ତିଆରି ସାମଗ୍ରୀଗୁଡ଼ିକ ଯୋଗାଇବା କଷ୍ଟକର ହୋଇପଡ଼ିଥାଏ ବୋଲି କହିଛନ୍ତି ନିରୁପମା। ଏହି କାର୍ଯ୍ୟ ତାଙ୍କୁ ସାମାଜିକ ପ୍ରତିଷ୍ଠା ଦେବା ସହ ଅନେକ ମହିଳାଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇଛି।
/sambad/media/post_attachments/wp-content/uploads/2021/03/12-1-246x300-1.jpg)
ଅପରପକ୍ଷେ, କରୋନା କଟକଣା ପାଇଁ ପ୍ରାୟ ୧୦ ମାସ ଧରି କାମ ବନ୍ଦ ରହିଥିଲା। ଏହି ସମୟରେ ଜୀବିକା ଅର୍ଜନ କରିବା କଷ୍ଟକର ହୋଇପଡ଼ିଥିଲା। ଏଥିସହ ସାମଗ୍ରୀ ପ୍ରସ୍ତୁତିରେ ଆବଶ୍ୟକ ପଥର, ଅଠା, ଫେବ୍ରିକ୍ କଲର ଆଦିର ମୂଲ୍ୟବୃଦ୍ଧି ଏବଂ ଅତ୍ୟାଧୁନିକ ଯନ୍ତ୍ରପାତି ନ ଥିବାରୁ ଉତ୍ପାଦନ ବୃଦ୍ଧି କରିବାରେ ସମସ୍ୟା ଦେଖାଯାଉଛି ବୋଲି ସେ କହିଛନ୍ତି। ୨୦୧୦ ମସିହାରେ ଗ୍ରାମର ୧୦ଜଣ ମହିଳାଙ୍କୁ ଏକତ୍ରିତ କରି କ୍ଷେତ୍ରପାଳ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଗଠନ କରିବା ସହ ନିରୁପମା ଏହାର ସଭାପତି ଦାୟିତ୍ବ ତୁଲାଉଛନ୍ତି। ସମସ୍ତ ମହିଳାଙ୍କୁ ରୋଜଗାରକ୍ଷମ କରାଇବାକୁ ସେ ପ୍ରୟାସ ଜାରି ରଖିଛନ୍ତି। ପଥର ଖୋଦେଇ ସାମଗ୍ରୀ ପ୍ରସ୍ତୁତି ନିମନ୍ତେ ସରକାର ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇଦେଲେ ସେ ଉତ୍ପାଦନ ବୃଦ୍ଧି କରିପାରିବେ ଏବଂ ଅଞ୍ଚଳର ବହୁ ମହିଳା ଉକ୍ତ କାର୍ଯ୍ୟରେ ନିୟୋଜିତ ହୋଇ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ନିରୁପମା କହନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/House-Wife-Cum-Enterpreanure_Thumbnail.jpg)