ନିଷ୍ଟ ଅଶାନ୍ତ ଘଟଣା: ୨ ମାମଲା ରୁଜୁ, ବ୍ୟାପକ ପୁଲିସ ମୁତାୟନ

ଗୋଳନ୍ଥରା : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ନିକଟ ପାଲୁର ହିଲସ୍‌ ସ୍ଥିତ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନ ‘ନିଷ୍ଟ୍‌’ରେ ଛାତ୍ର ଅଶାନ୍ତି ଓ ଗଣ୍ଡଗୋଳ ଘଟଣାରେ ଗୋଳନ୍ଥରା ଥାନାରେ ପୃଥକ ପୃଥକ ୨ଟି ମାମଲା ରୁଜୁ ହୋଇଛି। ନିଷ୍ଟ୍‌ର କୁଳସଚିବ କ୍ଷିରୋଦ ମହାପାତ୍ରଙ୍କ କାର୍‌କୁ କିଛି ଯୁବକ ଭାଙ୍ଗି ଦେଇଥିବା ନେଇ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। ଏହାକୁ ଭିତ୍ତି କରି ଗୋଳନ୍ଥରା ଥାନାରେ କେସ୍‌ ନମ୍ବର ୬୧/୨୧ ରୁଜୁ ହୋଇଛି। ନିର୍ଦ୍ଦେଶକ ସଂଗ୍ରାମ ମୁଦାଲିଙ୍କୁ ଆକ୍ରମଣ ଘଟଣାରେ ୧୬ ଜଣଙ୍କ ନାମରେ ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଗୋଳନ୍ଥରା ଥାନାରେ କେସ୍‌ ନମ୍ବର ୬୩/୨୧ ରୁଜୁ ହୋଇଛି। କଲେଜରେ ଅଶାନ୍ତ ପରିସ୍ଥିତି ଲାଗି ରହିଥିବାରୁ ପୁଲିସ ମୁତୟନ ରହିଛି l

ପ୍ରକାଶ ଥାଉକି, ଗତ ଦେଢ଼ ବର୍ଷରୁ ଅଧିକ ସମୟ ହେଲା ନିଷ୍ଟ ପରିଚାଳନା କମିଟିରେ ଆଭ୍ୟନ୍ତରୀଣ ବିବାଦ ଲାଗି ରହିଛି। ଗତକାଲି ନିଷ୍ଟ୍‌ର ନିର୍ଦ୍ଦେଶକ ସଂଗ୍ରାମ ମୁଦାଲିଙ୍କୁ ତୃତୀୟ ଓ ଚତୁର୍ଥ ବର୍ଷର ଛାତ୍ରଛାତ୍ରୀମାନେ ସେମାନଙ୍କ ଯୁକ୍ତ ୨ ଏବଂ ମାଟ୍ରିକ ଅରିଜିନାଲ୍‌ ସାର୍ଟିଫିକେଟ୍‌ ମାଗିବାକୁ ଯାଇ ବିଫଳ ହେବା ପରେ ଶିକ୍ଷାନୁଷ୍ଠାନରେ ଛାତ୍ର ଅଶାନ୍ତି ଦେଖା ଦେଇଥିଲା। ନିର୍ଦ୍ଦେଶକଙ୍କ ପ୍ରକୋଷ୍ଠରେ କେତେକ ଛାତ୍ର ପଶି ଭଙ୍ଗାରୁଜା କରିଥିଲେ l ଛାତ୍ରୀଛାତ୍ରଙ୍କ ଅଭିଯୋଗ ଅନୁଯାୟୀ, ଦୁଇ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏହି ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ବେଳେ ଯୁକ୍ତ ଦୁଇ ଓ ମାଟ୍ରିକ ସାର୍ଟିଫିକେଟ୍‌ ଦାଖଲ ଦେଇଥିଲେ। ପରବର୍ତ୍ତୀ ସମୟରେ ନିର୍ଦ୍ଦେଶକ ସାର୍ଟିଫିକେଟ୍‌ ଫେରାଉ ନ ଥିବା ଅଭିଯୋଗ ହୋଇଥିଲା।

ଗତକାଲି ପୂର୍ବାହ୍‌ଣରେ ତୃତୀୟ ଓ ୪ର୍ଥ ବର୍ଷର ୬୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ନିର୍ଦ୍ଦେଶକଙ୍କ ପ୍ରକୋଷ୍ଠକୁ ଯାଇ ସାଟିଫିକେଟ୍‌ ମାଗିଥିଲେ। କିନ୍ତୁ ସାର୍ଟିଫିକେଟ୍‌ ନ ଦେବାରୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଜଣେ ପୁରାତନ ଛାତ୍ର ମଧ୍ୟ କୌଣସି କାମରେ ସେଠାରେ ଉପସ୍ଥିତ ଥିବାବେଳେ ତାଙ୍କୁ ମଧ୍ୟ ଠେଲାପେଲା କରିଥିବା ଅଭିଯୋଗ ହୋଇଥିଲା। ଅନ୍ୟପଟେ କିଛି ବାହାର ଲୋକ ଆସି ନିଷ୍ଟର ୨ଜଣ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରି ଆହତ କରିଥିଲେ। ଖବର ପାଇ ଗୋଳନ୍ଥରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା।

ସମ୍ବନ୍ଧିତ ଖବର