ରାଉରକେଲା: ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି) ସର୍ବଭାରତୀୟସ୍ତରରେ ପୁଣିଥରେ ଚମକିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଦ୍ବାରା ପ୍ରକାଶିତ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରୢାଙ୍କିଂ ଫ୍ରେମ୍ୱାର୍କ(ଏନ୍ଆଇଆର୍ଏଫ୍)ରେ ବିଭିନ୍ନ ବର୍ଗରେ ଏହି ଅନୁଷ୍ଠାନ ଉତ୍କୃଷ୍ଟ ପ୍ରଦର୍ଶନ କରିଛି। ସବୁ କ୍ଷେତ୍ରରେ ନିଜର ପୂର୍ବବର୍ଷ ରାଙ୍କିଂ ତୁଳନାରେ ଏଥର ଉନ୍ନତି ଆଣିଛି। ପ୍ରକାଶଥାଉକି, ଅନୁଷ୍ଠାନର ଶିକ୍ଷାଦାନର ମାନ, ଗବେଷଣା, ଭିତ୍ତିଭୂମିର ବିକାଶ, ନବସୃଜନ, ଶୈକ୍ଷିକ ବାତାବରଣ ଆଦି ଏକାଧିକ ଦିଗକୁ ପୁଙ୍ଖାନୁପୁଙ୍ଖ ତର୍ଜମାକରି ଏହି ତାଲିକା ପ୍ରକାଶିତ ହୋଇଥାଏ। ଏନ୍ଆଇଟି ରାଉରକେଲା ଚଳିତବର୍ଷ ଶ୍ରେଷ୍ଠ ଇଞ୍ଜିନିଅରିଂ କଲେଜ ବର୍ଗରେ ରାଜ୍ୟରେ ପ୍ରଥମ ଓ ସର୍ବଭାରତୀୟସ୍ତରରେ ୧୫ତମ ସ୍ଥାନରେ ରହିଛି। ଗତବର୍ଷ ଏନ୍ଆଇଆର୍ଏଫ୍ ତାଲିକାରେ ଅନୁଷ୍ଠାନ ୨୦ତମ ସ୍ଥାନରେ ରହିଥିଲା। ଉଲ୍ଲେଖଯୋଗ୍ୟ, ଏହି ତାଲିକାର ଶ୍ରେଷ୍ଠ ଶହେରେ ସ୍ଥାନିତ ହୋଇଥିବା ରାଜ୍ୟର ଅନ୍ୟ ଅନୁଷ୍ଠାନ ଗୁଡ଼ିକ ହେଲା ଶିକ୍ଷା ଓ ଅନୁସନ୍ଧାନ(୨୭), ଆଇଆଇଟି, ଭୁବନେଶ୍ବର(୩୬), କିଟ୍(୪୨) ଓ ସି.ଭି.ରମଣ ଗ୍ଲୋବାଲ ବିଶ୍ବବିଦ୍ୟାଳୟ(୯୮)। ଗବେଷଣା ପାଇଁ ବିଖ୍ୟାତ ଏହି ଅନୁଷ୍ଠାନ ଏଥର ମଧ୍ୟ ଆଖିଦୃଶିଆ ଉନ୍ନତି କରି ତାଲିକାର ୨୪ତମ ସ୍ଥାନରେ ରହିଛି। ଗତବର୍ଷ ଏହି ବର୍ଗରେ ୩୧ତମ ସ୍ଥାନରେ ରହିଥିଲା।
ଏହି ବର୍ଗରେ ମଧ୍ୟ ଏନ୍ଆଇଟି ରାଉରକେଲା ରାଜ୍ୟର ଅନ୍ୟ ଅନୁଷ୍ଠାନ ତୁଳନାରେ ଢ଼େର୍ ଆଗରେ ରହିଛି। ଏନ୍ଆଇଟି ତଳକୁ, ଯଥାକ୍ରମେ ଆଇଆଇଟି ଭୁବନେଶ୍ବର(୩୭), ସୋଆ(୪୫) ଓ କିଟ୍(୪୭) ଆଦି ଅନୁଷ୍ଠାନ ରହିଛି। ସେହିଭଳି ଏନ୍ଆଇଟି ରାଉରକେଲା ସାମଗ୍ରିକଭାବେ ୩୯ତମ ସ୍ଥାନରେ ରହିଛି। ଗତବର୍ଷ କିନ୍ତୁ ଅନୁଷ୍ଠାନ ତାଲିକାର ୪୧ତମ ସ୍ଥାନରେ ରହିଥିଲା। ଏନେଇ ଅନୁଷ୍ଠାନର ନିର୍ଦ୍ଦେଶକ କେ. ଉମାମହେଶ୍ବର ରାଓ ସମସ୍ତ ଛାତ୍ରଛାତ୍ରୀ, ପ୍ରଫେସର, ଅଧ୍ୟାପକ, ଅଧ୍ୟାପିକାଙ୍କୁ ଅଭିନନ୍ଦନ ଜଣାଇବାସହ କହିଲେ, ସମସ୍ତଙ୍କର କଠୋର ଓ ନିଷ୍ଠାପର ପରିଶ୍ରମ ଯୋଗୁଁ ଏହି ସଫଳତା ମିଳିପାରିଛି। ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ, କର୍ମଚାରୀ ଆଦି ସମସ୍ତଙ୍କର ଅବଦାନ ପାଇଁ ଏହା ସମ୍ଭବ ହୋଇପାରିଛି। ଉନ୍ନତମାନର ଶିକ୍ଷାଦାନ ବଜାୟ ରଖିବାସହ ଅଧିକରୁ ଅଧିକ ଅନୁସନ୍ଧାନ, ନବସୃଜନ, ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏହି ଉପଲବ୍ଧି ପ୍ରେରଣା ଯୋଗାଇବ। ଆଗାମୀ ଦିନରେ ଏହାକୁ ପାଥେୟକରି ଏନ୍ଆଇଟିକୁ ଏନ୍ଆଇଆର୍ଏଫ୍ ତାଲିକାର ଶ୍ରେଷ୍ଠ ୧୦ ଭିତରେ ପହଞ୍ଚାଇବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି।