ରାଉରକେଲା: ନିଯୁକ୍ତି କ୍ଷେତ୍ରରେ ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି)ରେ ଛାତ୍ରଛାତ୍ରୀ ଏଥର ରେକର୍ଡ ସୃଷ୍ଟି କରିଛନ୍ତି। ୨୦୨୨-୨୩ ଶିକ୍ଷା ବର୍ଷର କ୍ୟାମ୍ପସ୍ ନିଯୁକ୍ତିରେ ଅନୁଷ୍ଠାନର ୧୫୩୪ ଜଣ ଛାତ୍ରଛାତ୍ରୀ ୩୩୦ଟି ନାଦୀଦାମୀ କମ୍ପାନିଠାରୁ ନିଯୁକ୍ତି ପାଇଛନ୍ତି। ବି.ଟେକ୍ର ୯୫% ଛାତ୍ରଛାତ୍ରୀ ନିଯୁକ୍ତି ପ୍ରସ୍ତାବ ପାଇଛନ୍ତି। ବିଭିନ୍ନ କମ୍ପାନିରେ ଶିକ୍ଷାନବୀଶଭାବେ କାମ କରିଥିବା ୩୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ୪୫ ହଜାରରୁ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ଷ୍ଟାଇପେଣ୍ଡ୍ ପ୍ରସ୍ତାବ ମିଳିଛି। ଏମିତିକି ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ, ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ ଇନ୍ଷ୍ଟ୍ରୁମେଣ୍ଟେସନ ଇଞ୍ଜିନିୟରିଂ, ସେରାମିକ୍ ଇଞ୍ଜିନିୟରିଂ ବିଭାଗର ସମସ୍ତ ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି।ଏନ୍ଆଇଟି ଏଥର ଉଲ୍ଳେଖନୀୟ ମାଇଲ୍ଖୁଣ୍ଟ ହାସଲ କରିଛି।
ମୋଟ୍ ୨୪ ଜଣ ବାର୍ଷିକ ୫୦ ଲକ୍ଷରୁ ଅଧିକ ଦରମା ବିଶିଷ୍ଟ ନିଯୁକ୍ତି ପ୍ରସ୍ତାବ ପାଇଥିବାବେଳେ ୮ ଜଣ ବାର୍ଷିକ ୫୨.୮୯ ଲକ୍ଷ ଟଙ୍କାର ପ୍ୟାକେଜ୍ ପାଇଛନ୍ତି। ସର୍ବାଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କରିଥିବା ସଂସ୍ଥାଗୁଡ଼ିକ ମଧ୍ୟରେ ଟିସିଏସ୍(୮୪), ସେଲ୍(୬୨ ଜଣ), ପିଡବ୍ଲ୍ୟୁସି ଇଣ୍ଡିଆ(୪୫), ବେଦାନ୍ତ ଲିମିଟେଡ୍(୪୨), ଡେଲଏଟ୍(୩୦), ଏଲ୍ ଆଣ୍ଡ୍ ଡି କନଷ୍ଟ୍ରକ୍ସନ(୨୯), ଟାଟା ଷ୍ଟିଲ୍(୨୩), ଟେକ୍ସାସ୍ ଇନ୍ଷ୍ଟ୍ରୁମେଣ୍ଟ୍ (୨୧), ଆଦିତ୍ୟ ବିର୍ଲା ଗ୍ରୁପ୍(୨୧) ଓ କ୍ବାଲ୍କମ୍(୨୦)। ଏହି ରେକର୍ଡ ନିଯୁକ୍ତି ପ୍ରସ୍ତାବ ନେଇ ଅନୁଷ୍ଠାନର ନିର୍ଦ୍ଦେଶକ କେ. ଉମାମହେଶ୍ବର ରାଓ କହିଛନ୍ତି, ଏହି ନିଯୁକ୍ତି ପ୍ରସ୍ତାବ ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ ଉଜ୍ବଳ ଭବିଷ୍ୟତର ପ୍ରମାଣ। ଛାତ୍ରଛାତ୍ରୀଙ୍କୁ ଉତ୍କୃଷ୍ଟମାନର ଶିକ୍ଷା, ତାଲିମ, ଗବେଷଣା ପାଇଁ ସହାୟତା ପ୍ରଦାନ ପାଇଁ ଅନୁଷ୍ଠାନ ବଦ୍ଧପରିକର। ଏହି ରେକର୍ଡ ସଫଳତା ପାଇଁ ସମସ୍ତ ଛାତ୍ରଛାତ୍ରୀ, ପ୍ରାଧ୍ୟାପକ/ପ୍ରାଧ୍ୟାପିକାଙ୍କ ସମେତ କ୍ୟାରିଅର ଡେଭେଲପ୍ମେଣ୍ଟ୍ ସେଣ୍ଟର୍ର ପ୍ରଶଂସାର ପାତ୍ର। ଅନୁଷ୍ଠାନର ଛାତ୍ରଛାତ୍ରୀ ସେମାନଙ୍କର ପ୍ରାଥମିକତା ବାଛିବା ଶିଖୁଛନ୍ତି ଓ ଅନେକ ଚାକିରି ପରିବର୍ତ୍ତେ ଉଚ୍ଚଶିକ୍ଷା, ଗବେଷଣା ତଥା ଷ୍ଟାର୍ଟ୍ଅପ୍ ନିର୍ମାଣରେ ମନୋନିବେଶ କରୁଥିବା କହିଥିଲେ।