ଫୁଟବଲ୍‌ ଖେଳ ହେଲା କାଳ: ରାଉରକେଲା ଏନ୍‌ଆଇଟିର ଏମ୍‌.ଟେକ୍‌ ଛାତ୍ରଙ୍କ ମୃତ୍ୟୁ

ରାଉରକେଲା: ସ୍ଥାନୀୟ ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ (ଏନ୍‌ଆଇଟି)ର ଜଣେ ଛାତ୍ର ଆଜି ଫୁଟବଲ ଖେଳୁଥିବା ସମୟରେ ମୃତ୍ୟୁ ହୋଇଛି। ମୃତ ଛାତ୍ରଙ୍କ ନାମ ଓ୍ଵାସିମ୍‌ ଉସ୍ମାନ୍‌ (୨୬)। କେରଳର ଏହି ଛାତ୍ର ଜଣକ ଏନ୍‌ଆଇଟିରେ ଏମ୍‌ଟେକ୍‌ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ।

ସୂଚନା ଅନୁସାରେ ଓ୍ଵାସିମ୍‌ ଉସ୍ମାନ୍‌ ଆଜି ସଂଧ୍ୟାରେ ସହପାଠୀଙ୍କ ସହ ଫୁଟବଲ୍‌ ଖେଳୁଥିଲେ। ମାଲ୍ଲାପୁରମ୍‌ ୱାସିମ୍‌ ଉସ୍ମାନ୍‌ଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ହୃଦଘାତ ଯୋଗୁଁ ୱାସିମ୍‌ଙ୍କ ମୃତ୍ୟୁ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ସେକ୍ଟର-୩ ପୁଲିସ ଛାତ୍ରଙ୍କ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଏହି ଘଟଣାକୁ ନେଇ ଏନ୍‌ଆଇଟିରେ ଶୋକର ଛାୟା ଖେଳିଯାଇଛି।

ପ୍ରତ୍ୟେକ ଦିନ ପରି ଆଜି ସଂଧ୍ୟା ପ୍ରାୟ ୫ଟାରେ ୱାସିମ୍‌ ଅନ୍ୟ ସହପାଠୀଙ୍କ ଏନ୍‌ଆଇଟି କ୍ୟାମ୍ପସରେ ପଡିଆରେ ଫୁଟବଲ୍‌ ଖେଳୁଥିଲେ। ଖେଳିବାର କିଛି ସମୟ ପରେ ହଠାତ୍‌ ବେହୋସ୍‌ ହୋଇ ତଳେ ପଡିଯାଇଥିଲେ। ସହପାଠୀମାନେ ଗୁରୁତର ଅବସ୍ଥାରେ ୱାସିମକୁ ଉଦ୍ଧାର କରି ଚିକିତ୍ସା ପାଇଁ ଆଇଜିଏଚ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆସନ୍ତାକାଲି (ରବିବାର) ପରିବାର ଲୋକ ରାଉରକେଲାରେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର