ରାଉରକେଲା: ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି)ର ବାର୍ଷିକ କ୍ରୀଡ଼ା ମହୋତ୍ସବ ‘ବୃଦ୍ଧି’ ଗୁରୁବାର ଉଦ୍ଘାଟିତ ହୋଇଯାଇଛି। ତିନି ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଫୁଟବଲ୍, କ୍ରିକେଟ୍, ବ୍ୟାଡମିଣ୍ଟନ୍, ଚେସ୍, କବାଡି, ଭଲିବଲ୍, ବାସ୍କେଟବଲ୍, ଖୋ-ଖୋ, ଟେବୁଲ୍ ଟେନିସ୍ ଆଦି ବର୍ଗରେ ଖେଳାଳି ପ୍ରତିଦ୍ବନ୍ଦ୍ବିତା କରିବେ। ଏଥିରେ ଓଡ଼ିଶା ଓ ଝାଡ଼ଖଣ୍ଡର ୧୧ଟି ଶିକ୍ଷାନୁଷ୍ଠାନ, ଯଥା- କିଟ୍(ଭୁବନେଶ୍ବର), ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟ, ଆଇଜିଆଇଟି(ଢ଼େଙ୍କାନାଳ), ରାଞ୍ଚି ବିଶ୍ବବିଦ୍ୟାଳୟ, କଳାହାଣ୍ଡି ସରକାରୀ ବୈଷୟିକ ମହାବିଦ୍ୟାଳୟ, ଟ୍ରାଇଡେଣ୍ଟ୍ ଏକାଡେମୀ ଅଫ୍ ଟେକ୍ନୋଲୋଜି, ଭିସୁଟ୍, ଜିଆଇଇଟି ବିଶ୍ବବିଦ୍ୟାଳୟ, ଓୟୁଏଟି, ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟିର ୭ ଶହ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଏଥିମଧ୍ୟରୁ ପ୍ରାୟ ୧୫୦ ଜଣ ମହିଳା ଖେଳାଳି ଅଛନ୍ତି।
ମହୋତ୍ସବକୁ ଉଦ୍ଘାଟନ କରି ମୁଖ୍ୟଅତିଥି ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ବର ରାଓ କହିଲେ, ଏହି କ୍ରୀଡ଼ା ମହୋତ୍ସବ ନିଜର ଶକ୍ତିକୁ ଚିହ୍ନିବା ତଥା ପ୍ରତିଦ୍ବନ୍ଦ୍ବିଙ୍କ ବିରୋଧରେ ଆମର ଦୁର୍ବଳତାକୁ ବୁଝିବାରେ ସହାୟକ ହେବ। ପ୍ରତିଯୋଗୀ ଖେଳୁଆଡ୍ ମନୋଭାବ ସହ ଐକ୍ୟବଦ୍ଧ ହୋଇ ସକାରାତ୍ମକ ଦୃଷ୍ଟିକୋଣ ରଖିବା ଶ୍ରେୟସ୍କର ବୋଲି କହିଥିଲେ। ଛାତ୍ର କଲ୍ୟାଣ, ଡିନ୍ ପ୍ରଫେସର ସିଦ୍ଧାର୍ଥ ଜେନା ବକ୍ତବ୍ୟ ରଖିଥିଲେ। ଅନୁଷ୍ଠାନର କୁଳସଚିବ ପ୍ରଫେସର ରୋହନ ଧୀମାନ, କ୍ରୀଡ଼ା ସଂସଦର ଉପସଭାପତି ପ୍ରଫେସର ରମେଶ ମହାପାତ୍ର, ଡ. ମୟଙ୍କ ଯାଦବ, ପ୍ରଫେସର କୌସ୍ତୁଭ ଚୌଧୁରୀ, ପ୍ରଫେସର ତୀର୍ଥଙ୍କର ସରକାର, ପ୍ରଫେସର ଅନୀଲ ସିଂହ, ପ୍ରଫେସର ଜେ. ଶିବରମଣ, ଡ. ଅନ୍ବେଷା ସେନଗୁପ୍ତା ପ୍ରମୁଖ ମଞ୍ଚାସୀନ ଥିଲେ। ଆବାହକ ସାହିଲ ମହାପାତ୍ର ଓ ଉଦୟ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହେଉଛି।