ରାଉରକେଲା/ଗୁରୁଣ୍ଡିଆ: ଗୁରୁଣ୍ତିଆ ଥାନା ଅନ୍ତର୍ଗତ ବନେଇକଳା ପଞ୍ଚାୟତର ବାଦଲଗିରି ଜଳପ୍ରପାତରେ ବୁଡ଼ି ରାଉରକେଲା ଏନ୍ଆଇଟିର ଜଣେ କର୍ମଚାରୀ ନିଖୋଜ ହୋଇଯାଇଛନ୍ତି। ସେ ହେଉଛନ୍ତି ଦେବଗଡ଼ ଜିଲ୍ଲା ବାରକୋଟ୍ ଥାନା ବଳିତା ଅଞ୍ଚଳର ଅକ୍ଷୟ ସାହୁଙ୍କ ପୁଅ ଜୟକୃଷ୍ଣ (୨୩)। ସେ ଏନ୍ଆଇଟି ହାର୍ଡୱେର ମେଣ୍ଟେନାନ୍ସ ବିଭାଗରେ କାମ କରୁଥିଲେ। ଖବର ଲେଖାହେବା ପର୍ଯ୍ୟନ୍ତ ଗୁରୁଣ୍ତିଆ ପୁଲିସ ଓ ଅଗ୍ନିଶମ ବିଭାଗ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ଖୋଜଖବର ମିଳିନାହିଁ। ଆସନ୍ତାକାଲି ଓଡ୍ରାଫ୍ ଟିମ୍ ସହାୟତାରେ ପୁଣି ଖୋଜାଯିବ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ବଣାଇ ବନଖଣ୍ତ ଅଧୀନରେ ଥିବା ଏହି ଜଳପ୍ରପାତକୁ ଆଜି ରାଉରକେଲାର ଛେଣ୍ତ ଅଞ୍ଚଳରୁ ୪ ଜଣ ବୁଲିବାକୁ ଆସିଥିଲେ। ସେମାନେ ହେଲେ ଜୟକୃଷ୍ଣ, ଅଜୟ କୁମାର ସାହୁ, ଆଶିଷ କୁମାର ଠାକୁର, ପ୍ରତ୍ୟୁଷ ରଞ୍ଜନ ମହାନ୍ତି। ଜଳପ୍ରପାତରେ ଗାଧୋଉଥିବାବେଳେ ଜୟକୃଷ୍ଣ ଜଳପ୍ରପାତ ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲେ। ତାଙ୍କ ସହିତ ଯାଇଥିବା ସାଙ୍ଗମାନେ ବହୁ ଖୋଜାଖୋଜି କରି କୌଣସି ପତ୍ତା ନ ମିଳିବାରୁ ଗୁରୁଣ୍ତିଆ ପୁଲିସ ଏବଂ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି କରି ବିଫଳ ହୋଇଥିଲେ।
ଏହି ବାଦଲଗିରି ଜଳପ୍ରପାତ ବିପଦସଂକୁଳ ହୋଇଥିବାବେଳେ ଏଠାରେ ପର୍ଯ୍ୟଟକମାନଙ୍କୁ ପୂର୍ବରୁ ଗାଧୋଇବା ପାଇଁ ବାରଣ କରାଯାଇଛି। ତେବେ ସେଠାକୁ ବହୁ ପର୍ଯ୍ୟଟକ ପ୍ରତିଦିନ ଯାଇ ଜଳପ୍ରପାତରେ ଗାଧୋଉଥିବା ଏବଂ ଅଘଟଣ ଘଟି ବହୁ ଜୀବନ ପୂର୍ବରୁ ଚାଲିଯାଇଥିବା ନଜିର ରହିଛି। ପ୍ରଶାସନ ପକ୍ଷରୁ ପୂର୍ବରୁ ଏହି ଜଳପ୍ରପାତକୁ ବନ୍ଦକରି ଦିଆଯାଇଥିଲା। ଏବେ ପୁଣି ଏହାକୁ ଖୋଲାଯାଇଥିବାରୁ ବହୁ ପର୍ଯ୍ୟଟକ ଜଳପ୍ରପାତରେ ଗାଧୋଉଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ଏଥିପାଇଁ ସତର୍କ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହେଉଛି। ସୂଚନାଯୋଗ୍ୟ ଯେ, ଦୁଇବର୍ଷ ତଳେ ସମାନ ପରିସ୍ଥିତିରେ ଜଳପ୍ରପାତରେ ଭାସିଯାଇ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ସେଠାରେ ଗାଧୋଇବା ପାଇଁ ପ୍ରତିବନ୍ଧକ ଲଗାଯାଇଥିଲା। ଅନ୍ୟପକ୍ଷରେ ଏହାର ଉନ୍ନତୀକରଣ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ୬ କୋଟି ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିଲେ ବି ଟଙ୍କାଟିଏ ଖର୍ଚ୍ଚ ହୋଇନାହିଁ ବୋଲି ଜଣାପଡ଼ିଛି।