ଏନ୍‌ଏଲ୍‌ୟୁ ଛାତ୍ରୀଙ୍କ ଆତ୍ମହତ୍ୟା: ‘ଆପଣ ମୋ ପାଇଁ ଖୁସି ନଥିଲେ…’

କଟକ/ସିଡିଏ: ‘ଆପଣ ମୋ ପାଇଁ ଖୁସି ନଥିଲେ…।’ ପରିବାରଲୋକଙ୍କ ଉଦ୍ଦେଶ୍ୟରେ ଏଭଳି ଲେଖିଛନ୍ତି ଗତକାଲି ରାତିରେ ଆତ୍ମହତ୍ୟା କରିଥିବା ଜାତୀୟ ଆଇନ ବିଶ୍ବବିଦ୍ୟାଳୟ(ଏନ୍‌ଏଲ୍‌ୟୁ)ର ଦ୍ବିତୀୟ ବର୍ଷ ଛାତ୍ରୀ ସୁରଭି ପଞ୍ଚପାଲ। ତାଙ୍କ ସୁଇସାଇଡ୍ ନୋଟ୍ ସିଡିଏ ଫେଜ୍-୨ ଥାନା ପୁଲିସ ଜବତ କରିଛି। ପାରିବାରିକ ସମସ୍ୟାକୁ ନେଇ ସୁରଭି ଦୀର୍ଘ ଦିନ ହେବ ମାନସିକ ଅବସାଦରେ ଥିବା ଚିଠିରେ ଦର୍ଶାଇଛନ୍ତି। କରୋନା କଟକଣା ହଟିବାର ଦେଢ଼ ସପ୍ତାହ ହେବ ହରିୟାଣାରୁ ବିଶ୍ବବିଦ୍ୟାଳୟକୁ ଆସିଥିବା ସୁରଭିଙ୍କ ହଠାତ୍ ଆତ୍ମହତ୍ୟା ଘଟଣା ଚର୍ଚ୍ଚା ସୃଷ୍ଟି କରିଛି। କି’ ପ୍ରକାର ସମସ୍ୟା ରହିଥିଲା, ସେ ନେଇ ପୁଲିସ ସ୍ପଷ୍ଟ କରୁ ନଥିବା ବେଳେ ପରିବାରଲୋକ ବି ଏ ସଂକ୍ରାନ୍ତରେ କୌଣସି ଅଭିଯୋଗ ଥାନାରେ କରିନଥିବା ସୂଚନା ମିଳିଛି।

ହରିୟାଣା ପାନିପଥ ଜିଲ୍ଲା ଦହର ରିଫାଇନାରି ଟାଉନସିପ୍‌‌ରେ ରହୁଥିବା ହିରାସିଂହ ପଞ୍ଚପାଲଙ୍କ ୨୦ ବର୍ଷୀୟା ଝିଅ ସୁରଭି ନରାଜସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ ନାମ ଲେଖାଇବା ପରେ କରୋନା କଟକଣା ଯୋଗୁଁ ଆସି ପାରୁ ନଥିଲେ। ଫେବ୍ରୁଆରିରୁ ବିଶ୍ବବିଦ୍ୟାଳୟ ଖୋଲିଥିବା ବେଳେ ଗତ ଗୁରୁବାରଠାରୁ ଅଫଲାଇନ୍ କ୍ଲାସ ଆରମ୍ଭ ହୋଇଥିଲା। ସୁରଭି ଗତ ଦେଢ଼ ସପ୍ତାହ ହେବ ବିଶ୍ବବିଦ୍ୟାଳୟକୁ ଆସି ଲେଡିଜ୍ ହଷ୍ଟେଲର ତୃତୀୟ ମହଲାରେ ଗୋଟିଏ ରୁମରେ ଏକୁଟିଆ ରହୁଥିଲେ।

ସହପାଠୀଙ୍କ ସହ ମିଶୁ ନଥିଲେ। ସୋମବାର ସନ୍ଧ୍ୟାରେ ତିନିରୁ ଚାରି ଘଣ୍ଟା ଧରି ତାଙ୍କ ରୁମ ଭିତର ପଟୁ ବନ୍ଦ ଥିବା ସହପାଠୀମାନେ ଦେଖିବାକୁ ପାଇଥିଲେ। ସୁରଭିଙ୍କୁ ବାରମ୍ବାର ଫୋନ୍ କରିଥିଲେ ସୁଦ୍ଧା ନଉଠାଇବାରୁ ପରିବାର ଲୋକେ ହଷ୍ଟେଲ ୱାର୍ଡେନ୍‌ଙ୍କୁ ଯୋଗାଯୋଗ କରିଥିଲେ। ହଷ୍ଟେଲ୍ ୱାର୍ଡେନ୍ ଅନ୍ୟ ଛାତ୍ରୀଙ୍କୁ ଧରି ତୃତୀୟ ମହଲାରେ ସୁରଭି ରହୁଥିବା ରୁମକୁ ଯାଇଥିଲେ। ରାତି ପ୍ରାୟ ୮ଟା ୩୦ ବେଳେ ପହଞ୍ଚିଲା ବେଳକୁ ସୁରଭି ବେକରେ ନିଜର ଓଢ଼ଣୀ ବାନ୍ଧି ଫ୍ୟାନରେ ଝୁଲି ପଡ଼ିଥିଲେ। ତାଙ୍କୁ କଟକ ବଡ଼ ଡାକ୍ତରଖାନା ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ବିଶ୍ବବିଦ୍ୟାଳୟରେ ପ୍ରଚାରିତ ହୋଇଯିବା ପରେ ଛାତ୍ରଛାତ୍ରୀ ମହଲରେ ଶୋକର ଛାୟା ଖେଳିଯାଇଥିଲା। କିଛି ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା।

ସମ୍ବନ୍ଧିତ ଖବର