ଟମକା: ଗୋଟିଏ ପରିବାରର ସମସ୍ତ ଭାଇଭଉଣୀ ଦିବ୍ୟାଙ୍ଗ। ୩ ଜଣଯାକ ମାନସିକ ଅନଗ୍ରସର, ବାକ୍ଶକ୍ତିହୀନ, ଚଳତ୍ଶକ୍ତିହୀନ। ସମସ୍ତେ ଶତ ପ୍ରତିଶତ ଭିନ୍ନକ୍ଷମ ବୋଲି ସ୍ବାସ୍ଥ୍ୟ ବିଭାଗ ମଧ୍ୟ ପ୍ରମାଣପତ୍ର ଦେଇଛି। ଯେଉଁଠି ବସାଇଲେ ସେଇଠି ବସି ରହୁଛନ୍ତି। କାହା ମୁହଁରେ ଭାଷା ନାହିଁ କି ଠାରିବାକୁ ଶକ୍ତି ନାହିଁ। ଏ ଜୀବନଯନ୍ତ୍ରଣାରେ ଦହଗଞ୍ଜ ହେଉଛନ୍ତି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍ ଗୋବର୍ଦ୍ଧନପୁର ଗାଁର କ୍ଷୀରୋଦ ଚନ୍ଦ୍ର ସାହୁ ଓ ତାଙ୍କ ପତ୍ନୀ ସ୍ଵର୍ଣ୍ଣପ୍ରଭା। ଜନ୍ମରୁ ୩ ସନ୍ତାନ ଦିବ୍ୟାଙ୍ଗ ବୋଲି ସେମାନେ କହନ୍ତି। ବଡ଼ପୁଅ ଲୋକନାଥ ସାହୁ (୨୦), ମଝିଆ ଝିଅ ଲକ୍ଷ୍ମୀପ୍ରିୟା ସାହୁ (୧୬) ଓ ସାନଝିଅ ପୂନେମା ସାହୁ(୧୩)। ବଡ଼ପୁଅ ଜନ୍ମ ହେବାପରଠାରୁ ଅର୍ଥାତ ୨୦ ବର୍ଷ ହେବ ଏହି ଦମ୍ପତି ସେମାନଙ୍କ ସେବାଶୁଶ୍ରୂଷା କରିଆସୁଛନ୍ତି।
ପ୍ରଥମେ ପୁଅର ସେବା କରୁଥିଲେ। ପରକୁ ପର ଜନ୍ମଗ୍ରହଣ କରିଥିବା ଅନ୍ୟ ଦୁଇ ଭଉଣୀଙ୍କ ମଧ୍ୟ ଅନୁରୂପ ଅବସ୍ଥା ହେବାରୁ ସେମାନଙ୍କୁ ମଧ୍ୟ ସେବା କରୁଛନ୍ତି। ସକାଳ ହେଲେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା, ସ୍ନାନଶୌଚ କରିବା, ଖୁଆଇବା ପିଇବା ଆଦି କାମ ପରିବାର ଲୋକ କରୁଛନ୍ତି।
କ୍ଷୀରୋଦଙ୍କ ପରିବାର ସଦସ୍ୟ ସଂଖ୍ୟା ୭ଜଣ। ତାଙ୍କର ବିଶେଷ ଚାଷଜମି ନାହିଁ। ଗୋବର୍ଦ୍ଧନପୁର ବଜାରରେ ରହିଛି ଗୋଟିଏ ଛୋଟ ଜଳଖିଆ ଦୋକାନ। ସେଥିରୁ ଯାହା ଆୟ ହୁଏ, ଘର ଖର୍ଚ୍ଚକୁ ନିଅଣ୍ଟ। କୌଣସି ପ୍ରକାରେ ତେଲଲୁଣ, ଲୁଗାପଟା ଖର୍ଚ୍ଚ ଉଠୁଛି। ତିନି ଭିନ୍ନକ୍ଷମ ସନ୍ତାନଙ୍କୁ ଚିକିତ୍ସା କରିବା କି ଔଷଧପତ୍ର କିଣିବା ସମ୍ଭବ ହେଉନାହିଁ। ତିନି ସନ୍ତାନଙ୍କ ଆଧାରକାର୍ଡ ନାହିଁ। ଆଙ୍ଗୁଠି ଛାପ, ଆଖିର ଫଟୋ ଆଦି କମ୍ପ୍ୟୁଟରରେ ଗ୍ରହଣ ହେଉନଥିବାରୁ ସେମାନଙ୍କ ଆଧାର କାର୍ଡ ହେଇପାରୁ ନଥିବା ପିତାମାତା କହିଛନ୍ତି। ଏହି କାରଣରୁ ତିନି ପିଲା ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଜନ୍ମ ପ୍ରମାଣପତ୍ର ନଥିବା ଆଳରେ ପୂର୍ଣ୍ଣିମାଙ୍କୁ ଭତ୍ତାରୁ ବଞ୍ଚିତ କରାଯାଇଛି। କାହାରିକୁ ୩ ଚକିଆ ସାଇକେଲ ମଧ୍ୟ ମିଳିନାହିଁ।
ଏମାନଙ୍କର ଆଧାରକାର୍ଡ଼ କରାଇବା ପାଇଁ ପରିବାର ଲୋକେ ନୟାନ୍ତ ହୋଇଗଲେଣି ବୋଲି କହିଛନ୍ତି। ପଞ୍ଚାୟତ, ବ୍ଲକ୍ କାର୍ଯ୍ୟାଳୟ, ଜନସେବା କେନ୍ଦ୍ର ବୋହିନେଉଛି କିନ୍ତୁ ନିରାଶ ହୋଇ ଫେରୁଛୁ ବୋଲି ବାପା କ୍ଷୀରୋଦ କହିଛନ୍ତି। ଏ ବିଷୟରେ ଦାନଗଦୀ ବିଡିଓ ଶାରଦା ପ୍ରସନ୍ନ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଥିଲେ ଯେ ଏହି ତିନି ଭାଇଭଉଣୀଙ୍କ ପାଖରେ ପହଞ୍ଚି ସରକାରୀ ବ୍ୟବସ୍ଥା ଅନୁଯାୟୀ ସହାୟତା କରିବୁ ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/29b6f67b-f4d8-4623-8162-dc3cddad004d.jpg)