ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ରୋଗୀ ସଂଖ୍ୟା ଅନୁସାରେ ଆବଶ୍ୟକ ଆମ୍ବୁଲାନ୍ସ ନଥିବାରୁ ରୋଗୀଙ୍କ ସଂପର୍କୀୟ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଆମ୍ବୁଲାନ୍ସ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ବି ଠିକ୍‌ ସମୟରେ ଆମ୍ବୁଲାନ୍ସ ପହଞ୍ଚିପାରୁନାହିଁ। ଯାହାଫଳରେ ରୋଗୀ ଆମ୍ବୁଲାନ୍ସକୁ ଅପେକ୍ଷା କରି ଶେଷରେ ଜୀବନ ହାରୁଛନ୍ତି। ବହୁ ରୋଗୀଙ୍କ ସଂପର୍କୀୟ ଅଧିକ ଖର୍ଚ୍ଚାନ୍ତ ହୋଇ ଘରୋଇ ଆମ୍ବୁଲାନ୍ସରେ ରୋଗୀଙ୍କୁ ଡାକ୍ତରଖାନା ନେଉଛନ୍ତି। ଆଜି ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ପ୍ରିୟଙ୍କା ସିଂ ନାମକ ଜଣେ ରୋଗୀଙ୍କୁ ଡାକ୍ତର କଟକ ସ୍ଥାନାନ୍ତର କରିଥିଲେ। ହେଲେ ଆମ୍ବୁଲାନ୍ସକୁ ପାଖାପାଖି ୪ ଘଣ୍ଟା ଅପେକ୍ଷା କରିବା ପରେ ବି ଆମ୍ବୁଲାନ୍ସ ଆସିନଥିଲା। ଶେଷରେ ଘରୋଇ ଆମ୍ବୁଲାନ୍ସରେ ଅଧିକ ଖର୍ଚ୍ଚାନ୍ତ ହୋଇ ପରିବାର ଲୋକେ ତାଙ୍କୁ ନେଇଥିଲେ। ସେହିପରି ବୈଦ୍ୟନାଥ ପଣ୍ଡା ନାମକ ଅନ୍ୟ ଜଣେ ରୋଗୀ କଟକ ସ୍ଥାନାନ୍ତର ହୋଇଥିବା ବେଳେ ତାଙ୍କୁ ବି ଆମ୍ବୁଲାନ୍ସ ମିଳିନଥିଲା। ଏମିତି ଆଜି ୫/୬ ଜଣ ରୋଗୀ ଆମ୍ବୁଲାନ୍ସକୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିବ‌ା ବେଳେ କାହାକୁ ବି ଠିକ୍‌ ସମୟରେ ଆମ୍ବୁଲାନ୍ସ ମିଳିନଥିଲା। ସମସ୍ତ ନିୟୋଜିତ ଆମ୍ବୁଲାନ୍ସ ରୋଗୀ ନେବାରେ ବ୍ୟସ୍ତ ଥିଲା। ଏହି ଘଟଣା‌ ଖାଲି ଆଜି ନୁହେଁ, ୫ ମାସ ହେବ ଏଭଳି ସମସ୍ୟା ଲାଗିରହିଛି। ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ଦିନକୁଦିନ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସେହି ଅନୁସାରେ ଅଧିକ ଆମ୍ବୁଲାନ୍ସ ନାହିଁ। ଯାହାଫଳରେ ଏହାର ଫାଇଦା ନେଇ ଘରୋଇ ଆମ୍ବୁଲାନ୍ସ ମାଲିକ ରୋଗୀଙ୍କୁ ଏକପ୍ରକାର ‌ଶୋଷଣ କରୁଛନ୍ତି। କିଛି ବିକଳ୍ପ ବ୍ୟବସ୍ଥା ନଥିବାରୁ ରୋଗୀଙ୍କ ସଂପର୍କୀୟ ବି ଜୀବନ ବଂଚାଇବା ବିକଳରେ ଏଥି‌େର ଶିକାର ହେଉଛନ୍ତି।

Advertisment

ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ପାଇଁ ମୋଟ ୩୯ଟି ଜରୁରୀକାଳୀନ(ଏଏଲ୍‌ଏସ୍‌ ଓ ବିଏଲ୍‌ଏସ୍‌) ୧୦୮ ଆମ୍ବୁଲାନ୍ସ ରହିଥିବା ବେଳେ ୨୯ଟି ୧୦୮ ଜନନୀ ଆମ୍ବୁଲାନ୍ସ ଚାଲୁଛି। ଚାଲୁଥିବା ୩୯ ଆମ୍ବୁଲାନ୍ସ ଭିତରୁ ୨୧ଟି ଏଏଲ୍‌ଏସ୍‌ ଆମ୍ବୁଲାନ୍ସ ରହିଛି। ଏଥିରେ ମୁଖ୍ୟ ଚିକିତ୍ସାଳୟରୁ ୧୧ଟି ଆମ୍ବୁଲାନ୍ସ ଏବଂ ସୋରରୁ ୪ଟି ଆମ୍ବୁଲାନ୍ସ କଟକକୁ ରୋଗୀ ନେବା ପାଇଁ ନିୟୋଜିତ କରାଯାଇଛି। କେବଳ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରୁ ପ୍ରତିଦିନ ୨୫ରୁ ୩୦ ରୋଗୀଙ୍କୁ ସ୍ଥାନାନ୍ତର କରାଯାଉଛି। ପୂର୍ବ ତୁଳନାରେ ସ୍ଥାନାନ୍ତର ରୋଗୀ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ଯାହାଫଳରେ ଏତେ ରୋଗୀଙ୍କୁ ନେବା ପାଇଁ ଠିକ୍‌ ସମୟରେ ଆମ୍ବୁଲାନ୍ସ ଉପଲବ୍ଧ ହେଉନାହିଁ। ଅନ୍ୟପକ୍ଷରେ ସାମାନ୍ୟ ରୋଗରେ ରୋଗୀଙ୍କୁ ସ୍ଥାନାନ୍ତର କରାଯିବା ବି ଆମ୍ବୁଲାନ୍ସ ଅଭାବ ହେବାର ଅନ୍ୟ ଏକ କାରଣ ବୋଲି ଜଣାପଡ଼ିଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଛଅ ମାସ ତଳେ ରାଜ୍ୟ ସରକାର ବାଲେଶ୍ବର ଜିଲ୍ଲାକୁ ୨୨ଟି ନୂତନ ଆମ୍ବୁଲାନ୍ସ ପ୍ରଦାନ ଦେବା ଲାଗି ଘୋଷଣା କରିଥିବା ବେଳେ ଆଜିଯାଏ ଗୋଟିଏ ବି ଆମ୍ବୁଲାନ୍ସ ଆସିଲା ନାହିଁ। ଘୋଷଣା ହୋଇଥିବା ଆମ୍ବୁଲାନ୍ସ ଆସିଥିଲେ ହୁଏତ କିଛିଟା ସମସ୍ୟା ଦୂର ହୋଇପାରନ୍ତା। ତେବେ ନୂତନ ଆମ୍ବୁଲାନ୍ସ କେବେ ଆସିବ ସେ ସଂପର୍କରେ କୌଣସି ସୂଚନା ନଥିବା ବିଭାଗୀୟ ଅଧିକାରୀ କହିଛନ୍ତି। ରୋଗୀ ସଂଖ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ନୂତନ ଆମ୍ବୁଲାନ୍ସ ପ୍ରଦାନ କରିବାକୁ ଦାବି ହୋଇଛି।