ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଘେରି ରହିଥିବା ଘୁଟରୁଖାଲ ଗାଁର ଅଙ୍ଗନୱାଡି କେନ୍ଦ୍ର ଏବେ ଭୁତକୋଠି ପାଲଟିଛି । ଛାତ, କବାଟ କିମ୍ବା ଝରକା ନାହିଁ । ୧୪ ବର୍ଷ ଧରିଅଙ୍ଗନୱାଡି ସହାୟିକାଙ୍କ ଘରେ ଶିଶୁଙ୍କୁ ଶିକ୍ଷାଦାନ କରୁଛନ୍ତି । ଅନ୍ୟ ପକ୍ଷରେ ୮ ବର୍ଷ ହେଲା କେନ୍ଦ୍ର ନିର୍ମାଣ ଚାଲିଛି ହେଲେ ସରିବାର ନାଁ ଧରୁନାଥିବା ଘଟଣା ସରକାରୀ ବ୍ୟବସ୍ଥା ନେଇ ସାଧାରଣରେ ଉଦବେଗର ବିଷୟ ହୋଇଛି ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଥୁଆମୂଳ ରାମପୁର ବ୍ଲକର ୫୨ଟି ପରିବାର ବିଶିଷ୍ଠ ଘୁଟରୁଖାଲ ଗାଁରେ ୩୯ ଜଣ ଆଦିବାସୀ ପରିବାର, ୪ ଟି ଦଳିତ ପରିବାର ଓ ୯ ଟି ଅନ୍ୟାନ୍ୟ ପରିବାର ଜନବସତି କରି ରହି ଆସୁଛନ୍ତି । ପୂର୍ବରୁ ଏହି ଗାଁ ତଲନାଗି ପଞ୍ଚାୟତ ଅଧିନରେ ଥିଲା । ଗତ ୨୦୧୭ ମସିହା ଠାରୁ ଏନ ପୋଡାପଦର ପଞ୍ଚାୟତ ଅଧୀନରେ ଅଛି । ସମ୍ପୂର୍ଣ୍ଣ ଜଳବନ୍ଦୀ ଅବସ୍ଥାରେ ଥିବା ଏହି ଗାଁକୁ ଇନ୍ଦ୍ରାବତୀ ଜଳଭଣ୍ଡାର ସବୁ ଦିଗରୁ ଘେରି ରହିଛି । ଅଞ୍ଚଳବାସୀ କେବଳ ଡ଼ଙ୍ଗା ପାରି ହୋଇ ଯେଉଁ ଆଡେ ମଧ୍ୟ ଯାଇଥାନ୍ତି ।
/sambad/media/post_attachments/wp-content/uploads/2020/09/IMG-20200920-WA0040.jpg)
୨୦୧୨ ମସିହାରେ ଏହି ଗାଁରେ ଏକ ଅଙ୍ଗୱାଡି କେନ୍ଦ୍ର ନିର୍ମାଣ ନିମନ୍ତେ ୫ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା । ଏହି କେନ୍ଦ୍ର ନିର୍ମାଣ ପାଇଁ ଶିବ ନାଏକ ନାମକ ଜଣେ ଯୁବକଙ୍କୁ ନିର୍ମାଣ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଟଙ୍କା ଆସିଲା ଗୃହ କାର୍ଯ୍ୟ ଆରମ୍ଭ ହେଲା ହେଲେ ଆଜି ପର୍ଯ୍ୟନ୍ତ ଏହି କେନ୍ଦ୍ର ନିର୍ମାଣ ସରିବାର ନାଁ ଧରୁନାହିଁ । ଅନ୍ୟପଟେ ଛାତ ଭୁଶୁଡି ଯାଇଥିବା ବେଳେ କବାଟ ଝରକାରେ ଉଇଖାଇ ଭାଙ୍ଗି ଗଲାଣି । ଗତ ୧୪ ବର୍ଷ ହେବ ସହାୟିକା ଘରେ ଶିକ୍ଷାଦାନ ଚାଲିଛି । ଏଠାରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ଖାତିଗୁଡାରେ ରହନ୍ତି । କେବେ କେବେ ଆସନ୍ତି ଓ ହାଜିରା ପକେଇ ଚାଲିଯାଆନ୍ତି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଗର୍ଭବତୀ, କିଶୋରୀ ବାଳିକା ଶିଶୁଙ୍କ କୁପୋଷଣ ଦୂର ତଥା ପ୍ରାକ ବିଦ୍ୟାଳୟ ଏଠାରେ ବାଟବଣା ହୋଇ ରହିଛି । ତୁରନ୍ତ ରାଜ୍ୟ ସରକାର ଏଦିଗରେ ପଦକ୍ଷେପ ନେବାକୁ ଗ୍ରାମବସୀ ମଧ୍ୟରେ ଦାବୀ ହୋଇଛି ।