କୋଭିଡ଼୍ ଯୋଦ୍ଧାଙ୍କୁ ଭୁଲିଗଲେ ସରକାର, ୪ ମୃତକଙ୍କ ପରିବାରକୁ ମିଳିନି ସରକାରୀ ସହାୟତା

କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନାରୁ ମିଳିବନି ସହାୟତା, ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ପାଇଁ ଚାଲିଛି ପ୍ରୟାସ

ରାୟଗଡ଼ା: ଗ୍ରୀନ୍ ଜୋନରୁ ରେଡ୍ ଜୋନ୍। ରେଡ୍ ଜୋନରୁ ପୁଣି ଗ୍ରୀନ୍ ଜୋନ୍। ୪ ମାସର ଲଢ଼େଇ ପରେ କୋଭିଡ଼୍ ମୁକ୍ତ ହୋଇଛି ରାୟଗଡ଼ା ଜିଲ୍ଲା। ଦୈନିକ ସଂକ୍ରମଣ ଏବେ ୩/୪ ରେ ସୀମିତ ରହୁଛି। ଦିନେ ଦିନେ ଜିଲ୍ଲା ସଂକ୍ରମଣ ଶୂନ୍ୟ ହେଉଛି। ଜିଲ୍ଲାକୁ କୋଭିଡ଼୍ ମୁକ୍ତ କରିବା ପଛରେ କରୋନା ମୁକାବିଲା ପାଇଁ ନିୟୋଜିତ ଥିବା ଯୋଦ୍ଧାଙ୍କ ଅବଦାନ ଅତୁଳନୀୟ। ହେଲେ ଶହ ଶହ ସଂକ୍ରମିତଙ୍କ ସେବାକୁ ପ୍ରାଥମିକତା ଦେଇ ନିଜ ଜୀବନକୁ ସଙ୍କଟ ଭିତରକୁ ନେବା ସହ ଆରପାରିକୁ ଚାଲି ଯାଇଥିବା ଯୋଦ୍ଧାଙ୍କୁ ଭୁଲି ଯାଇଛନ୍ତି ସରକାର। ମୃତର ୨/୩ ମାସ ପରେ ମଧ୍ୟ ଏଯାବତ୍ ମୃତକଙ୍କ ପରିବାରକୁ ସରକାରଙ୍କ ଘୋଷଣା ଅନୁଯାୟୀ ମିଳିପାରିନି ସହାୟତା।

ସରକାରଙ୍କ ଘୋଷଣା ମୁତାବକ ରାୟଗଡ଼ା ଜିଲ୍ଲାରେ ଆଜି ସୁଦ୍ଧା କରୋନାରେ ୪୪ ଜଣଙ୍କ ମୃତ୍ୟୁ ହୋଇଛି। ସେଥି ମଧ୍ୟରେ ୪ କୋଭିଡ଼୍ ଯୋଦ୍ଧା ରହିଛନ୍ତି। ଯାହାଙ୍କ ମଧ୍ୟରେ ଶିକ୍ଷକ ଅରୁଣ ଲେଙ୍କା, ଥାନା ଅଧିକାରୀ ରାଜେନ୍ଦ୍ର ଦେହୁରୀ, ବ୍ଲକ୍ ସହକାରୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ, ଫାର୍ମାସିଷ୍ଟ୍ ଅଶୋକ ପାତ୍ର ରହିଛନ୍ତି। କରୋନାରେ ଆଖି ବୁଜିଥିବା ଯୋଦ୍ଧାଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ଯୋଗାଇବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରିଥିଲେ। କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନାରେ ଏହି ସହାୟତା ରାଶି ମୃତକଙ୍କ ପରିବାରକୁ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ କରୋନାର ଶିକାର ହୋଇଥିବା ରାୟଗଡ଼ାର ୪ ଯୋଦ୍ଧାଙ୍କ ପରିବାରକୁ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ ପାଇଁ ଫାଇଲ୍ କେନ୍ଦ୍ରକୁ ଯିବା ପରେ ଗାଇଡ୍ ଲାଇନ୍ ଅନୁଯାୟୀ ଯୋଗ୍ୟ ବିବେଚିତ ହୋଇନଥିଲା।

କୋଭିଡ଼୍ ରୋଗୀଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସି ଆଖି ବୁଜିଥିବା ଯୋଦ୍ଧାଙ୍କୁ ସହାୟତା ରାଶି ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିବା କେନ୍ଦ୍ର ସ୍ପଷ୍ଟ କରିବା ପରେ ଏହି ଯୋଦ୍ଧାଙ୍କ ପରିବାରକୁ ଏବେ ଓଡ଼ିଶା ସରକାର ସହାୟତା ରାଶି ପ୍ରଦାନ ଦିଗରେ ଚେଷ୍ଟା ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ରାଶି ପ୍ରଦାନ ଲାଗି ପ୍ରୟାସ ଚାଲିଥିଲେ ମଧ୍ୟ ଆଜି ସୁଦ୍ଧା କାହାକୁ ମିଳିପାରିନି। ସରକାରଙ୍କ ନିୟମନୁଯାୟୀ ମୃତକଙ୍କ ଲିଗାଲ୍ ହେୟାର ସାର୍ଟିଫିକେଟ୍, ମୃତ୍ୟୁ ପ୍ରମାଣପତ୍ର ସମେତ ଅନ୍ୟ କାଗଜପତ୍ର ସଂପୃକ୍ତ ବିଭାଗରୁ ରାଜ୍ୟ ସରକାରଙ୍କୁ ପଠାଇ ଦିଆଯାଇଛି। ଗୃହ ବିଭାଗ, ପଞ୍ଚାୟତରାଜ ବିଭାଗ, ସ୍କୁଲ୍ ଓ ଗଣଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ବିଭାଗର ପ୍ରଶାସନିକ ଅନୁମୋଦନ ପରେ ୪ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯିବ। ଅକାଳରେ ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ପରିବାର ଲୋକ ଦୁର୍ଦିନରେ ଦିନ କାଟୁଥିବା ବେଳେ ସହାୟତା ପ୍ରଦାନରେ ହେଉଥିବା ବିଳମ୍ବକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଜୁନ୍ ୩ ତାରିଖରେ ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ଏହା ପରେ ସଂକ୍ରମଣ ହାର ବଢ଼ିଥିଲା। ସର୍ବାଧିକ ସଂକ୍ରମଣପ୍ରବଣ ଗଞ୍ଜାମ, ଗଜପତି ଜିଲ୍ଲା ଭଳି ରାୟଗଡ଼ାର ଦୈନିକ ସଂକ୍ରମଣ ୩ ଶହ ଟପି ଯାଇଥିଲା। ଯାହା ଜିଲ୍ଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଓ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା। ମୁକାବିଲା ଲାଗି ଜେକେପୁରରେ ମୁଖ୍ୟ କୋଭିଡ଼୍ ସ୍ବାସ୍ଥ୍ୟକେନ୍ଦ୍ର ସମେତ ଜିଲ୍ଲାରେ ୫ଟି କୋଭିଡ଼୍ କେୟାର ସେଣ୍ଟର ଖୋଲିଥିଲା। ଯେଉଁଥିରେ ସ୍ବାସ୍ଥ୍ୟ, ଶିକ୍ଷା, ପଞ୍ଚାୟତରାଜ ଓ ପୁଲିସ୍ ବିଭାଗର ଅଧିକାରୀ ନିୟୋଜିତ ହୋଇଥିଲେ। ସ୍ବାସ୍ଥ୍ୟ ବିଭାଗକୁ ଛାଡ଼ିଲେ ଯଦିଓ ଅନ୍ୟ ବିଭାଗ କର୍ମଚାରୀ କୋଭିଡ଼୍ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ନଥିଲେ, କିନ୍ତୁ କୋଭିଡ଼୍ କେୟାର ସେଣ୍ଟରରେ ଅନ୍ୟ ଦାୟିତ୍ବ ସବୁ ତୁଲାଇଥିଲେ।

ଏହା ଭିତରେ ବହୁ ସାଧାରଣ ଲୋକଙ୍କ ସହ କୋଭିଡ଼୍ ଯୋଦ୍ଧା କରୋନାରେ ସଂକ୍ରମିତ ହୋଇ ଆରପାରିକୁ ଚାଲି ଯାଇଛନ୍ତି। ସରକାରୀ ସୂତ୍ର ଅନୁଯାୟୀ, ଆଜି ସୁଦ୍ଧା ଜିଲ୍ଲାରୁ ୮୩୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୮୧୯୮ ସୁସ୍ଥ ହୋଇଥିବା ବେଳେ ୭୩ ଚିକିତ୍ସାଧୀନ ଅଛନ୍ତି। ୪୪ ଜଣଙ୍କ ମୃତ୍ୟୁ ହୋଇଛି। କରୋନା ମୁକାବିଲାରେ ନିୟୋଜିତ କୋଭିଡ଼୍ ଯୋଦ୍ଧାଙ୍କ ମଧ୍ୟରୁ ୮୨୫ କରୋନାର ଶିକାର ହୋଇଥିବା ବେଳେ ୮୧୯ ସୁସ୍ଥ ଏବଂ ୨ ଜଣ ଚିକିତ୍ସାଧୀନ ଅଛନ୍ତି। ୪ କୋଭିଡ଼୍ ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର