ରୁସା ଅନୁଦାନର ତିନି ବର୍ଷ ପରେ ବି ସରକାରୀ ମହିଳା କଲେଜରେ ନିର୍ମାଣ ହୋଇପାରିନି ଅଡିଟୋରିୟମ୍

ଜୟପୁର: ତିନି ବର୍ଷ ତଳେ ରୁସା (ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ)ରେ ୭୦ଲକ୍ଷ ବ୍ୟୟ କରି ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଏକ ଅଡିଟୋରିୟମ୍ ନିର୍ମାଣ ପାଇଁ ଯୋଜନା କରାଯାଇଥିଲା। ରୁସା ପ୍ରଥମ କିସ୍ତି ଭାବେ ୩୫ଲକ୍ଷ ପୂର୍ତ୍ତ ବିଭାଗକୁ ଦେଇଥିଲା। ତେବେ ତିନି ବର୍ଷ ପରେ ବି ଏହା ନିର୍ମାଣ ହୋଇପାରିନି। ଏହା କେବଳ ବିଭାଗର ଡ୍ରଇଁ ଓ ଏସ୍ଟିମେଟ ମଧ୍ୟରେ ସୀମିତ ହୋଇ ରହିଯାଇଛି। ସୂଚନାଯୋଗ୍ୟ, କଲେଜ ପକ୍ଷରୁ ଏକ ହଜାର ସିଟ୍ ବିଶିଷ୍ଟ ଅଡିଟୋରିୟମ ନିର୍ମାଣ ପାଇଁ ରୁସାକୁ ପ୍ରସ୍ତାବ ଦେଇଥିଲେ। ଅନୁଦାନ ଅର୍ଥ ଓ ପ୍ରସ୍ତାବ ପାଇବା ପରେ ଗତ ୨୦୧୯ ପେବୃଆରୀରେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ.ଭାସ୍କର ଚନ୍ଦ୍ର ସାମନ୍ତରାୟ, ଏସଡିଓ ଇଂ.ବିଜୟ କୁମାର ବେହେରା, ରୁସା ଅନୁଦାନର ସଂଯୋଜକ ବିବେକାନନ୍ଦ ସୁନା, ଅଧ୍ୟାପକ ଡ.ମନୋରଂଜନ ପ୍ରଧାନ ଯେଉଁ ସ୍ଥାନରେ ଏହା ନିର୍ମାଣ କରିବା ଯୋଜନା ରହିଥିଲା ତାହାର ତଦାରଖ କରିଥିଲେ।

ତା ପର ଠାରୁ ଆଉ କାମ କିଛି ଆଗେଇ ପାରିନଥିବା କହିଛନ୍ତି ରୁସା ଅନୁଦାନର ସଂଯୋଜକ ଶ୍ରୀ ସୁନା ଓ କଲେଜର ଅଧ୍ୟକ୍ଷା ଡ.ମନୋରମା ଦେବୀ। ବାରମ୍ବାର ବିଭାଗକୁ ଚିଠି ଦିଆ ହିଁ ଚାଲିଛି ବୋଲି କହିଛନ୍ତି। ତେବେ ପ୍ରସ୍ତାବିତ ସ୍ଥାନରେ ଯେଉଁଭଳି ଭାବେ ଅଡିଟୋରିୟମ୍ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା ସେତେ ବଡ ଜମି ନଥିବାରୁ ଏହାକୁ ଏକ ହଜାର ସ୍ଥାନରେ ୩୦୦ ଜଣ ବସିବା ଭଳି କରାଯିବାର ଯୋଜନା କରାଯାଇଛି ବୋଲି କହିଛନ୍ତି ଏସଡିଓ ଇଂ.ବେହେରା। ଅଡୋଟରିୟମର ପ୍ରଥମ ଡ୍ରଇଁ ଆସିଥିଲା। ଏହା ପରେ ବିଭାଗ ପକ୍ଷରୁ ନିର୍ମାଣ ପାଇଁ ଏସ୍ଟିମେଟ୍ କରାଯାଇଥିଲା।

ତେବେ ବର୍ତ୍ତମାନର ବଜାର ଦରକୁ ଦୃଷ୍ଟିରେ ରଖି ଏହାକୁ ନିର୍ମାଣ ପାଇଁ ୫କୋଟି ଖର୍ଚ୍ଚର ବଜେଟ ହୋଇଥିଲା। ଏ ନେଇ ପୂର୍ତ୍ତବିଭାଗ ପକ୍ଷରୁ ଅଧ୍ୟକ୍ଷାଙ୍କୁ ଅବଗତ କରାଯାଇଥିଲା। ତେବେ ରୁସା ଅନୁଦାନ ଯେତିକି ଆସିଛି ସେତିକିରେ ହିଁ ନିର୍ମାଣ କରିବାକୁ ସେ ପରାମର୍ଶ ଦେଇଥିବା କହିଛନ୍ତି ଏସଡିଓ। ରାଜ୍ୟର ମୁଖ୍ୟ ଆର୍କିଟେକ୍ଟ ମଧ୍ୟ ଏଠାକୁ ଆସି ପରିଦର୍ଶନ କରି ଅନୁଦାନ ଅର୍ଥ ମଧ୍ୟରେ କିଭଳି ନିର୍ମାଣ କରାଯିବ ସେ ନେଇ ପରାମର୍ଶ ଦେଇଥିବା କହିଛନ୍ତି ଏସଡିଓ। ୨ୟ ଡ୍ରଇଁ ଆସିବା ପରେ ଟେଣ୍ଡର ଆହ୍ବାନ କରାଯାଇ ତୁରନ୍ତ କାମ ଆରମ୍ଭ ହେବ ବୋଲି କହିଛନ୍ତି ଏସଡିଓ।

ସମ୍ବନ୍ଧିତ ଖବର