ଟ୍ରାକ୍‌ ଯନ୍ତ୍ରଣା: କଳାହାଣ୍ଡି ଜିଲ୍ଲାର ରେଳ ଷ୍ଟେସନମାନଙ୍କରେ କେଉଁଠି ବି ନାହିଁ ଅଟୋ ସିଗନାଲ ବ୍ୟବସ୍ଥା

କଳାହାଣ୍ଡି ଜିଲ୍ଲା ପାଇଁ ବିଭାଗ କେତେ ତତ୍ପର? ଯାତ୍ରୀଙ୍କ ସୁରକ୍ଷା ପାଇଁ ବିଭାଗ ଉଦାସୀନ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ରେଳ ବିଭାଗ ଯାତ୍ରୀଙ୍କ ସୁରକ୍ଷା ପାଇଁ କେତେ ଉଦାସୀନ, ତାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ରେଳ ବିଭାଗ ପକ୍ଷରୁ ପ୍ରସ୍ତାବିତ ବହୁ ପ୍ରକଳ୍ପ ଅଟକି ରହିଛି। ଜିଲ୍ଲାର ରେଳ ଷ୍ଟେସନମାନଙ୍କରେ ଅଟୋ ସିଗନାଲ ବ୍ୟବସ୍ଥା ନାହିଁ। ଏହା କେବଳ ମାନୁଆଲ ଭାବରେ ଚାଲିଛି। ରେଳ ବିଭାଗର ଆଧୁନିକୀକରଣ କଳାହାଣ୍ଡି ଜିଲ୍ଲାରେ ଫେଲ ମାରିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ଯାତ୍ରୀଙ୍କ ସୁରକ୍ଷା ପାଇଁ କ୍ଷେତ୍ର କର୍ମଚାରୀ ନିୟମିତ ରେଳ ଟ୍ରାକ ପରିଦର୍ଶନ କରୁନାହାନ୍ତି।

ଲାଞ୍ଜିଗଡ଼ ରୋଡ଼ –ଜୁନାଗଡ଼ ରୋଡ଼ ବିଭାଗରେ ଆବଶ୍ୟକ ଅନୁଯାୟୀ କର୍ମଚାରୀଙ୍କୁ ଦାୟିତ୍ବ ଦିଆଯାଇ ନାହିଁ। ଯେଉଁଠି ଟ୍ରାଫିକ କମ ରହିଛି, ସେଠାରେ ଅଧିକ କର୍ମଚାରୀ ନିୟୋଜିତ ଥିବାବେଳେ ଅଧିକ ଟ୍ରାଫିକ ଥିବା ସ୍ଥାନରେ ଆବଶ୍ୟକତାଠାରୁ କମ କର୍ମଚାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଅଧିକାରୀ ଏବଂ କର୍ମଚାରୀମାନେ ଲାଞ୍ଜିଗଡ଼ ରୋଡ –ଜୁନାଗଡ଼ ରୋଡରେ ସୁରକ୍ଷା ବ୍ୟବସ୍ଥା ଖୋଲାଖୋଲି ଭାବେ ଉଲ୍ଲଂଘନ କରୁଛନ୍ତି। ଜିପିଏସ୍ ଟ୍ରାକିଂ ସିଷ୍ଟମ୍ ଓ ମନିଟରିଂ ସଠିକ୍ ଭାବରେ କାମ କରୁନାହିଁ। ପରମାନନ୍ଦପୁର ଗ୍ରାମ, ଭବାନୀପାଟଣା ଜାତୀୟ ରାଜପଥ ୨୬ରେ ଏବଂ ଗୋହିରାପଦର ନିକଟ ଗୁଗୁବାହାଲି ଗ୍ରାମରେ ଏସଏଚ ୬ଏରେ କୈାଣସି ରୋଡ ଓଭର ବ୍ରିଜ ନାହିଁ। ଏଥିପାଇଁ ୧୯୯୪ ମସିହାରେ ଜମି ଅଧିଗ୍ରହଣ ହୋଇଛି।

Samachar Just Click

୧୯୯୫ରେ ଲାଞ୍ଜିଗଡ଼ ରୋଡ – ଜୁନାଗଡ଼ ରୋଡ଼ ରେଳପଥ ପାଇଁ ନିର୍ମାଣ ବିଭାଗ ଡେପୁଟି ଚିଫ ଇଞ୍ଜିନିୟର ରାୟଗଡାକୁ ଜମି ହସ୍ତାନ୍ତର କରାଯାଇଛି। ଭଙ୍ଗାବାରୀ ଏବଂ ପରମାନନ୍ଦପୁର ଗାଁର ରେଳବାଇର ବିନା ଅନୁମତିରେ ପୂର୍ତ୍ତବିଭାଗ ଏହା ଉପରେ ରାସ୍ତା ନିର୍ମାଣ କରିଥିବାରୁ ସିଗନାଲ ସିଷ୍ଟମର ଗ୍ରାଉଣ୍ଡ କେବୁଲ ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି। ପ୍ରାୟ ସମସ୍ତ ସୀମିତ ଉଚ୍ଚତା ସବ୍‌ୱେ ଏଲଏଚଏସ ଖରାପ ଅବସ୍ଥାରେ ରହିଛି। ଗ୍ରୀଷ୍ମ ଋତୁରେ ମଧ୍ୟ ଉଦେପୁର ଗ୍ରାମରେ ଏଲଏଚଏସରେ ପାଣି ଜମି ରହୁଛି। ଏଥିପ୍ରତି କାହାରି ନିଘା ନାହିଁ। ଲାଞ୍ଜିଗଡ ରୋଡ଼ –ଜୁନାଗର ରୋଡ଼, ଜି. ରାମଚନ୍ଦ୍ରପୁର, ଦେପୁର, କୁଟ୍ରୁଖମାରରେ ନିର୍ମାଣ ହୋଇଥିବା କ୍ୱାର୍ଟର ଗୁଡ଼ିକୁ କର୍ମଚାରୀଙ୍କୁ ଏପର୍ଯ୍ୟନ୍ତ ଆବଣ୍ଟିତ କରାଯାଇନାହିଁ। ଏଥିଯୋଗୁଁ କର୍ମଚାରୀ ପ୍ରାୟତଃ ରହୁନାହାଁନ୍ତି। କେବଳ ଡ୍ୟୁଟି ସମୟରେ ଆସି ଫେରି ଯାଉଛନ୍ତି।

ଭବାନୀପାଟଣା ରେଳ ଷ୍ଟେସନର ନବୀକରଣ ନିମନ୍ତେ ଅର୍ଥମଞ୍ଜୁର ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ। ଏଥିନିମନ୍ତେ ୨୦୨୨ ଅକ୍ଟୋବର ମାସରେ ଟେଣ୍ଡର ମଧ୍ୟ ଆହ୍ବାନ ସରିଛି। ନର୍ଲାରୋଡ଼ରେ ପ୍ରସ୍ତାବିତ ଓଭର ବ୍ରିଜ ମଧ୍ୟ ରେଳ ବିଭାଗର ମଞ୍ଜୁରି ଅପେକ୍ଷାରେ ଥିଲେ ମଧ୍ୟ କୈାଣସି ପଦକ୍ଷେପ ନିଆଯାଉନାହିଁ। ଲାଞ୍ଜିଗଡ ରୋଡ଼ରୁ ଭବାନୀପାଟଣା ପର୍ଯ୍ୟନ୍ତ ୩୫ କି.ମି. ପ୍ରତିଘଣ୍ଟା ଟ୍ରେନର ଗତି ଥିବାବେଳେ ଭବାନୀପାଟଣାରୁ ଜୁନାଗଡ଼ ପର୍ଯ୍ୟନ୍ତ ଘଣ୍ଟା ପ୍ରତି ୭୫ କି.ମି. ବେଗ ନିର୍ଘଣ୍ଟ ହୋଇଛି। ରେଳବାଇର ଗାଇଡ୍‌ ଲାଇନ ଅନୁଯାୟୀ ସର୍ବନିମ୍ନ ଘଣ୍ଟା ପ୍ରତି ୧୩୦ କି.ମି. ଟ୍ରେନର ଗତି ଥିବାବେଳେ ଏଠାରେ ଧାର୍ଯ୍ୟ ନିର୍ଘଣ୍ଟରୁ ମଧ୍ୟ କମ ଗତି ତଦନ୍ତ ସାପେକ୍ଷ ଅଟେ। ଜି.ରାମଚନ୍ଦ୍ରପୁର, ଦେପୁର ଏବଂ କୁଟ୍ରୁଖମାରରେ ଥିବା ପ୍ଲାଟଫର୍ମ ହଲ୍ଟ ଗୁଡିକୁ ଏପର୍ଯ୍ୟନ୍ତ ରେଳ ଷ୍ଟେସନର ନବୀକରଣ ହୋଇନାହିଁ। ଏଥିଯୋଗୁଁ ‌ଟ୍ରେନ କ୍ରସିଂ ନିମନ୍ତେ ଭବିଷ୍ୟତରେ ସମସ୍ୟା ଦେଖା‌ଦେବ। ମାଲଗାଁ ପଞ୍ଚାୟତ ଅନ୍ତର୍ଗତ କର୍ଲାକୋଟ ଗ୍ରାମରେ ୬ଟି ଗାଁ ରାସ୍ତା ସଂଯୋଗ ହେଉଛି। ଏଲଏଚଏସ ସୀମିତ ଉଚ୍ଚତା ସବୱେର ଉଭୟ ପାର୍ଶ୍ୱରେ ଏପ୍ରୋଚ ରାସ୍ତା ନାହିଁ। ତେଣୁ ରେଳ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର