ଭିନ୍ନକ୍ଷମଙ୍କୁ ଆବାସ ଅପହଞ୍ଚ, ଦୋକାନ ବାରଣ୍ଡାରେ ବିତୁଛି ୩ ପ୍ରାଣୀ କୁଟୁମ୍ବଙ୍କ ଜୀବନ

 ବ୍ଲକ୍ ଅଫିସକୁ ଦୌଡ଼ି ଦୌଡ଼ି ଥକିଲେଣି କୁମାରୀ, ଭତ୍ତା ଓ ୩୫ କେଜି ଚାଉଳରେ ଚାଲିଛି ସଂସାର

ରାୟଗଡ଼ା : ସ୍ବାମୀ କରିଥିବା ଘର ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିଗଲା। ଘର ମରାମତି ତ ଦୂରର କଥା ଦିନକୁ ଦି ଓଳି ପେଟକୁ ଦାନା ଯୋଗାଡ଼ କରିବା ଅସମ୍ଭବ ହୋଇ ପଡୁଛି। ସରକାରୀ ସହାୟତା ବାବଦକୁ ମିଳୁଥିବା ଭତ୍ତା ଟଙ୍କା, ମାସିକ ୩୫ କେଜି ଚାଉଳରେ ୩ ପ୍ରାଣୀ କୁଟୁମ୍ବଙ୍କ ସଂସାର ଚାଲିଥିବା ବେଳେ ବହୁ ନେହୁରା ସତ୍ତ୍ବେ ଭିନ୍ନକ୍ଷମ କୁମାରୀଙ୍କ ପରିବାର ପାଇଁ ଆବାସ ଯୋଜନା ପାଲଟିଛି ଅପହଞ୍ଚ। ବ୍ଲକ୍ ଅଫିସକୁ ଦୌଡ଼ି ଦୌଡ଼ି କୁମାରୀ ନିରାଶ ହେବା ପରେ ୮୦ ବର୍ଷିୟା ବୃଦ୍ଧା ଶାଶୁ ଓ ୭ ବର୍ଷର ପୁଅ ସହ ଏବେ ଦୋକାନ ବାରଣ୍ଡାରେ ଦିନ କାଟୁଛନ୍ତି।

ଗୁଣପୁର ବ୍ଲକ୍ ଡମ୍ବସରା ପଞ୍ଚାୟତ ପନ୍ଦରା ସାହିରେ ରହୁଛନ୍ତି ଭିନ୍ନକ୍ଷମ କୁମାରୀ ଦାମୋଦର । ଗତ ୫/୬ ବର୍ଷ ତଳେ ସ୍ବାମୀ ନୀଳାଦ୍ରି ଦାମୋଦରଙ୍କ ମୃତ୍ୟୁ ପରେ ପରିବାର ବୋଝ ପଡିଛି କୁମାରୀଙ୍କ ମୁଣ୍ଡ ଉପରେ। କୁମାରୀ ଭିନ୍ନକ୍ଷମ ହୋଇଥିବାରୁ ସ୍ବାମୀଙ୍କ ମୃତ୍ୟୁ ପରେ ପରିବାର ଚଳାଇବା କଷ୍ଟକର ହୋଇ ପଡିଛି। ଜମିବାଡ଼ରେ କାମ କରିବା ଛଡ଼ା ଅନ୍ୟ କିଛି କାମ କୁମାରୀଙ୍କ ମିଳୁନଥିବାରୁ ମାସର ଅଧା ଦିନ ଘରେ ବସି ରହୁଛନ୍ତି। ଫଳରେ ବୟସ୍କ ଶାଶୂ ସହ ପୁଅକୁ ଧରି ଦିନ ବିତାଇବା କୁମାରୀଙ୍କ ପାଇଁ କାଠିକର ସଦୃଶ୍ୟ ହୋଇଛି। ଗତ କିଛି ବର୍ଷ ତଳେ ବର୍ଷା, ପବନରେ କୁମାରୀଙ୍କ ଘର ଭାଙ୍ଗିରୁଜି ଯିବା ପରେ ଏବେ ୩ ପ୍ରାଣୀ କୁଟୁମ୍ବ ଦୋକାନ ଘର ବାରଣ୍ଡାରେ ଦିନ କାଟୁଛନ୍ତି। ଯାହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଆବାସ ଯୋଜନାରେ ଘର ଖଣ୍ଡିଏ ପ୍ରଦାନ ପାଇଁ ସରପଞ୍ଚଙ୍କ ସମେତ ବ୍ଲକ୍ କର୍ତ୍ତୃପକ୍ଷଙ୍କ ବାରମ୍ବାର ନିବେଦନ କରିଛନ୍ତି କୁମାରୀ। ହେଲେ କାହାରି କାନରେ କୁମାରୀଙ୍କ ଡାକ ପଡିନାହିଁ। ବିଭିନ୍ନ ସମୟରେ ବିଭିନ୍ନ ଆଳ ଦେଖାଇ ପ୍ରଶାସନିକ କର୍ତ୍ତୃପକ୍ଷ କୁମାରୀଙ୍କ ନିବେଦନକୁ ପ୍ରତ୍ୟାଖାନ କରି ଆସିଛନ୍ତି। ଗତ ବର୍ଷ କରୋନା ପୂର୍ବରୁ ମଧ୍ୟ କୁମାରୀ ଆବାସ ପାଇଁ ବ୍ଲକ୍ ଅଫିସରେ ଆବେଦନ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ କୁମାରୀଙ୍କ ଆବେଦନକୁ ସରକାରୀ ଅନୁମୋଦନ ମିଳିପାରିନି। ସରକାରୀ ସ୍ତରରେ କୁମାରୀ ଅବହେଳାର ଶିକାର ହେବା ପରେ ଦିନ ମଜୁରିଆ ଭାବେ କାମ କରି ପରିବାରକୁ ସ୍ବାବଲମ୍ବୀ କରିବା ପାଇଁ କୁମାରୀଙ୍କ ଇଚ୍ଛା ରହିଛି। କିନ୍ତୁ ଭିନ୍ନକ୍ଷମ ଯୋଗୁ କୌଣସି ବଡ଼ କାମ କିମ୍ବା ନିର୍ମାଣଧୀନ କାମରେ କୁମାରୀଙ୍କୁ ସାମିଲ୍ କରିବାକୁ କେହି ରାଜି ହେଉନାହାନ୍ତି। ଫଳରେ ଭାଗ୍ୟକୁ ନିନ୍ଦି ଦୁର୍ଦିନରେ ଦିନ କାଟୁଛନ୍ତି କୁମାରୀ। ସାହି, ପଡୋଶୀ ଲୋକ ମାସର ଅଧା ଦିନ ଏହି ପରିବାରକୁ ସହାୟତାର ହାତ ବଢ଼ାଉ ଥିବାରୁ ଅସୁବିଧା ସତ୍ତ୍ବେ କୁମାରୀ ବୃଦ୍ଧା ଶାଶୁ ସହ ଜୀବନ ଜିଇଁ ଆସୁଛନ୍ତି। ଅନ୍ୟପକ୍ଷରେ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ କୁମାରୀ ରାୟଗଡ଼ା ଆସିପାରୁନଥିବାରୁ ଆଜି ପର୍ଯ୍ୟନ୍ତ ପ୍ରମାଣପତ୍ର ମଧ୍ୟ ହସ୍ତଗତ ହୋଇପାରିନି। ଜିଲ୍ଲା ପ୍ରଶାସନ କୁମାରୀଙ୍କ ଆବେଦନକୁ ଗୁରୁତର ସହ ବିଚାର କରି ତୁରନ୍ତ ଆବାସ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର