ଆବାସ, ଭତ୍ତାରୁ ବଞ୍ଚିତ, ବିଡିଓଙ୍କୁ ଫେରାଦ୍ ହେଲେ ହିତାଧିକାରୀ

ପୁରୁଷୋତ୍ତମପୁର: ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଅଧୀନ ସମା ପଞ୍ଚାୟତରେ ଆବାସ ଯୋଜନା, ବିଧବା ଭତ୍ତା ଓ ରାସନକାର୍ଡ଼ରୁ ବଞ୍ଚିତ ୧୫ରୁ ଅଧିକ ହିତାଧିକାରୀ ମଙ୍ଗଳବାର ବିଡିଓ ବିଜୟ କୁମାର ବେହେରାଙ୍କୁ ଫେରାଦ୍ ହୋଇଛନ୍ତି। ହିତାଧିକାରୀଙ୍କ ଅଭିଯୋଗ ଅନୁସାରେ, ସେମାନେ ଆବେଦନ କରିଥିଲେ ବି ଯୋଜନାରେ ସାମିଲ ହୋଇପାରୁନାହାନ୍ତି। ସମା ପଞ୍ଚାୟତରେ ବିନା ହାତଗୁଞ୍ଜା ଓ ପିସିରେ ଫାଇଲ୍ ଘୁଞ୍ଚୁନି ବୋଲି ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି।

ଆବାସ ଯୋଜନା ପାଇଁ ପ୍ରତିମା ମହାରଣା, ପୁରୁଷୋତ୍ତମ ମହାରଣା, ସୁକାନ୍ତି ପଲେଇ, ଡ୍ରାଇଭର ରାୟ, ଲିଲି ବେହେରା ଓ ରେବତୀ ବେହେରା ଆବେଦନ କରିଛନ୍ତି। ସେହିପରି କସ୍ତୁରୀ ବେହେରା, ସୁନ୍ଦରୀ ରାୟ, ଶାନ୍ତି ପ୍ରଧାନ ଓ ସୋଲି ବେହେରା ଭତ୍ତା ପାଇଁ ଆବେଦନ କରିଥିଲେ। କିନ୍ତୁ ଏଯାଏ ସେମାନଙ୍କୁ ଭତ୍ତା ମିଳୁନି କି ଆବାସ ଯୋଜନାରେ ସାମିଲ କରାଯାଇ ନଥିବା ଅଭିଯୋଗ ହୋଇଛି। କିଛି ବିଧବା ଓ ବେସାହାରା ମହିଳା ପାଇଁ ଭତ୍ତା ପାଇଁ ଆବେଦନ କରିଥିଲେ ବି କୌଣସି ସୁଫଳ ମିଳୁନି। ଏହି ଅଭିଯୋଗ ଆଣି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡାଙ୍କ ନେତୃତ୍ବରେ ହିତାଧିକାରୀ ମାନେ ବିଡିଓଙ୍କ ଦ୍ବାରସ୍ଥ ହୋଇଥିଲେ। ବିଡିଓ କହିଛନ୍ତି, ଅଭିଯୋଗର ତଦନ୍ତ ହେବ। ସତ୍ୟାସତ୍ୟ ଜାଣିବାକୁ ଜିଲ୍ଲା ପ୍ରଶାସନର ଅନୁମ‌ୋଦନ ପରେ ଯୋଗ୍ୟ ହିତାଧିକାରୀ ଚୟନ କରାଯିବ।

ସମ୍ବନ୍ଧିତ ଖବର