ଆବାସ ଯୋଜନା କାହା ସ୍ବାର୍ଥରେ ? ପଲିଥିନ୍ ତଳେ ଜୀବନ କାଟୁଛନ୍ତି ଦମ୍ପତି

ଚକାପାଦ : କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ହେଉ  କିମ୍ବା ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଯୋଜନା, ଗରିବ ଲୋକ ଉପକୃତ ହେଉଛନ୍ତି ବୋଲି ଉଭୟ ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ଗତ ଆଠ ବର୍ଷ ହେବ ପଲଥିନ୍ ତଳେ ଏକ ଦମ୍ପତି ଜୀବନ କାଟୁଥିବା ବେଳେ ଆବାସ ଖଣ୍ଡିଏ ମିଳିପାରୁ ନାହିଁ। ଏମିତି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଶଙ୍କରାଖୋଲ ଗ୍ରାମର ଶୁଣ୍ଢି ସାହିରେ। ସାହିର ରିନି ଓ ଗୌରୀ ପ୍ରଧାନ ଆଠବର୍ଷ ହେବ ଭଙ୍ଗା ଦଦରା ପଲଥିନ୍ କୁଡ଼ିଆ ତଳେ ରହି ଆସୁଛନ୍ତି।  ଦୁଇଥର ଆବାସ ପାଇବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ଆବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ସରକାରୀ ସହାୟତା ଭାବେ ୩୫ କିଲୋ ଚାଉଳ ମିଳୁଛି। ପରିବାର କହିଲେ ସ୍ବାମୀ, ସ୍ତ୍ରୀ ଓ ୩ ଝିଅ। ଗୌରୀ ମୂଲକାମ କରି ପରିବାର ଚଳାଉଥିବା ବେଳେ ରିନି ମାନସିକ ବ୍ୟାଧିରେ ଆକ୍ରାନ୍ତ। ତାଙ୍କ ବଡ଼ ଝିଅକୁ ମାମୁ ଘର ଲୋକେ ପାଖରେ ରଖିଥିବା ବେଳେ ଅନ୍ୟ ଝିଅଟି ବାଲିଗୁଡ଼ା ସ୍ଥିତ ବନବାସୀ ସେବାଶ୍ରମରେ ରହୁଛି। ସାନ ଝିଅ ବଲାଙ୍ଗୀରର ଇଟାଭାଟିରେ କାମ କରୁଥିବା ଲୋକେ‌ ନେଇ ଯାଇଛନ୍ତି। ଏନେଇ ସରପଞ୍ଚ ଚିତ୍ର କହଁରଙ୍କୁ ଯୋଗାଯୋଗ କରିବାରୁ ରିନିଙ୍କ ନାମ ଏସିସି ତାଲିକାରେ ନଥିବାରୁ ଆବାସ ଗୃହ ମିଳିପାରୁ ନାହିଁ ବୋଲି କହିଥିଲେ। ଏହାକୁ ନେଇ ଚକାପାଦ ବିଡିଓ ଅନୀଲ କୁମାର ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରୁ ବର୍ତ୍ତମାନ ନୂଆ ତାଲିକା ଆସିଛି। ଦେଖିବା ପରେ ଆବାସ ଯୋଗାଇ ଦିଆଯିବ ବୋଲି କହିଥିଲେ। ଅନ୍ୟପକ୍ଷରେ ଏହି ଦମ୍ପତିଙ୍କୁ ସରକାରୀ ସହାୟତା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।
ସମ୍ବନ୍ଧିତ ଖବର