ସୁନ୍ଦରଗଡ଼: ୪ଟି ପଞ୍ଚାୟତର ଦେଢ଼ ଲକ୍ଷ ଲୋକଙ୍କ ପାଇଁ ନାହିଁ ଜାତୀୟ ବ୍ୟାଙ୍କ ସୁବିଧା। ଟଙ୍କା ଉଠାଇବାକୁ ଲୋକଙ୍କୁ ୧୫ କିଲୋମିଟର ଦୂରକୁ ଆସିବାକୁ ପଡ଼େ। ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ମଙ୍ଗସପୁର, ଯୋଗୀମାଲ, ନିଆଲିପାଲି, ରେମଣ୍ଡା ପଞ୍ଚାୟତରୁ। ସ୍ବୟଂ ସହାୟିକା ଗୋଷ୍ଠୀ ହୁଅନ୍ତୁ କି ସରକାରୀ ଯୋଜନାର ହିତାଧିକାରୀ, ଅଥବା ପଞ୍ଚାୟତ କି ସାଧାରଣଲୋକଙ୍କ ସମସ୍ତ ପ୍ରକାର ଆର୍ଥିକ ଦେଣନେଣ ବ୍ୟାଙ୍କ ଓ ଏଟିଏମ୍ ଜରିଆରେ ହେଉଛି। ଏସ୍ଥିତିରେ ସରକାର ଦ୍ବାରମୁହଁରେ ବ୍ୟାଙ୍କ ସେବାକୁ ଜୋର୍ ଦେଉଥିବା ବେଳେ ଏସବୁ ପଞ୍ଚାୟତରେ ବ୍ୟାଙ୍କ ସେବା ନପହଞ୍ଚିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଅବସରରେ ପ୍ରଭାବିତ ଅଞ୍ଚଳର ଯୁବକ ଶୁଭମ ମହାପାତ୍ର, ବେଣୁମାଧବ ପୃଷେଠ, ସୂର୍ଯ୍ୟକାନ୍ତ ମନ୍ଦୋଦରୀ, ଅରୁଣ ପଟେଲ, ସୁଶୀଳ ସାହୁ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଜାତୀୟ ବ୍ୟାଙ୍କ ଓ ଏଟିଏମ ପାଇଁ ନିବେଦନ କରିଛନ୍ତି। ୪ ପଞ୍ଚାୟତରେ ୪ ଶହରୁ ଅଧିକ ସ୍ବୟଂ ସହାୟିକା ଗୋଷ୍ଠୀ ଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଓ ଅନ୍ୟ ସରକାରୀ ଯୋଜନାର ଶତାଧିକ ହିତାଧିକାରୀ ସହ ଅନ୍ୟ ସାଧାରଣଲୋକ ଆର୍ଥିକ ଦେଣନେଣ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଙ୍ଗସପୁରରେ ଏକ ଘରୋଇ ବ୍ୟାଙ୍କ ଥିଲେ ମଧ୍ୟ ତାହା ଲୋକଙ୍କୁ ଆବଶ୍ୟକତା ଅନୁସାରେ ସେବା ଦେଇ ପାରୁ ନଥିବା ଅଭିଯୋଗ ହୋଇଛି। ତେଣୁ ୪ ପଞ୍ଚାୟତକୁ ଜାତୀୟ ବ୍ୟାଙ୍କ ସେବା ସହ ଏଟିଏମ୍ ସୁବିଧା ଦେବାକୁ ଦାବି ହୋଇଛି।
୪ ପଞ୍ଚାୟତ ପାଇଁ ନାହିଁ ଜାତୀୟ ବ୍ୟାଙ୍କ ସୁବିଧା: ଟଙ୍କା ଉଠାଇବାକୁ ଯିବାକୁ ପଡ଼େ ୧୫ କିଲୋମିଟର
/sambad/media/post_attachments/wp-content/uploads/2022/11/bank.jpg)