ଖୋର୍ଦ୍ଧାରେ ପହଞ୍ଚିନାହିଁ ବାର୍ଡଫ୍ଲୁ , ପରୀକ୍ଷା ପାଇଁ ପଠାଯାଇଛି ୩୪୦ ନମୁନା, ଚଳିତ ସପ୍ତାହରେ ୨୦୦ ନମୁନା ସଂଗ୍ରହ ହୋଇଛି

ଖୋର୍ଦ୍ଧା : କେରଳରେ ବାର୍ଡଫ୍ଲୁ ଦେଖା ଦେଇଛି । ଏହି ସମୟରେ ଖୋର୍ଦ୍ଧାରେ ବିଦେଶାଗତ ପକ୍ଷୀଙ୍କ ଆଗମନ ଯୋଗୁଁ ବାର୍ଡଫ୍ଲୁର ସମ୍ଭାବନା ରହିଥିଲେ ମଧ୍ୟ ଚଳିତ ବର୍ଷ ଏହା କୌଣସି ସ୍ଥାନରେ ବର୍ତମାନ ସୁଦ୍ଧା କୁକୁଡ଼ାଙ୍କୁ ସଂକ୍ରମିତ ହୋଇନାହିଁ ବୋଲି ଜିଲ୍ଲା ପ୍ରାଣୀଧନ କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି ।

ଖୋର୍ଦ୍ଧାରେ ପ୍ରତିବର୍ଷ ଅକ୍ଟୋବର ମାସରୁ ବିଦେଶାଗତ ପକ୍ଷୀଙ୍କ ସହ ବାର୍ଡଫ୍ଲୁ ସଂକ୍ରମଣର ଆଶଙ୍କା ମଧ୍ୟ ବଢ଼ିଯାଇଥାଏ । ଚଳିତ ବର୍ଷ ବିଦେଶାଗତ ପକ୍ଷୀଙ୍କ ଆସିବା କିଛି ସପ୍ତାହ ବିଳମ୍ବ ଘଟିଥିଲା । ତେବେ ନଭେମ୍ବର ମାସ ଠାରୁ ପକ୍ଷୀଙ୍କ ଆସିବା ବହୁ ପରିମାଣରେ ବୃଦ୍ଧି ପାଇଛି । ଏଭଳି ସମୟରେ ଦେଶର କେରଳ ସମେତ କେତେକ ଦକ୍ଷିଣ ଭାରତର ରାଜ୍ୟରେ କୁକୁଡ଼ାଙ୍କ ଠାରେ ବାର୍ଡ ଫ୍ଲୁ ସଂକ୍ରମଣ ଦେଖାଦେବା ପରେ ଜିଲ୍ଲାରେ ଏନେଇ ସଜାଗ ରହିବାକୁ ନିଦେ୍ର୍ଦଶ ଦିଆଯାଇଛି । ଅପରପକ୍ଷରେ, ବାର୍ଡଫ୍ଲୁ ସଂକ୍ରମଣର ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲାରେ କୁକୁଡ଼ା ବ୍ୟବସାୟୀଙ୍କ ମଧ୍ୟରେ ଆପାତତଃ ଭାଳେଣୀ ପଡ଼ିଛି । କରୋନା କଟକଣାରେ କୁକୁଡ଼ା ବ୍ୟବସାୟୀ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଥିଲେ । ବର୍ତମାନ କରୋନା କଟକଣା ହଟିବା ପରେ ପରିସ୍ଥିତି ସାମାନ୍ୟ ହୋଇଥିବା ବେଳେ ବାର୍ଡଫ୍ଲୁ ସଂକ୍ରମଣ ନେଇ ପୁଣି ସେମାନଙ୍କ ଚିନ୍ତା ବଢ଼ାଇଦେଇଛି ।

ଏନେଇ ଜିଲ୍ଲା ପ୍ରାଣୀଧନ ଅଧିକାରୀ ବିଷ୍ଣୁଚରଣ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି । ପ୍ରତିବର୍ଷ ମାର୍ଚ୍ଚ ମାସରୁ ବିଭିନ୍ନ ସ୍ଥାନରୁ କୁକୁଡ଼ା, ବତକ ଆଦିଙ୍କ ନମୁନା ସଂଗ୍ରହ ହୋଇଥାଏ । ଚଳିତ ବର୍ଷ ୮୦୦ ନମୁନା ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା । ମାର୍ଚ୍ଚ ରୁ ଡିସେମ୍ବର ୩୧ ତାରିଖ ମଧ୍ୟରେ ୩୪୦ ନମୁନା ପଠାଯାଇଛି । ଏହି ନମୁନାରେ ବାର୍ଡଫ୍ଲୁ ସଂକ୍ରମଣର ଚିହ୍ନ ମିଳିନାହିଁ । ବର୍ତମାନ ବାର୍ଡଫ୍ଲୁ ସଂକ୍ରମଣ ଦେଶର ଅନ୍ୟ ସ୍ଥାନରେ ଦେଖା ଦେବା ପରେ ନମୁନା ସଂଗ୍ରହ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ଚଳିତ ସପ୍ତାହରେ ୨୦୦ ନମୁନା ସଂଗ୍ରହ ହୋଇଛି । ଆଜି ଏହା ପରୀକ୍ଷାଗାରକୁ ପଠାଇବା କାର୍ଯ୍ୟକ୍ରମ ଥିଲା । କିନ୍ତୁ ନମୁନା ନେବା ବ୍ୟକ୍ତିଙ୍କ କିଛି ବ୍ୟକ୍ତିଗତ ସମସ୍ୟା ଯୋଗୁଁ ଆସନ୍ତାକାଲି ଏହାକୁ ପଠାଯିବ । ତେବେ ବର୍ତମାନ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ବାର୍ଡ ଫ୍ଲୁ ସଂକ୍ରମଣର କୌଣସି ସୂଚନା ନାହିଁ । ଏନେଇ କୁକୁଡ଼ା ଚାଷୀ ଭୟ କରିବାର କୌଣସି କାରଣ ନାହିଁ ବୋଲି ସିଡିଭିଓ ଶ୍ରୀ ସାହୁ ସ୍ପଷ୍ଟ କରିଛନ୍ତି ।

ସମ୍ବନ୍ଧିତ ଖବର