ବେଗୁନିଆ ଫାର୍ମରେ କୁକୁଡ଼ା ମଡ଼କ, ବାର୍ଡ ଫ୍ଲୁ ଆତଙ୍କ

ବେଗୁନିଆରେ ବାର୍ଡ ଫ୍ଲୁ ନାହିଁ, ମୃତ୍ୟୁର କାରଣ ଭିନ୍ନ: ପ୍ରାଣୀଧନ ଅଧିକାରୀ

ଖୋର୍ଦ୍ଧା/ବେଗୁନିଆ : ତିନି ଦିନ ପୂର୍ବେ କେରଳ ସମେତ ଦେଶର କେତେକ ସ୍ଥାନରେ ବାର୍ଡଫ୍ଲୁ ସଂକ୍ରମଣ ଚିହ୍ନଟ ହୋଇଥିଲା । ତେବେ ଏଭଳି ଆଶଙ୍କାକୁ ଖଣ୍ଡନ କରି ଖୋର୍ଦ୍ଧା ପ୍ରାଣୀଧନ ବିଭାଗ ଜିଲ୍ଲାରେ କୌଣସି ବାର୍ଡଫ୍ଲୁ ସଂକ୍ରମଣ ନାହିଁ ବୋଲି କହିଥିଲେ । ଏଭଳି ସ୍ପଷ୍ଟୀକରଣର ୪୮ ଘଂଟା ମଧ୍ୟରେ ବେଗୁନିଆର ଏକ କୁକୁଡ଼ା ଫାର୍ମରେ ଶହଶହ ସଂଖ୍ୟାରେ କୁକୁଡ଼ା ମରିଥିବା ଖବରକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା । ତେବେ ଉକ୍ତ କୁକୁଡ଼ା ଫାର୍ମରେ କୁକୁଡ଼ାଙ୍କ ମୃତ୍ୟୁ ବାର୍ଡଫ୍ଲୁ କିମ୍ବା ଅନ୍ୟ ସଂକ୍ରମଣ ନଥିବା ଓ ମୃତ୍ୟୁର କାରଣ ଭିନ୍ନ ରହିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ।

ଆଜି ଗୋବିନ୍ଦପୁରର ଏକ ଫାର୍ମରେ ଶହଶହ ସଂଖ୍ୟାରେ କୁକୁଡ଼ା ମରିଥିବା ଖବର ପାଇ ସ୍ଥାନୀୟ ଅଂଚଳରେ ଏକ ପ୍ରକାର ଆତଙ୍କ ଖେଳିଯାଇଥିଲା । ଫାର୍ମର ମାଲିକ ବିରଂଚି ମହାନ୍ତିଙ୍କ କହିବାନୁସାରେ, ସେ ୩୦ ଦିନ ଧରି କୁକୁଡ଼ା ଫାର୍ମ ଆରମ୍ଭ କରିଥିଲେ । ୨୭ ଦିନରୁ କୁକୁଡ଼ା ମରିବା ଆରମ୍ଭ ହୋଇଥିଲା । ତିନି ଦିନ ମଧ୍ୟରେ ସେ ପ୍ରାୟ ୧୧୦୦-୧୨୦୦ ମୃତ କୁକୁଡ଼ାଙ୍କୁ ପୋତିଛନ୍ତି । ଏ ନେଇ ଖବର ପାଇ ଖୋର୍ଦ୍ଧା ପ୍ରାଣୀଧନ ଅଧିକାରୀ ବିଷ୍ଣୁଚରଣ ସାହୁ, ଦୁଇ ଜଣ ଡାକ୍ତର ଓ ସ୍ଥାନୀୟ ପଶୁ ଚିକିତ୍ସକଙ୍କ ସହ ଘଟଣାସ୍ଥଳରେ ପହଂଚିଥିଲେ । ଫାର୍ମରେ ଅନ୍ୟ କୁକୁଡ଼ା ନଥିବା ବେଳେ କେତେକ କୁକୁଡ଼ା ମରିପଡ଼ିଥିବା ଦେଖିବାକୁ ପାଇଥିଲେ । ଏନେଇ ଫାର୍ମର ମାଲିକ ବିରଂଚିଙ୍କୁ ପଚାରାଉଚରା କରିଥିଲେ ଓ ଫାର୍ମର ରେଜିଷ୍ଟାର ଦେଖିଥିଲେ । ମୋଟ କୁକୁଡ଼ାଙ୍କ ମଧ୍ୟରୁ ପ୍ରାୟ ୩ଶହଟି କୁକୁଡ଼ା ମରିଥିବା ବେଳେ ବଳକା କୁକୁଡା ଓ କୁକୁଡ଼ା ଖାଦ୍ୟକୁ ପୋଲ୍ଟେକ୍ କମ୍ପାନୀ ଫେରାଇନେଇଯାଇଥିବା ଜାଣିବାକୁ ପାଇଥିଲେ । ପରେ କଟକର ଫୁଲନଖରାର ଆନିମଲ ଡିଜିଜ୍ ରିସର୍ଚ୍ଚ ସେଣ୍ଟରର ଡେପୁଟି ଡାଇରେକ୍ଟର ବିଭୁ ରଂଜନ ଦାସ ଓ ଅନ୍ୟ ବିଶେଷଜ୍ଞ ସେଠାରେ ପହଂଚିଥିଲେ । କୁକୁଡ଼ା ଫେରାଇ ନେଇଥିବା ପୋଲ୍ଟେକ୍ ଫାର୍ମ ସହ ଯୋଗାଯୋଗ କରି ସେଠାକୁ ଏକ ଟିମ୍ ଅନୁସନ୍ଧାନ କରିବାକୁ ପଠାଇଥିଲେ ।

ଘଟଣା ସମ୍ପର୍କରେ ଜିଲ୍ଲା ପ୍ରାଣୀଧନ ଅଧିକାରୀ ଶ୍ରୀ ସାହୁ କହିଛନ୍ତି ଯେ ବେଗୁନିଆ ବ୍ଲକ ଗୋବିନ୍ଦପୁର ଗାଁର ବିରଂଚି ମହାନ୍ତି ଜଣେ ଗାଡ଼ି ଚାଳକ । ଅତିରିକ୍ତ ଆୟ ନିମନ୍ତେ ସେ ଏକ କୁକୁଡ଼ା ଫାର୍ମ କରିବାକୁ ମନସ୍ଥ କରି ଗୁଡ଼ୁମର ପୋଲ୍ଟେକ୍ କୁକୁଡ଼ା ଫାର୍ମ ସହ ଯୋଗାଯୋଗ କରିଥିଲେ । ଚୁକ୍ତି ଅନୁସାରେ, ପୋଲ୍ଟେକ୍ ଫାର୍ମ କୁକୁଡ଼ା ଛୁଆ, ଆବଶ୍ୟକ ଔଷଧ ଓ ଖାଦ୍ୟ ଯୋଗାଇବ । ବିରଂଚି କୁକୁଡ଼ାଗୁଡ଼ିକର କେବଳ ଲାଳନପାଳନ କରିବେ। କୁକୁଡ଼ା ଯଦି ବଡ଼ ହୁଅନ୍ତି ତେବେ ପ୍ରତି କିଲୋଗ୍ରାମ ପିଛା ୪ ଟଙ୍କା ହିସାବରେ ପୋଲଟେକ୍ ଫାର୍ମ ବିରଂଚିଙ୍କୁ ପ୍ରଦାନ କରିବେ । ୫ ତାରିଖରେ ବିରଂଚି ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ଘଟିଥିଲା । ଫଳରେ ତାଙ୍କ ସ୍ତ୍ରୀ କୁକୁଡ଼ା ଫାର୍ମର କୁକୁଡ଼ା ଛୁଆ ଓ ଅନ୍ୟ କୁକୁଡ଼ାଙ୍କୁ ନିୟମିତ ପାଣି ଓ ଖାଦ୍ୟ ଦେଇ ନଥିଲେ । ୫ ତାରିଖ ରାତିରୁ ପାଣି ଓ ଖାଦ୍ୟ ନପାଇ କୁକୁଡ଼ା ମରିବା ଆରମ୍ଭ କରିଥିଲେ । ଏହି ଖବର ପୋଲ୍ଟେକ୍ କମ୍ପାନୀ ପାଇ ବିରଂଚିଙ୍କ କୁକୁଡ଼ା ଫାର୍ମରୁ ସମସ୍ତ କୁକୁଡ଼ା ଖାଦ୍ୟ ଓ ଜୀବିତ ଥିବା କୁକୁଡ଼ା ନେଇ ଚାଲିଯାଇଥିଲେ । ପୋଲ୍ଟେକ୍ ଫାର୍ମରୁ ସେ ମୋଟ ୩୨୦୭ଟି କୁକୁଡ଼ା ଆଣିଥିଲେ । କୁକୁଡ଼ା ମରିବା ଖବର ପାଇ ପୋଲ୍ଟେକ୍ ଫାର୍ମ ୨୮୫୦ଟି କୁକୁଡ଼ା, ଦେଇଥିବା ଖାଦ୍ୟ ଓ ଔଷଧ ଆଦି ଫେରାଇ ନେଇଯାଇଥିଲେ । ବର୍ତମାନ ସେହି କୁକୁଡ଼ା ଫାର୍ମରେ ସମସ୍ତ କୁକୁଡ଼ା ସୁସ୍ଥ ଅଛନ୍ତି । ନଖରାକୁ ପଠାଯାଇଥିବା ନମୁନାରେ ପ୍ରାଥମିକ ପରୀକ୍ଷାରେ କୌଣସି ସଂକ୍ରମଣର ଚିହ୍ନ ନାହିଁ । ବେଗୁନିଆରେ ପ୍ରାୟ ୫୦ଟି ଏଭଳି କୁକୁଡ଼ା ଫାର୍ମ ଅଛି । ଅନ୍ୟ କୌଣସି ସ୍ଥାନରେ କିମ୍ବା ଚିଲିକା ଓ ଜିଲ୍ଲାର ଅନ୍ୟ ସ୍ଥାନରୁ ପୂର୍ବେ ସଂଗ୍ରହ କରାଯାଇ ପଠାଯାଇଥିବା କୌଣସି ନମୁନାରେ ବାର୍ଡଫ୍ଲୁର ଚିହ୍ନ ନାହିଁ । ଏଣୁ ବାର୍ଡଫ୍ଲୁକୁ ନେଇ କୌଣସି ଭୟ କରିବା କାରଣ ନାହିଁ ।

ସମ୍ବନ୍ଧିତ ଖବର