ସୁନ୍ଦରଗଡ଼: ସୁନ୍ଦରଗଡ଼ ପୌରପରିଷଦ ଅଧ୍ୟକ୍ଷା ତନୟା ମିଶ୍ରଙ୍କ ବିରୋଧରେ ଆସିପାରେ ଅନାସ୍ଥା ପ୍ରସ୍ତାବ। କିଛି ଦିନ ହେଲା ସହରରେ ଜୋର୍ ଧରିଥିବା ଏହି ଚର୍ଚ୍ଚାକ୍ରମରେ ସୋମବାର ସୁନ୍ଦରଗଡ଼ ପୌରପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ମାସିକ ବୈଠକରେ ଯୋଗ ଦେଇ ନାହାନ୍ତି ବିଜେଡିର ୧୧ କାଉନସିଲର। ସେପଟେ ଏକ ଗୋପନ ବୈଠକରେ ସେମାନେ ଏକାଠି ହୋଇ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ଶୁଣିବାକୁ ମିଳିଛି। ଯାହା ଜିଲ୍ଲାରେ ବଡ଼ ଚର୍ଚ୍ଚା ସୃଷ୍ଟି କରିଛି। ପୌରାଧ୍ୟକ୍ଷା ମନମାନି ଚଲାଇଥିବା, ବିକାଶମୂଳକ କାର୍ଯ୍ୟ କି କୌଣସି ପ୍ରସ୍ତାବ, ଅନୁମୋଦନରେ କାଉନସିଲରମାନଙ୍କ ମତକୁ ଉପେକ୍ଷା କରୁଥିବା, ଅଢ଼େଇ ବର୍ଷର କାର୍ଯ୍ୟକାଳ ମଧ୍ୟରେ ପୌରାଞ୍ଚଳ ୱାର୍ଡଗୁଡ଼ିକର ନାଳି, ରାସ୍ତାଘାଟ, ରାସ୍ତା ପାର୍ଶ୍ବ ଆଲୋକୀକରଣ ଶୋଚନୀୟ ହୋଇପଡ଼ିଥିଲେ ମଧ୍ୟ ସେଥିପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ କରିଛନ୍ତି କାଉନସିଲର। ବିଶେଷ କରି ରଙ୍ଗାଢିପା ଛକରେ ଅବକାରୀ ଜମିରେ ଅବୈଧ ରୂପେ ଗଢ଼ି ଉଠିଥିବା ବହୁତଳ ବିଶିଷ୍ଟ ୩୯ଟି ବହୁମୁଖୀ ଦୋକାନ ଗୃହର ପରିଚାଳନା ଓ ନିୟମିତ ଭଡ଼ା ଆଦାୟ ଦାୟିତ୍ବ ନେଇ ଏହାକୁ ବୈଧ କରିବାକୁ ଚଲାଇଥିବା ମସୁଧାକୁ ବିରୋଧ କରି ପୌରପରିଷଦ ବୈଠକରେ ‌ଯୋଗ ଦେଇ ନଥିବା ପ୍ରକାଶ ପାଇଛି। ବୈଠକରେ ଅଧ୍ୟକ୍ଷା ତନୟା ମିଶ୍ର, ଉପାଧ୍ୟକ୍ଷ ଲଲାଟେନ୍ଦୁ ପରିଡ଼ାଙ୍କ ସହ ୭ ବିଜେପି କାଉନସିଲର, ସଂସଦ ପ୍ରତିନିଧି ବଟକିଶୋର ମିଶ୍ର ଓ ବିଧାୟକ ପ୍ରତିନିଧି ଡ. ହିମାଂଶୁ ଶେଖର ଷଡ଼ଙ୍ଗୀ, ପୌର ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ହେଲେ ୧୯ରୁ ୧୧ କାଉନସିଲର ବୈଠକରେ ଯୋଗ ନଦେବା ପୌରାଧ୍ୟକ୍ଷାଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି।

Advertisment

publive-image

ଏପଟେ ୧୧ କାଉନସିଲର, ସେପଟେ ଉପାଧ୍ୟକ୍ଷ
୧୧ ବିଜେଡି କାଉନସିଲର ବୈଠକକୁ ଆସି ନଥିଲେ। ହେଲେ ଦଳର ନିର୍ବାଚିତ ପୌରଉପାଧ୍ୟକ୍ଷ ଲଲାଟେନ୍ଦୁ ପରିଡ଼ା ସେମାନଙ୍କ ସହ ସାମିଲ ନହୋଇ ଏକା ପୌରପରିଷଦ ବୈଠକରେ ଯୋଗ ଦେଇଥିଲେ। ଯାହା ଭିନ୍ନ ଚର୍ଚ୍ଚାର କାରଣ ହୋଇଛି। ନିଜ ଦଳର କାଉନସିଲରଙ୍କ ସହ ଉପାଧ୍ୟକ୍ଷଙ୍କ କିଛି ମତଭେଦ ରହିଛି କି ? କାଉନସିଲରମାନଙ୍କ ବିରୋଧଠାରୁ ଶ୍ରୀ ପରିଡ଼ା ନିଜକୁ ଦୂରେଇ ରଖିଲେ କାହିଁକି ? ପୂର୍ବରୁ ରଙ୍ଗାଢିପା ଛକ ଅବୈଧ ଦୋକାନ ଗୃହର ଦାୟିତ୍ବ ପୌରପରିଷଦ ନେବା ପ୍ରସ୍ତାବକୁ ବିରୋଧ କରୁଥିବା ଉପାଧ୍ୟକ୍ଷ ଏବେ କାହିଁକି ସମର୍ଥନ କରୁଛନ୍ତି ? ଏହା ପଛର କାରଣ କ’ଣ ଏବେ ଏମିତି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରିଛି।

ପୌରପରିଷଦର ଅଛି କି କ୍ଷମତା
ରଙ୍ଗାଢିପା ଛକର ଅବୈଧ ଦୋକାନ ଗୃହର ପରିଚାଳନା ଦାୟିତ୍ବ ନେବାକୁ ଉଦ୍ୟମ ଚାଲିଥିବା ବେଳେ ପୌରପରିଷଦର କ୍ଷମତାକୁ ନେଇ ଉଠିଛି ପ୍ରଶ୍ନ। ଅବକାରୀ ବିଭାଗ ନାମରେ ଥିବା ଜମିରେ ବିନା ଲିଜ୍‌ରେ ବହୁତଳ ବିଶିଷ୍ଟ ବହୁମୁଖୀ ଦୋକାନ ଗୃହ ନିର୍ମାଣ ହୋଇଛି। କିଏ ନିର୍ମାଣ କରିଛି, କିଏ ଅନୁଦାନ ଦେଇଛି ସେସମ୍ପର୍କିତ କୌଣସି କାଗଜପତ୍ର ପରିଷଦ ପାଖରେ ନାହିଁ। ଏହା ବ୍ୟତୀତ ପ୍ରକଳ୍ପ ନିର୍ମାଣ ପୂର୍ବରୁ ପ୍ରସ୍ତାବ, ଯୋଜନା, ଅନୁମୋଦନ, ଅନୁଦାନ ଓ ବୈଷୟିକ ଅଟକଳ ନଥାଇ ପୌର ପରିଷଦର ଅଜଣାତରେ ଏହା ନିର୍ମାଣ ହୋଇଛି। ଏହା ମଧ୍ୟରେ ଅବକାରୀ ଅଧିକ୍ଷକ ତାଙ୍କ ଜମି ଚିହ୍ନଟ କରି ବେଆଇନ ଦଖଲ ହଟାଇବାକୁ ୩.୭.୨୦୨୪ରେ ତହସିଲଦାରଙ୍କୁ ଚିଠି ଲେଖିଛନ୍ତି। ଏସ୍ଥିତିରେ ଦୋକାନଗୃହକୁ କେଉଁ କ୍ଷମତା ବଳରେ ପରିଷଦ ହାତକୁ ନେବ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠଛି।