ଆକାଂକ୍ଷା ଜିଲ୍ଲା ରାୟଗଡ଼ାରେ ବିକାଶ ଚିତ୍ର ଏମିତି? ୮ ବ୍ଲକରେ ନାହିଁ ବସଷ୍ଟାଣ୍ଡ୍, ରାସ୍ତାରୁ ଗଡ଼ୁଛି ଗାଡ଼ି

ପ୍ରତୀକ୍ଷାଳୟ ନାହିଁ, ଖୋଲା ଆକାଶ ଯାତ୍ରୀଙ୍କ ସାହା ଭରସା 

ରାୟଗଡ଼ା: ଆକାଂକ୍ଷା ଜିଲ୍ଲା ରାୟଗଡ଼ାର ୮ ବ୍ଲକରେ ନାହିଁ ବସଷ୍ଟାଣ୍ଡ। ଗତ ୫ ବର୍ଷ ଧରି ବସଷ୍ଟାଣ୍ଡ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେଲାଣି। ଜମି ଚିହ୍ନଟ ଏବଂ ଅନ୍ୟ କାରଣ ପାଇଁ ଏଯାବତ୍ ସରିପାରୁନି। ଫଳରେ ଯାତ୍ରୀବାହୀ ଗାଡ଼ିଙ୍କ ପାଇଁ ରାଜରାସ୍ତା ପାଲଟିଛି ବସଷ୍ଟାଣ୍ଡ୍। ଯାତ୍ରୀ ପ୍ରତୀକ୍ଷାଳୟଟିଏ ମଧ୍ୟ ନଥିବାରୁ ଶୀତ କାକର, ଖରା, ବର୍ଷାରେ ଖୋଲା ଆକାଶ ତଳେ ଯାତ୍ରୀ ବସ୍ ସମେତ ଅନ୍ୟ ଗାଡ଼ିକୁ ଅପେକ୍ଷା କରୁଛନ୍ତି।

ଆକାଂକ୍ଷା ଜିଲ୍ଲାରେ ଗମନାଗମନର ବିକାଶକୁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ବ ଦେଇ ଆସୁଛନ୍ତି। ପ୍ରତି ମାସରେ ଏ ନେଇ ସମୀକ୍ଷା ବୈଠକ ବସୁଛି। ଅଥଚ ରାୟଗଡ଼ାର ୮ ବ୍ଲକରେ ବସଷ୍ଟାଣ୍ଡ ନିର୍ମାଣ ପ୍ରକ୍ରିୟା ତ୍ବରାନିତ ହୋଇପାରୁନି। ବସଷ୍ଟାଣ୍ଡ ନିର୍ମାଣ କାମ ସରକାର ପୁଲିସ୍ ହାଉସିଂ ବୋର୍ଡ ହାତରେ ନ୍ୟସ୍ତ କରିଥିବା ବେଳେ ଜମି ଚିହ୍ନଟକରଣ କରି ରାଜ୍ୟ ପରିବହନ ନିଗମକୁ ହସ୍ତାନ୍ତର କରିବାକୁ ତହସିଲ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ରହିଛି। ତହସିଲ କର୍ତ୍ତୃପକ୍ଷ ଚିହ୍ନଟ କରୁଥିବା ଅଞ୍ଚଳକୁ ଲୋକେ ନିଜର ବୋଲି ଦାବି କରୁଥିବାରୁ ହସ୍ତାନ୍ତରରେ ସମସ୍ୟା ଉପୁଜୁଛି। କୋଲନରା, ମୁନିଗୁଡ଼ା ବ୍ଲକରେ ଜମି ଚିହ୍ନଟ ସରି କାମ ଆରମ୍ଭ ହେବା ପରେ ଲୋକେ ତୀବ୍ର ବିରୋଧ କରିଥିଲେ। ଫଳରେ କୋଲନରାରେ କାମ କିଛି ମାସ ଧରି ଅଟକି ରହିଥିଲା। ପ୍ରଶାସନର ହସ୍ତକ୍ଷେପ ପରେ ୨.୫୦ ଏକର ଜମିରେ ନିର୍ମାଣ କାମ ଆରମ୍ଭ ହୋଇଛି। ମୁନିଗୁଡ଼ାରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଚିହ୍ନଟ ହୋଇଥିବା ୧.୧୯ ଏକର ଜମିକୁ ନେଇ ବିବାଦ ହୋଇଥିଲା। ଚିହ୍ନଟ ଜମି ପଞ୍ଚାୟତକୁ ହସ୍ତାନ୍ତର ହୋଇଥିଲେ ମଧ୍ୟ ସରକାରୀ ନଥି ପତ୍ରରେ ଉଲ୍ଲେଖ ନଥିବାରୁ ଜବରଦଖଲ ଉଚ୍ଛେଦ ସମୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସର କଡା ସୁରକ୍ଷା ବଳୟ ଭିତରେ ଜବରଦଖଲ ଉଚ୍ଛେଦ ପରେ ନିର୍ମାଣ କାମ ଆରମ୍ଭ ହୋଇଛି। ରାମନାଗୁଡ଼ା, ଚନ୍ଦ୍ରପୁର, କଲ୍ୟାଣସିଂହପୁରରେ ବି ସମାନ୍ ଅବସ୍ଥା।

ତିନି ବ୍ଲକରେ ପ୍ରସ୍ତାବିତ ଜାଗାକୁ ସ୍ଥାନୀୟ ଲୋକ ବିରୋଧ କରୁଥିବାରୁ ପ୍ରଶାସନ ତହସିଲ ସ୍ତରରେ ଏହାର ସମାଧାନ ପାଇଁ ଉଦ୍ୟମ ଜାରି ରଖିଛି। କଲ୍ୟାଣସିଂହପୁର ତହସିଲ ଢ଼େପଗୁଡ଼ାରେ ଖାତା ନଂ-୧୫, ପ୍ଲଟ ନଂ-୧୯୬ରେ ୭.୭୦ ଏକର ସରକାରୀ ଜାଗା ରହିଛି। ସେଥି ମଧ୍ୟରୁ ୨ ଏକରରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲା। କିନ୍ତୁ ଚିହ୍ନଟ ଅଞ୍ଚଳ ଲୋକଙ୍କ ଜବରଦଖଲରେ ଥିବାରୁ ବସଷ୍ଟାଣ୍ଡ ନିର୍ମାଣକୁ ବିରୋଧ ହୋଇଛି। ପଦ୍ମପୁରର ଲାଉଗୁଡ଼ାରେ ୨.୩୦ ଏକର, କାଶୀପୁରରେ ୧.୩୦ ଏକର, ବିଷମକଟକରେ ୧.୫୦ ଏକର ଜମି ଚିହ୍ନଟ ହୋଇ ପରିବହନ ବିଭାଗକୁ ହସ୍ତାନ୍ତର ସରିଛି। ହେଲେ ନିର୍ମାଣ କାମ ଆରମ୍ଭ ହୋଇନି।

ଜିଲ୍ଲାର ରାୟଗଡ଼ା ଜିଲ୍ଲା ସଦର ମହକୁମା, ଗୁଣପୁର ଉପଖଣ୍ଡ ଏବଂ ଗୁଡ଼ାରି ବିଜ୍ଞାପିତ ଅଞ୍ଚଳରେ ବହୁ ପୁରାତନ ବସଷ୍ଟାଣ୍ଡ୍ ରହିଛି। ରାୟଗଡ଼ା ବସଷ୍ଟାଣ୍ଡ୍ ପରିସରରୁ ଉଭୟ ସରକାରୀ ଓ ବେସରକାରୀ ବସ ଭୁବନେଶ୍ବର, କଟକ, ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାତାୟାତ କରୁଛି। ଯାତ୍ରୀଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ବସଷ୍ଟାଣ୍ଡରେ ନଥିବାରୁ ବହୁ ସମୟରେ ଯାତ୍ରୀ ହଇରାଣ ହରକତ ହୋଇଥାନ୍ତି। ପୁଲିସ୍ ଫାଣ୍ଡି ଥିବା ସତ୍ତ୍ବେ ରାତିରେ ବସଷ୍ଟାଣ୍ଡ ପରିସରରେ ଅସାମାଜିକଙ୍କ ଦୌରାତ୍ମ୍ୟ ସୀମା ଟପିଛି। ଗୁଣପୁର ବସଷ୍ଟାଣ୍ଡର ବିକାଶ କାର୍ଯ୍ୟ ମଧ୍ୟ ଅଟକିଛି। ଗୁଡାରି ବସଷ୍ଟାଣ୍ଡ୍ ନିର୍ମାଣ ସରିଥିଲେ ବି ଅଧିକାଂଶ ବସ୍ ବସଷ୍ଟାଣ୍ଡକୁ ନ ଯାଇ ଟାଉନ୍ ଭିତରୁ ହିଁ ଚଳାଚଳ କରୁଛନ୍ତି।

ସମ୍ବନ୍ଧିତ ଖବର