ଜିଲ୍ଲାରେ ଜଣେ ବି ଶିଶୁ ଶ୍ରମିକ ରହିବେ ନାହିଁ: ଜିଲ୍ଲାପାଳ

ଏଣିକି ବ୍ଲକସ୍ତରରେ ବିଡିଓମାନେ ସମସ୍ତ ବିଭାଗର ଉନ୍ନୟନ କାର୍ଯ୍ୟକୁ ପରିଚାଳନା କରିବେ

ଛତ୍ରପୁର:  ଏଣିକି ପ୍ରତି ବ୍ଲକରେ ହେଉଥିବା ସମସ୍ତ ଲାଇନ ବିଭାଗର ଉନ୍ନୟନ କାର୍ଯ୍ୟଗୁଡିକର ଭିତ୍ତି ସଂରଚନା ଉନ୍ନୟନ କମିଟି ଗଠନ କରାଯାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେବ । ବ୍ଲକସ୍ତରରେ ଦେଖାଯାଉଥିବା ସମସ୍ୟାଗୁଡିକ ବିଡିଓଙ୍କ ସ୍ତରରେ ସମାଧାନ ହେବ । ବ୍ଲକ ସ୍ତରରେ ଯଦି ସମସ୍ୟାର ସମାଧାନ ହୋଇ ପାରୁନାହିଁ ତେବେ ଜିଲ୍ଲାସ୍ତରରେ ସେଗୁଡିକ ସମାଧାନ କରାଯିବ ବୋଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଅନୁଷ୍ଠିତ ଭିଡିଓ କନଫରେନ୍ସିଂରେ ଜଣାଇଛନ୍ତି ।

ବୈଠକରେ କୋଭିଡ-୧୯ ପରିଚାଳନା, ସ୍ୱଚ୍ଛ ଭାରତ ମିଶନର ଦ୍ୱିତୀୟ ଭାଗ କାର୍ଯ୍ୟ, ମୋ ୱାର୍ଡ , ଅଙ୍ଗନବାଡି କେନ୍ଦ୍ର, ଓଡିଶା ଆଦର୍ଶ ବିଦ୍ୟାଳୟ ଓ ବିଦ୍ୟାଲୟଗୁଡିକର ସଫେଇ କାର୍ଯ୍ୟ , ଅଙ୍ଗନବାଡି ଶିଶୁମାନଙ୍କୁ ପୋଷାକ ବଣ୍ଟନ ଇତ୍ୟାଦି ସଂପର୍କରେ ଆଲୋଚନା ହୋଇଯାଇଛି ।

ସମସ୍ତ ଦୋକାନଗୁଡିକରେ ପଞ୍ଚସୂତ୍ରୀ ନିୟମ ପାଳନ, ସାମାଜିକ ଦୂରତା ଓ ଧରପଗଡ ଦିଗରେ କଡାକଡି କରିବାକୁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ସ୍ଥାନୀୟ ଲୋକଙ୍କ ଦ୍ୱାରା ସଂକ୍ରମଣର ଆଶା କ୍ଷୀଣ କିନ୍ତୁ ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସି ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ଥିବା ହେତୁ ଉତ୍ସବ ଦ୍ୱାରା ଯେମିତି ସଂକ୍ରମଣ ବ୍ୟାପିବ ନାହିଁ ସେଥିପ୍ରତି ନଜର ରଖିବାକୁ କୁହାଯାଇଛି । ସ୍ଥାନେସ୍ଥାନେ ଜଣେ କିମ୍ବା ଦୁଇଜଣ ସଂକ୍ରମିତ ବ୍ୟକ୍ତି ବାହାରୁଛନ୍ତି । ସେମାନଙ୍କ ପ୍ରତି ଧ୍ୟାନ ଦିଅନ୍ତୁ ।

ଜିଲ୍ଲାରେ ଜଣେ ମଧ୍ୟ ଶିଶୁ ଶ୍ରମିକ ରହିବେ ନାହିଁ ତାହା ନିଶ୍ଚିତ କରାନ୍ତୁ । କାମ ହେଉଥିବା ସ୍ଥାନରେ ଶ୍ରମିକମାନଙ୍କ ଅଧାର କାର୍ଡ ଯାଞ୍ଚ କରି ୧୪ବର୍ଷରୁ କମ୍ ପିଲା ଯେମିତି କାମ କରିବେ ନାହିଁ ତାହା ତଦାରଖ କରନ୍ତୁ । କାମବେଳେ କୋଭିଡ ନିୟମ ପାଳନ ହେଉଛି କି ନାହିଁ ତାହା ଶ୍ରମ ବିଭାଗର ଅଧିକାରୀମାନେ ଯାଞ୍ଚ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ବିଦ୍ୟାଳୟ , ଅଙ୍ଗନବାଡି କେନ୍ଦ୍ର, ଓଡିଶା ଆଦର୍ଶ ବିଦ୍ୟାଳୟଗୁଡିକର ସଫେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରାନ୍ତୁ । ବ୍ଲକ ସ୍ତରରେ ବିଡିଓ ଏବଂ ସହରାଞ୍ଚଳରେ କାର୍ଯ୍ୟନିର୍ବାହୀ ଅଧିକାରୀ ସମସ୍ତ ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତି ଯାଞ୍ଚ କରନ୍ତୁ । ସମସ୍ତ ବ୍ଲକରେ ଅଭିଯୋଗ ପ୍ରକୋଷ୍ଠମାନ ଖୋଲି ରାସନ କାର୍ଡ, ଭତ୍ତା ଓ ଗ୍ରାମୀଣ ଗୃହ ଯୋଜନାର ଅଭିଯୋଗଗୁଡିକ ଶୁଣାଣି କରନ୍ତୁ ।

ବୈଠକରେ ବ୍ରହ୍ମପୁର ମହାନଗର ନିଗମ କମିସନର ଡଃ. ସିଦ୍ଧେଶ୍ୱର ବଳିରାମ ବନ୍ଦାର, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) କବିନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି , ଡିଆରଡିଏ ଏପିଡି (ପ୍ରଶାସକ) ଜ୍ୟୋତି ଶଙ୍କର ରାୟ , ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଡଃ. ଦିବ୍ୟ ଲୋଚନ ମହାନ୍ତ, ଜିଲ୍ଲା ମଙ୍ଗଳ ଅଧିକାରୀ ପରକ୍ଷୀତ ଦାଶ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ , ଗଂଜାମ ଆରଟିଓ ବିକାଶ ଚୈାଧୁରୀ , ଭାରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାଶ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର