ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଅଧିକାରୀଙ୍କ ମଧ୍ୟରେ ନାହିଁ ସମନ୍ବୟ!

ରାୟଗଡା: ରାୟଗଡା ଜିଲ୍ଲାରେ ଅଧିକାରୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ ସମନ୍ୱୟହ ଅଭାବ ଦେଖିବାକୁ ମିଳିଛି। ଯାହାଦ୍ୱାରା କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ସୂଚାରୁରୂପେ ପରିଚାଳନା ହୋଇ ପାରୁନାହିଁ। ସମନ୍ୱୟ ଅଭାବରୁ ଅଧନସ୍ଥ କର୍ମଚାରୀ ମାନେ ନିଜ ଅଧିକାରୀଙ୍କୁ ବିଭାଗୀୟ କୌଣସି ତଥ୍ୟ ପ୍ରଦାନ କରୁ ନାହାନ୍ତି ଏବଂ ଅଧିକାରୀ ମଧ୍ୟ ସହକାରୀ ଅଧିକାରୀଙ୍କୁ ତାଙ୍କ ଦାୟିତ୍ୱ ତୁଲାଇବାରେ ସହଯୋଗ କରୁ ନାହାନ୍ତି। ଏଭଳି କ୍ଷେତ୍ରରେ ସରକାରୀ ଅଧିକାରୀ ଜଣକ ପ୍ରଶାସନ, ସରକାର ତଥା ସାଧାରଣ ଜନତାଙ୍କୁ କଣ ତଥ୍ୟ ପ୍ରଦାନ କରିବେ ତାହାକୁ ନେଇ ପ୍ରଶ୍ନ ଉଠିଛି। ରାୟଗଡା ଜିଲ୍ଳା ଶ୍ରମ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଜିଲ୍ଳାରେ ଗତ ଏକ ବର୍ଷ ମଧ୍ୟରେ କେତେ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ଏବଂ ପରବର୍ତୀ ପଦକ୍ଷେପ କଣ ଗ୍ରହଣ କରାଯାଇଛି ବୋଲି ଏ ନେଇ ଆମେ ଜିଲ୍ଳା ଶ୍ରମ ଅଧିକାରିଣୀ ଯଶ୍ମୀନ ସାହୁଙ୍କୁ ପଚାରିବାରୁ ସେ ଏ ସମ୍ପର୍କୀତ କୌଣସି ତଥ୍ୟ ମୋ ପାଖରେ ନାହିଁ ବୋଲି କହିଥିଲେ। ବିଭାଗ ଅଧିନରେ ଥିବା ୪ଜଣ ସହକାରୀ ଶ୍ରମ ଅଧିକାରୀ ମାନେ ମୋତେ କୌଣସି ପ୍ରକାର ବିଭାଗୀୟ ଫାଇଲ୍ ତଥା ତଥ୍ୟ ପ୍ରଦାନ କରୁନାହାନ୍ତି। ବର୍ଷକ ମଧ୍ୟରେ କିଏ କେଉଁଠି ଚଢଉ କରି ଶିଶୁ ଶ୍ରମିକ ଉଦ୍ଧାର କରିଛନ୍ତି ସେ ନେଇ ମୋତେ ସହକାରୀ ଶ୍ରମ ଅଧିକାରୀ ମାନେ ରିପୋର୍ଟ ପ୍ରଦାନ ନ କରି ସେମାନେ ସିଧାସଳଖ ଏ ନେଇ ପ୍ରଭାଗୀୟ ଶ୍ରମ ଆୟୁକ୍ତ (ଡିଏଲସି)ଙ୍କୁ ପ୍ରଦାନ କରୁଛନ୍ତି। ତେଣୁ ତଥ୍ୟ ମୋତେ ନ ମାଗି ଡିଏଲସିଙ୍କୁ ମାଗିଲେ ଆପଣ ପାଇ ପାରିବେ ବୋଲି କହିଥିଲେ।

ଏ ନେଇ ଫୋନ୍ ଯୋଗେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରଶନ୍ନ କୁମାର ପାଣିଗ୍ରାହୀଙ୍କୁ ତଥ୍ୟ ସମ୍ପର୍କରେ ପଚାରିବାରୁ ଜୟପୁର କାର୍ଯ୍ୟାଳୟର ଅତିରିକ୍ତ ଦାୟିତ୍ୱ ତୁଲାଉ ଥିବାରୁ ମୁଁ ଜୟପୁରରେ ରହିଛି। ରାୟଗଡାରେ ପହଞ୍ଚିବା ପରେ ମୁଁ ତଥ୍ୟ ପ୍ରଦାନ କରିପାରିବି ବୋଲି କହିବା ସହ ଜିଲ୍ଳାରେ ଶିଶୁ ଶ୍ରମିକ ଉଦ୍ଧାର ସଂଖ୍ୟା ଯଦି ଜିଲ୍ଳା ଶ୍ରମ ଅଧିକାରିଣୀଙ୍କ ପାଖେ ନାହିଁ ତେବେ ମୁଁ ରାୟଗଡା ଫେରିବା ପରେ ବୁଝିବି ବୋଲି ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି, ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରସନ୍ନ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ଗତ ବୁଧବାର ଶିଶୁ ଶ୍ରମିକ ଉଦ୍ଧାର ପାଇଁ ରାୟଗଡା ଜିଲ୍ଳା ଟାସ୍କଫୋର୍ସ ଟିମ୍ ତରଫରୁ ଶ୍ରମ କାର୍ଯ୍ୟାଳୟ ବିଭାଗୀୟ ଅଧିକାରୀ, ପୁଲିସ, ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଶକ୍ତି ଏନଜିଓ ଅନୁଷ୍ଠାନ ପକ୍ଷରୁ ମିଳିତ ଭାବେ ରାୟଗଡା ପୌରାଞ୍ଚଳରେ ଏକ ଚଢଉ କରାଯାଇ ୪ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା।

ପୌରାଞ୍ଚଳର ସାଇପ୍ରିୟା ନଗର ଅଞ୍ଚଳରେ ତଥା ୩୨୬ ନମ୍ବର ଜାତୀୟ ରାଜପଥ କଡରେ ଥିବା  ହୋଟେଲ ସାଇ ଇଣ୍ଟରନ୍ୟାସନାଲ ଛକ ସ୍ଥିତ ଗ୍ୟାରେଜ, ହୋଟେଲ, ଦୋକାନ ଗୁଡିକରେ ଏହି ଚଢଉ କରାଯାଇଥିବା ବେଳେ ସାଇପ୍ରିୟା ନଗରର ଏମ. ମହେନ୍ଦ୍ର ମୋଟର ଗ୍ୟାରେଜରୁ ୩ଜଣ ଏବଂ ହୋଟେଲ ସାଇ ଇଣ୍ଟରନ୍ୟାସନାଲ ଛକ ନିକଟ ଏକ ଗ୍ୟାରେଜରୁ ଜଣେ ନାବାଳକ ଶିଶୁ ଶ୍ରମିକକୁ ଉଦ୍ଧାର କରାଯାଇ ଶିଶୁ କଲ୍ୟାଣ ସମିତି ରାୟଗଡା ନିକଟରେ ହାଜର କରାଯାଇଥିଲା। ସେଠାରେ ଉଦ୍ଧାର ଶିଶୁ ଶ୍ରମିକ ମାନଙ୍କୁ କାଉନସିଲିଂ କରାଯାଇଥିବା ଜଣାପଡିଛି। ଏହି ଚଢଉରେ ଶ୍ରମ ବିଭାଗର ସହକାରୀ ଶ୍ରମ ଅଧିକାରୀ ସଞ୍ଜୟ କୁମାର ରଇତ ଓ ନିରଞ୍ଜନ ଭୂୟାଁ ସାମିଲ ହୋଇଥିବା ବେଳେ ଡିସିପିୟୁର ରଞ୍ଜିତ ମାଝୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ। ତେବେ ଗତ ଏକବର୍ଷ ମଧ୍ୟରେ ଜିଲ୍ଳାରେ କେତେ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ତାହା ଜଣାପଡି ନ ଥିବା ବେଳେ ଜିଲ୍ଳା ଶ୍ରମ କାର୍ଯ୍ୟାଳୟରେ ଶ୍ରମ ଅଧିକାରୀ ଓ ସହକାରୀ ଶ୍ରମ ଅଧିକାରୀ ମାନଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ଜିଲ୍ଳାରେ ଶ୍ରମ ବିଭାଗର କାର୍ଯ୍ୟ କିପରି ଭାବେ ଚାଲୁ ରହିଛି ଏବଂ ଜିଲ୍ଳାରେ ଶ୍ରମିକ ତଥା ସାଧାରଣ ଜନତା କିପରି ଭାବେ ସରକାରୀ ସେବା ପାଉଥିବେ ତାହା ସହଜରେ ଅନୁମେୟ।

ସମ୍ବନ୍ଧିତ ଖବର