ଆଇନଜୀବୀ ଜୁଲାଇ ୩୧ ପର୍ଯ୍ୟନ୍ତ ଯିବେନି କୋର୍ଟ : ୨ରୁ ସ୍ବାଭାବିକ ହେବ କୋର୍ଟ

ଜୟପୁର: ଜୟପୁର ଜିଲ୍ଲା ଆଇନଜୀବୀ ସଂଘର ସାଧାରଣ ପରିଷଦ ବୈଠକରେ ଆସନ୍ତା ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ଆଇନଜୀବୀମାନେ କୋର୍ଟ ଯିବେ ନାହିଁ ବୋଲି ନିଷ୍ପତି ହୋଇଛି। ଅଗଷ୍ଟ ୨ତାରିଖରୁ କୋର୍ଟ କାର୍ଯ୍ୟ ସ୍ବାଭାବିକ ହେବ ବୋଲି ସୂଚନା ମିଳିଛି। ବୈଠକରେ ସଂଘର ସଭାପତି ସରୋଜ ଦାଶ ସଭାପତିତ୍ବ କରିଥିଲେ। ଏଥିରେ ସଂପାଦକ ଆନନ୍ଦ ରଥ, ଉପସଭାପତି ପିଣ୍ଟୁ ମାଝୀ, ସହସଂପାଦକ ଗିରିଧର ଖରା, କୋଷାଧ୍ୟକ୍ଷ ଗୋପବନ୍ଧୁ ସାନ୍ତ୍ରାଙ୍କ ସହ ଅନ୍ୟ ଆଇନଜୀବୀ ଭାଗ ନେଇଥିଲେ। କେବଳ ଜରୁରୀ ମାମଲା, ଜାମିନ ଓ ଚାଲିଥିବା ମାମଲା ଗୁଡ଼ିକରେ ଏହି ସମୟରେ ଉପସ୍ଥିତ ରହିବେ। ପୁରୁଣା ମାମଲା ଗୁଡ଼ିକରେ ଉଭୟ ପକ୍ଷ ରାଜି ହୋଇ ଆପୋଷ ବୁଝାମଣା ହେଲେ ଏହି ମାମଲାର ପରିଚାଳନା କରିବେ ବୋଲି ନିଷ୍ପତି ହୋଇଛି।

ତେବେ ଟ୍ରାୟଲ୍ ଆଦିରେ କୌଣସି ଆଇନଜୀବୀ ଭାଗ ନେବେ ନାହିଁ ବୋଲି ନିଷ୍ପତି ହୋଇଛି। କୋଭିଡ୍ ମହାମାରୀରେ ବହୁ ସଭ୍ୟ, କୋର୍ଟର କର୍ମଚାରୀ ବି ସଂକ୍ରମିତ ହେବା ସହ ମୃତ୍ୟୁ ବି ହୋଇଛି। ସଂପ୍ରତି ବି କିଛି ଆଇନଜୀବୀ ସଂକ୍ରମଣରେ ରହିଛନ୍ତି। ଅନ୍ୟପକ୍ଷରେ ସହରରେ ମହାମାରୀ କମୁନଥିବାରୁ ଏଭଳି ନିଷ୍ପତି ନିଆଯାଇଥିଲା। ସେଭଳି ଆସନ୍ତା ଅଗଷ୍ଠ ୨ତାରିଖରୁ ପୂର୍ବଭଳି ଯଦିଓ କୋର୍ଟକୁ ସବୁ ଆଇନଜୀବୀ ଯିବେ ।

ତେବେ ଅଧିକା କେସ୍ ପୋଷ୍ଟିଂ କରିବା ବଦଳରେ ୨ଟି ଲେଖାଏଁ କେସର ଶୁଣାଣୀ କରିବା ଏବଂ କେସ୍ ପିଛା ୨ଜଣ ସାକ୍ଷୀ ରଖିବାକୁ ଏକ ରେଜୁଲେସନ୍ କରି ସଂଘ ପକ୍ଷରୁ ଜିଲ୍ଲା ଦୌରାଜଜଙ୍କୁ ଅବଗତ କରାଯାଇଛି। ଆଇନଜୀବୀ ମାନେ ଜିଲ୍ଲାଦୌରାଜଜଙ୍କ ଅଧିନରେ ଥିବା ସମସ୍ତ କୋର୍ଟ ସହ ଲେବର କୋର୍ଟ, ତହସିଲଦାର, ଉପଜିଲ୍ଲାପାଳ, ସବରେଜିଷ୍ଟ୍ରାର ଆଦି ୧୮ଟି କୋର୍ଟରେ ଯୋଗ ଦେବେ ନାହିଁ ବୋଲି ଜଣାଇଛନ୍ତି।

ସମ୍ବନ୍ଧିତ ଖବର