ଜୟପୁର: କୋରାପୁଟ ଡାକ ଡିଭିଜନର ୪ଟି ଜିଲ୍ଲାରେ ଖାଲି ପଡିଥିବା ବିଭିନ୍ନ ୧୨ଶହ ପଦବୀ ପୂରଣ ପାଇଁ ଆବେଦନପତ୍ର ଆହ୍ବାନ କରାଯାଇଥିଲା। ଏଥି ପାଇଁ ହଜାର ହଜାର ଆବେଦନକାରୀ ଆବେଦନ କରିଥିଲେ। ତେବେ ଗତ ମାର୍ଚ୍ଚ ମାସରେ ବଲାଙ୍ଗୀରରେ ଜାଲଶିକ୍ଷାଗତ ପ୍ରମାଣପତ୍ରରେ ଚାକିରି ଆବେଦନ କରିଥିବା ଚିହ୍ନଟ ପରେ କୋରାପୁଟ ଡିଭିଜନରେ ୨୬ଜଣ ଜାଲ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରି ଆବେଦନ କରିଥିବା ଚିହ୍ନଟ ହୋଇଥିଲେ। ଏହି ୨୬ଜଣଙ୍କ ମଧ୍ୟରୁ ମାତ୍ର ୫ଜଣଙ୍କୁ କୋରାପୁଟ ଜିଲ୍ଲା ପୁଲିସ ଗିରଫ କରିଥିଲା। ଏହା ପରେ ରାଜ୍ୟ ସରକାର ଏହାର ତଦନ୍ତଭାର କ୍ରାଇମବ୍ରାଂଚକୁ ଦେଇଥିଲେ। ଥରେ ଅଧେ କ୍ରାଇମ୍ ବ୍ରାଂଚ ଟିମ୍ ଆସି ପଚରାଉଚରା କରି ଯାଇଥିଲେ ହେଁ ଏ ଯାଏଁ ବଳକା ୨୧ଜଣଙ୍କୁ ଗିରଫ ନ କରି ସେଭଳି ଛାଡି ଦେଇଥିଲା। ଘଟଣାକୁ ଛଅ ମାସ ବିତିସାରିଥିଲେ ହେଁ ଏଯାଏଁ କିଏ ଏହି ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ପ୍ରସ୍ତୁତ ରାକେଟର ମାଷ୍ଟରମାଇଣ୍ଡ, ଯୋଗାଣକାରୀ ଚିହ୍ନଟ କରିପାରିନି। ବଲାଙ୍ଗୀରରେ ଚିହ୍ନଟ ମାଷ୍ଟରମାଇଣ୍ଡ ଓ ଯୋଗାଣକାରୀ ଦଲାଲଙ୍କ ସହ ଜୟପୁର ଡାକବିଭାଗରେ ଦାଖଲ ପ୍ରମାଣପତ୍ରର ସଂପୃକ୍ତି ରହିଛି କି ନାହିଁ ଏଯାଏଁ କିଛି ସ୍ପଷ୍ଟ କରିନି କ୍ରାଇମ୍ ବ୍ରାଂଚ।
ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ରାଜ୍ୟର କୋଣ ଅନୁକୋଣର ପିଲା କେଉଁଠାରୁ ଏହି ଜାଲ ଶିକ୍ଷାଗତ ପ୍ରମାଣପତ୍ର ପାଇ ଆବେଦନ କରିଥିଲେ ତାହା ଘଟଣାର ୯ମାସ ପରେ ବି ଲୋକଲୋଚନକୁ ଆଣିନି କ୍ରାଇମ୍ ବ୍ରାଂଚ। ଅପରପକ୍ଷରେ ଡାକବିଭାଗରେ ପୂର୍ବରୁ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦେଇ କାର୍ଯ୍ୟକରୁଥିବା ଜଣେ କର୍ମଚାରୀକୁ ପୁଲିସ ଗିରଫ କରିଥିଲା। ଏହା ପରେ ଆଉ ୬ଜଣ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ବଳରେ ଚାକିରି କରୁଥିବା କର୍ମଚାରୀ ନିଜ ନିଜ ଚାକିରି ଛାଡ଼ି ଚମ୍ପଟ ମାରିଥିଲେ। ଗତ ୪ମାସ ତଳେ କ୍ରାଇମ୍ ବ୍ରାଂଚର ଜଣେ ଡିଏସପି ଓ ଜଣେ ଇନସପେକ୍ଟର ଜୟପୁର ଆସି ତତ୍କାଳୀନ ଜୟପୁର ଥାନା ଅଧିକାରୀ ସମ୍ବିତ କୁମାର ବେହେରା , ତଦନ୍ତକାରୀ ଅଧିକାରୀ ସବଇନିସପେକ୍ଟର ସିଦ୍ଧାର୍ଥ ବେହେରା ଓ କୋରାପୁଟ ଡିଭିଜନ ଡାକ ବିଭାଗର ଜୟପୁର ବରିଷ୍ଠ ଅଧିକ୍ଷକ ତଥା ଆଇପିଓଏସ୍ ମନୋଜ ପ୍ରଗଡ଼ାଙ୍କୁ ଭେଟି ବଲାଙ୍ଗୀର ଜାଲ୍ ସାର୍ଟିପିକେଟ ମାମଲା ସହ କୋରାପୁଟ ଜିଲ୍ଲାର ମାମଲାର କିଛି ଲିଙ୍କ ରହିଛି କି ନାହିଁ ତାହାର ଯାଂଚ କରିଥିଲେ।
ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୨୨ଜଣ ନକଲି ସାର୍ଟିପିକେଟ ଦାଖଲ କରି ଚାକିରି ନିମନ୍ତେ ଆବେଦନ କରିଥିବା କୋରାପୁଟ ଡିଭିଜନ ଡାକ ବିଭାଗ ବରିଷ୍ଠ ଅଧିକ୍ଷକ ମନୋଜ ପ୍ରଗଡ଼ା ପ୍ରମାଣ ପାଇଥିଲେ। ଫଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଥାନାରେ ଏତଲା ଦେବା ସହ କୋରାପୁଟ ଏସପି ଅଭିନବ ସୋନକରଙ୍କୁ ଅବଗତ କରାଇଥିଲେ। ଏହା ପରେ ଦ୍ବିତୀୟ ପର୍ଯ୍ୟାୟରେ ଯାଂଚରେ ଆହୁରି ୪ଜଣ ନକଲି ସାର୍ଟିଫିକେଟ ଦାଖଲ କରିଥିବା ପ୍ରମାଣ ମିଳିଥିଲା। ପୁଲିସ ୫ଜଣଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଥିଲେ। ତେବେ ଏ ପର୍ଯ୍ୟନ୍ତ ମୂଳଉତ୍ସକୁ ଖୋଜି ବାହାର କରିବାରେ କ୍ରାଇମ୍ ବ୍ରାଂଚ ସଫଳ ହୋଇନି। ଏପରିକି ଏହି ଜାଲ ଶିକ୍ଷାଗତ ପ୍ରମାଣପତ୍ର ରାକେଟରେ ବହୁ ବଡ଼ବଡ଼ିଆ ମାନେ ସାମିଲ ଥିବାରୁ କ୍ରାଇମ୍ ବ୍ରାଂଚ ପଛଘୁଞ୍ଚା ଦେଉଛି କି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।