ରାୟଗଡ଼ା: ଲଘୁଚାପ ପ୍ରଭାବରେ ସପ୍ତାହେ ଧରି ଲାଗି ରହିଥିବା ବର୍ଷା ସ୍ଥିତିରେ ସୁଧାର ଆସିଛି। ସୋମବାର ମଧ୍ୟାହ୍ନରୁ ପାଗ ଶୁଖିଲା ଯୋଗୁ ରାୟଗଡ଼ାରୁ ଟଳିଛି ବନ୍ୟା ଆଶଙ୍କା। ସେପଟେ ଜିଲ୍ଲାର ଦୁଇ ପ୍ରମୁଖ ନଦୀ ବଂଶଧାରା, ନାଗାବଳୀ ଜଳସ୍ତର ହ୍ରାସ ପାଇ ସତର୍କ ସଙ୍କେତ ତଳେ ପ୍ରବାହିତ ହେଉଛି। ବର୍ଷା ଜଳରେ ବୁଡ଼ି ରହିଥିବା ଜମିରୁ ପାଣି ଛାଡ଼ିବାରେ ଲାଗିଛି। ବନ୍ୟା ଆଶଙ୍କା ଟଳିବା ପରେ ନଈକୂଳିଆବାସୀ ଆଶ୍ବସ୍ତ ହୋଇଛନ୍ତି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେବା ପରେ ୭ ତାରିଖରୁ ବର୍ଷା ଲାଗି ରହିଥିଲା। ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ବର୍ଷା ପରିମାଣ ବଢ଼ିବା ଯୋଗୁ ନଦୀ, ନାଳ ଜଳସ୍ତର ବଢ଼ିବା ସହ ତଳିଆ ଅଞ୍ଚଳରେ ପାଣି ପଶିଥିଲା। ଗୁଣପୁର, ପଦ୍ମପୁର, ଗୁଡାରି, ରାମନାଗୁଡା, ରାୟଗଡ଼ା ତହସିଲର ବହୁ ଚାଷ ଜମି ଜଳମଗ୍ନ ହେବା ସହ ୫୦ରୁ ଉର୍ଦ୍ଧ୍ବ ଗୃହ ଆଶିଂକ ଭାବେ କ୍ଷତିଗ୍ରସ୍ତ ହୋଇଛି। କ୍ଷତିଗ୍ରସ୍ତ ପରିବାରକୁ ତହସିଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତୁରନ୍ତ ପଲିଥିନ ଯୋଗାଇ ଦିଆଯାଇଛି। ୧୨ ତାରିଖରେ ବର୍ଷା କମିବା ପରେ ନଦୀ, ନାଳ ଜଳସ୍ତର ହ୍ରାସ ପାଇଥିଲା। ୧୩ରୁ ପୁଣି ଲଘୁଚାପ ପ୍ରଭାବରେ ବର୍ଷା ଆରମ୍ଭ ହୋଇଥିଲା। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ରାୟଗଡ଼ାକୁ ରେଡ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ। ୧୩ରେ ଜିଲ୍ଲାରେ ୧୦୫.୬ ମିମି, ୧୪ ରେ ୫୦୬.୪ ମିମି, ୧୫ ରେ ୮୯୮.୩ ମିମି ବର୍ଷା ରେକର୍ଡ କରିଥିଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ୩ ଦିନ ଧରି ଅନବରତ ଭାବେ ବର୍ଷା ଲାଗି ରହିବା କାରଣରୁ ନାଗାବଳୀ ଜଳସ୍ତର ବୃଦ୍ଧି ପାଇଥିଲା।
/sambad/media/post_attachments/wp-content/uploads/2022/08/RGD_Rain-2.jpg)
ଜଳସ୍ତର ଦୁଇକୂଳ ଛୁଇଁବା ପରେ ନାଗାବଳୀ ତଳମୁଣ୍ଡରେ ଥିବା ରାୟଗଡ଼ା ବ୍ଲକର ଜଗନ୍ନାଥପୁର, ପିତାମହଲ, ଶେଷଖାଲ, ବୈରାଗୀହାଲୁଆ ପଞ୍ଚାୟତର ୬୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଚିନ୍ତିତ ଅବସ୍ଥାରେ ଥିଲେ। ସେପଟେ ଝଞ୍ଜାବତୀର ନଦୀର ଜଳସ୍ତର ବୃଦ୍ଧି ପରେ ନାଗାବଳୀ ଉଛୁଳିଥିଲା। ବର୍ଷା, ପବନ ଯୋଗୁ ରାୟଗଡ଼ା ବ୍ଲକ କୁଟୁଳି ପଞ୍ଚାୟତ ଦେବଦୋଳା ଗ୍ରାମର ପ୍ରାଥମିକ ସ୍କୁଲର ସମସ୍ତ ଟିଣ ଉଡ଼ି ଯାଇଛି। ଫଳରେ ସ୍କୁଲରେ ପାଠପଢ଼ା ବାଧାପ୍ରାପ୍ତ ହୋଇଛି। କୋଲନରା ବ୍ଲକ କାର୍ତ୍ତିକଗୁଡ଼ାରେ ୨ଟି ଘର ଭାଙ୍ଗିବା ସହ ବର୍ଷା ପାଣି ଜମି ରହିବା ଯୋଗୁ ୧୫ ଏକର ଜମିରେ ଫସଲ ନଷ୍ଟ ହୋଇଛି। ଦୁଇଦିନ ଧରି ନଈକୂଳିଆବାସୀ ଚିନ୍ତିତ ଅବସ୍ଥାରେ ଦିନ କାଟିବା ପରେ ଆଜିଠୁ ଆଶ୍ବସ୍ତ ହୋଇଛନ୍ତି। ଲଗାଣ ବର୍ଷା ଯୋଗୁ ବଂଶଧାରା ଜଳସ୍ତର ବିପଦ ସଙ୍କେତ ଟପିଥିଲା। ଦୁଇଦିନ ଧରି ଜଳସ୍ତର ସତର୍କ ଉପରେ ପ୍ରବାହିତ ହେଉଥିବା ବେଳେ ଆଜି ତଳେ ସତର୍କ ସଙ୍କେତ ତଳକୁ ଖସିଛି। ସଂଧ୍ୟା ୫ଟା ସୁଦ୍ଧା ବଂଶଧାରା ୮୨.୫୯ ମିଟରରେ ପ୍ରବାହିତ ହେଉଛି। ବଂଶଧାରାର ସତର୍କ ସଙ୍କେତ ୮୩ ମିଟର ଓ ବିପଦ ସଙ୍କେତ ରହିଛି ୮୪ ମିଟର। ଗତ ୨୪ ଘଣ୍ଟାରେ ରାୟଗଡ଼ା ଜିଲ୍ଲାରେ ୫୪.୮ ମିଟର ବର୍ଷା ହୋଇଛି। ଚନ୍ଦ୍ରପୁରରେ ସର୍ବାଧିକ ୨୧.୩ ମିମି ଏବଂ କାଶୀପୁରରେ ୧୪.୪ ମିମି ବର୍ଷା ହୋଇଛି। ଅନ୍ୟ ସମସ୍ତ ବ୍ଲକରେ ବର୍ଷା ପ୍ରଭାବଶୂନ୍ୟ ରହିଛି।