ପ୍ରଶାସନର ଶେଷ ପ୍ରୟାସ ବିଫଳ, ଭୋଟବର୍ଜନ ନିଷ୍ପତ୍ତିରେ ଅଟଳ ବେଙ୍କମୁରା ଗ୍ରାମବାସୀ

ପ୍ରଶାସନର ଶେଷ ପ୍ରୟାସ ବିଫଳ, ଭୋଟବର୍ଜନ ନିଷ୍ପତ୍ତିରେ ଅଟଳ ବେଙ୍କମୁରା ଗ୍ରାମବାସୀ

ଝାରସୁଗୁଡ଼ା: ଆଜି ଦିନତମାମ ଜିଲ୍ଲା ପ୍ରଶାସନର ଗାଡ଼ି ଝାରସୁଗୁଡ଼ାର ଏକ ଗ୍ରାମ ବେଙ୍କମୁରା ଅଭିମୂଖେ ଦୌଡିଛି । ଆଗରୁ ପ୍ରଶାସନକୁ ବିଦ୍ୟାଳୟ ଖୋଲିବାକୁ ବହୁବାର ଯୁକ୍ତିଯୁକ୍ତ ଦାବି କରିଥିଲେ ଗ୍ରାମବାସୀ, ସେତେବେଳେ ନା ଗୋଷ୍ଠୀ ଶିକ୍ଷା ଅଧିକାରୀ କର୍ଣ୍ଣପାତ କରିଥିଲେ ନା ଶୁଣିଥିଲା ଜିଲ୍ଲା ପ୍ରଶାସନ । ଏବେ କିନ୍ତୁ, ବାରମ୍ବାର ଆସି ଗ୍ରାମବାସୀଙ୍କୁ ବୁଝାଇବାକୁ ଉଦ୍ୟମ କରୁଛି ପ୍ରଶାସନ । ଭୋଟଦାନ ହେଉଛି ଆପଣଙ୍କ ଅଧିକାର, ଏହା ସାବ୍ୟସ୍ତ କରନ୍ତୁ, ଆମେ ଆପଣଙ୍କ କଥାକୁ ସରକାରଙ୍କ ନିକଟରେ ଉପସ୍ଥାପନ କରିବୁ । ଆଜି ଭୋଟ ଦିନର ଅବ୍ୟବହିତ ପୂର୍ବରୁ ଅନ୍ତିମ ଥର ପାଇଁ ଆସିଥିବା ଲଖନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଞ୍ଜୀବ ପଟେଲ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ପ୍ରଧାନ ଜନସାଧାରଣଙ୍କୁ ବୁଝାସୁଝା କରି ବିଫଳ ହୋଇଥିଲେ। ସେମାନେ ସ୍ବୀକାର କଲେ ଯେ ଭୌଗୋଳିକ ଦୃଷ୍ଟିରୁ ଏହି ବିଦ୍ୟାଳୟ ଖୋଲିବାର ଆବଶ୍ୟକତା ଯୁକ୍ତିଯୁକ୍ତ । ଆମେ ସରକାରଙ୍କୁ ପ୍ରସ୍ତାବ ପଠାଇବୁ ।

କ୍ରମାଗତ ତିନି ଦିନ ଧରି ପ୍ରଶାସନ ଓ ଗ୍ରାମବାସୀଙ୍କ ତରଫରୁ ଚାଲି ଆସୁଥିବା ଆଲୋଚନା ଆଜି ଶେଷ ଦିନରେ ମଧ୍ୟ ଫଳପ୍ରଦ ହୋଇପାରିନାହିଁ । ସ୍କୁଲ ଖୋଲିବ କିନ୍ତୁ କେବେ ଖୋଲିବ କେହି କହି ପାରୁ ନାହାନ୍ତି । ମନ୍ତ୍ରୀ, ନେତା ଓ ପ୍ରଶାସନର କ୍ରମାଗତ ବୁଝାସୁଝା ସତ୍ତ୍ୱେ ନିଜ ଜିଦରେ ଅଟଳ ରହିଲେ ବେଙ୍କମୁରା ଗ୍ରାମବାସୀ । ଆଜି ତିନିଥର ଗ୍ରାମବାସୀ ସହିତ ଆଲୋଚନା ହୋଇ ବିଫଳ ହୋଇଛି। ଅତୀତରେ ଅନେକ ପ୍ରତିଶ୍ରୁତି ଦେଇ ପରେ ଭୁଲି ଯାଇଥିବା ଗ୍ରାମବାସୀ ଅଭିଯୋଗ କରି ନିଜ ଜିଦ୍ ରେ ଅଟଳ ରହିଥିଲେ। ଶିକ୍ଷା ବିଭାଗ ଓ ପ୍ରଶାସନ ର ଭୁଲ ନିଷ୍ପତ୍ତିକୁ ଗ୍ରାମବାସୀ ଦାୟୀ କରିଛନ୍ତି । ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲଖନପୁର ବ୍ଲକ ଅନ୍ତର୍ଗତ ପଣ୍ଡରି ଗ୍ରାମ ପଞ୍ଚାୟତର ବେଙ୍କମୁରା ଗ୍ରାମରେ ଦୀର୍ଘ ବର୍ଷ ହେବ ଏକ ପ୍ରାଥମିକ ବିଦ୍ୟାଳୟ ଚଳି ଆସୁଥିବା ବେଳେ ହଠାତ୍ ଗତବର୍ଷ ଏହି ବିଦ୍ୟାଳୟକୁ ପ୍ରଶାସନ ତରଫରୁ ବନ୍ଦ କରି ଦିଆଯାଇ ବଲଣ୍ଡା ପ୍ରାଥମିକ ବିଦ୍ୟାଳୟ ସହିତ ମିଶାଇ ଦିଆଯାଇଥିଲା।

ଏହି ଗାଁରୁ ବଲଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୂରତା ୩ କିଲୋମିଟର ହୋଇଥିବାବେଳେ ଏହି ରାସ୍ତା ମଝିରେ ଜଙ୍ଗଲ ପଡ଼ୁଥିବାରୁ କୌଣସି ଛାତ୍ରଛାତ୍ରୀଙ୍କୁ ପଠାଇବାକୁ ଗ୍ରାମବାସୀ ଅମଙ୍ଗ ହୋଇଥିଲେ। ଫଳରେ ମିଶ୍ରଣ ହୋଇଥିବା ବିଦ୍ୟାଳୟରେ ଗ୍ରାମର ଜଣେ ହେଲେ ଛାତ୍ର ଛାତ୍ରୀ ନାମ ଲେଖାଇ ନାହାନ୍ତି । ପଣ୍ଡରି ଉଚ୍ଚ ବିଦ୍ୟାଳୟ ମଧ୍ୟ ଉକ୍ତ ଗ୍ରାମରୁ ୪ କିଲୋମିଟର ହୋଇଥିବାବେଳେ ରାସ୍ତାରେ ହୀରାକୁଦ ଜଳ ଭଣ୍ଡାର ଯୋଗୁଁ ଯାତାୟତରେ ସମସ୍ୟା ଦେଖା ଦେଇଥାଏ। ବର୍ତ୍ତମାନ ଗାଁ ରେ ୨୬ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରିବାକୁ ଥିବା ବେଳେ ସେମାନେ ଅଧିକାଂଶ ସମୟରେ ବିଦ୍ୟାଳୟ ଯାଉନାହାନ୍ତି । ଆଜି ଜିଲ୍ଲା ପ୍ରଶାସନକୁ ବିଦ୍ୟାଳୟ ଖୋଲିବାକୁ ଲିଖିତ ପ୍ରତିଶ୍ରୁତି ମାଗିବାରୁ ପ୍ରଶାସନ ଅସମର୍ଥ ହୋଇଥିବାରୁ ଗ୍ରାମବାସୀ ଭୋଟ ବର୍ଜନ ନିଷ୍ପତ୍ତିରେ ଅଟଳ ରହିଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe