ବାଲେଶ୍ବର/ଗୋପାଳପୁର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ ଖରାସାହାପୁରସ୍ଥିତ ବଙ୍ଗୋପସାଗର ସମୁଦ୍ର ମୁହାଣ, ପଞ୍ଚୁବିଶା ମତ୍ସ୍ୟାବତରଣ କେନ୍ଦ୍ର ଉପରେ ଉପକୂଳବର୍ତ୍ତୀ ଖରାସାହାପୁର, ଅଭଣା, ଆରୁହାବାଡ଼, ବରିପଦା ପଞ୍ଚାୟତର ପାଖାପାଖି ୧୦ ହଜାର ମତ୍ସ୍ୟଜୀବୀ ନିର୍ଭର କରନ୍ତି। ମାଛ ମାରିବା ନିମନ୍ତେ ୧୧୫ଟି ସରକାରୀ ପଞ୍ଜୀକୃତ ଯନ୍ତ୍ରଚାଳିତ ଡଙ୍ଗା ରହିଛି। ଏଥିସହ ବାହାନଗା ତହସିଲରୁ ୩୪ଟି ମାଳ ମଧ୍ୟ ନିଲାମ ନେଇ ମତ୍ସ୍ୟଜୀବୀମାନେ ମାଛ ମାରି ପରିବାର ପ୍ରତିପୋଷଣ କରନ୍ତି। ମାତ୍ର ଦୀର୍ଘବର୍ଷ ଧରି ପଞ୍ଚୁବିଶା ସମୁଦ୍ର ମୁହାଣ ପୋତି ହୋଇଯିବା କାରଣରୁ ପଞ୍ଚୁବିଶା ନଦୀ ମଧ୍ୟ ଦେଇ ମତ୍ସ୍ୟାବତରଣ କେନ୍ଦ୍ରରେ ପହଞ୍ଚି ପାରୁନି ମତ୍ସ୍ୟଜୀବୀଙ୍କ ଯନ୍ତ୍ର ଚାଳିତ ଡଙ୍ଗା। ଏବେ ଜୀବନଜୀବିକା ଚିନ୍ତାରେ ଉପକୂଳବର୍ତ୍ତୀ ଅଞ୍ଚଳର ହଜାର ହଜାର ମତ୍ସ୍ୟଜୀବୀ ପରିବାର।
ମତ୍ସ୍ୟଜୀବୀଙ୍କ ଜୀବନଜୀବିକାକୁ ଦୃଷ୍ଟିରେ ରଖି ପଞ୍ଚୁବିଶା ନଦୀମୁହାଣର ପୁନରୁଦ୍ଧାର ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ୨୦୧୫ ମସିହାରେ ତତ୍କାଳୀନ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ମନ୍ତ୍ରୀ ପ୍ରଦୀପ ମହାରଥୀ ଦେଢ଼ କୋଟି ଟଙ୍କା ବ୍ୟୟରେ ଉନ୍ନୀତ ପଞ୍ଚୁବିଶା ମତ୍ସ୍ୟାବତରଣ କେନ୍ଦ୍ରକୁ ଲୋକାର୍ପଣ କରିଥିଲେ। ସେଠାରେ ମତ୍ସ୍ୟଜୀବୀଙ୍କ ପାଇଁ ପାନୀୟ ଜଳର ସୁବିଧା, ମାଛ ଗଚ୍ଛିତ ରଖିବା ପାଇଁ ଗୋଦାମ ଘର, ମାଛ ଧରିବା ପରେ ପୃଥକୀକରଣ ପାଇଁ ଗୃହ ନିର୍ମାଣ ସହ ଆଲୋକୀକରଣର ବ୍ୟବସ୍ଥା କରାଯାଇଥିଲା। ହେଲେ ସମୁଦ୍ର ମୁହାଣ ଏବଂ ପଞ୍ଚୁବିଶା ନଦୀ ମାଟି ଓ ବାଲିରେ ପୋତିଯାଉଥିବାରୁ ମତ୍ସ୍ୟଜୀବୀଙ୍କ ଡଙ୍ଗା ମତ୍ସ୍ୟାବତରଣ କେନ୍ଦ୍ରରେ ପହଁଚିବାରେ ଅସୁବିଧାର ସମ୍ମୁଖୀନ ହେବାରୁ ପୁଣି ମନ୍ତ୍ରୀ ଶ୍ରୀ ମହାରଥୀଙ୍କୁ ପଞ୍ଚୁବିଶା ନଦୀ ଏବଂ ସମୁଦ୍ର ମୁହାଣର ପୁନରୁଦ୍ଧାର ପାଇଁ ମତ୍ସ୍ୟଜୀବୀଙ୍କ ତରଫରୁ ଦାବି କରାଯାଇଥିଲା। ​ହେଲେ କୌଣସି ସୁଫଳ ନମିଳିବାରୁ ନିଜର କୁଳବେଉସା ବଞ୍ଚାଇବା ପାଇଁ ୨୦୧୭ ମସିହାରେ ସ୍ଥାନୀୟ ଅଞ୍ଚଳର ପାଖାପାଖି ୨ ହଜାର ମତ୍ସ୍ୟଜୀବୀ ଏକାଠି ହୋଇଥିଲେ ଏବଂ କୋଦାଳରେ ନଦୀ ସହିତ ମୁହାଣ ଖୋଳିଥିଲେ। ଯାହା ସରକାରୀ ବ୍ୟବସ୍ଥା ଉପରେ ଆଙ୍ଗୁଳି ଉଠାଇଥିଲା। ୨୦୧୭ ମସିହାରେ ସରକାରୀ ଭାବେ ଅର୍ଥ ମଞ୍ଜୁର କରାଯାଇ ନଦୀର ଉପର ମୁଣ୍ଡରୁ ଜେଟି ପର୍ଯ୍ୟନ୍ତ ଆଂଶିକ ପୁନରୁଦ୍ଧାର କରାଯାଇଥିଲା। ଏହାପରେ ନଦୀରେ ଡଙ୍ଗା କୂଳକୁ ଆଣିବାରେ ସହଜ ହେବ ବୋଲି ମତ୍ସ୍ୟଜୀବୀମାନେ ଆଶା ବାନ୍ଧିଥିଲେ। ହେଲେ ପ୍ରକଳ୍ପ କାମ ଅଧା ରହିଯିବାରୁ କୋଟି କୋଟି ଟଙ୍କାର ସରକାରୀ ଅର୍ଥ ସେଠାରେ ଖର୍ଚ୍ଚ ହେବା ପରେ ମଧ୍ୟ ୯ ବର୍ଷ ହେଲା ମତ୍ସ୍ୟଜୀବୀଙ୍କ ଦୁଃଖ ଯଥା ପୂର୍ବଂ ତଥା ପରଂ ହୋଇ ରହିଛି।
ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀଙ୍କ ଉନ୍ନତି ପାଇଁ ସରକାରୀ ଯୋଜନା ଅପହଞ୍ଚ ଥିବା ବେଳେ ଅଞ୍ଚଳର ପ୍ରଗତି ପାଇଁ ଜନପ୍ରତିନିଧିମାନେ ନେଉଥିବା ପଦକ୍ଷେପ ଉପରେ ମତ୍ସ୍ୟଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି। ସରକାରୀ ଭାବେ ସମୁଦ୍ର ମୁହାଣକୁ ସମ୍ପୂର୍ଣ୍ଣ ଖୋଳା ଯାଇପାରିଲେ ବଡ଼ବଡ଼ ଯନ୍ତ୍ରଚାଳିତ ମାଛଧରା ଡଙ୍ଗା କୂଳକୁ ଆସିପାରନ୍ତା। ମତ୍ସ୍ୟଜୀବୀଙ୍କ ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ ଏବଂ ଜନପ୍ରତିନିଧିମାନେ ବିଶେଷ ଭାବେ ଧ୍ୟାନ ଦେଲେ ପଞ୍ଚୁବିଶା ନଦୀ ମୁହାଣର ପୁନରୁଦ୍ଧାର ଦିଗରେ ଆଶା ଉଜ୍ଜ୍ବଳ ହୋଇପାରନ୍ତା ଏବଂ ଏ ଅଞ୍ଚଳର ହଜାର ହଜାର ମତ୍ସ୍ୟଜୀବୀଙ୍କ ମୁହଁରେ ହସ ଫୁଟିବା ସହ ଅର୍ଥନୈତିକ ମେରୁଦଣ୍ଡ ସୁଦୃଢ଼ ହୋଇପାରନ୍ତା।