ବଣାଇଗଡ଼: ପିଲାମାନେ ସ୍କୁଲ ଯିବାପାଇଁ ଉତ୍ସାହିତ ହେବା ନିମନ୍ତେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ମାଗଣାରେ ପାଠ୍ୟପୁସ୍ତକ, ପୋଷାକ, ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରିଛନ୍ତି। ତେବେ ​କେଉଁଠି ପାଠପଢ଼ାର ମୌଳିକ ଆବଶ୍ୟକତା ଶ୍ରେଣୀଗୃହ ନାହିଁ ତ କେଉଁଠି ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି। ଫଳରେ ଦେଶର ଭବିଷ୍ୟତ ଗଢ଼ା ଯାଉଥିବା ଏହି କାରଖାନାଗୁଡ଼ିକ ଏବେ ଦୟନୀୟ ସ୍ଥିତିରେ। ବଣାଇ ବ୍ଲକ୍‌ ଜକୈକଳା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ହେଉଛି ଏହାର ଏକ ଉଦାହରଣ।

Advertisment

୧୯୦୪ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ବର୍ତ୍ତମାନ ତିନିଜଣ ଶିକ୍ଷକଙ୍କୁ ନେଇ ୯୦ରୁ ଅଧିକ ଛାତ୍ରଛାତ୍ରୀ ପ୍ରଥମରୁ ପଞ୍ଚମଶ୍ରେଣୀରେ ପଢ଼ୁଛନ୍ତି। ତେବେ ସ୍କୁଲ ମରାମତି କାର୍ଯ୍ୟ ଅଧପନ୍ତରିଆ ଭାବେ ପଡ଼ି ରହିଥିବା ଯୋଗୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଏହି ପୁରାତନ ସ୍କୁଲର ରୂପାନ୍ତରଣ କାର୍ଯ୍ୟ ହାତକୁ ନିଆଯାଇଥିଲେ ମଧ୍ୟ ଦୀର୍ଘ ଆଠମାସରୁ ଅଧିକ ହେବ ସ୍କୁଲ କୋଠା କାର୍ଯ୍ୟ ଅଧପନ୍ତରିଆ ଅବସ୍ଥାରେ ପଡ଼ିଛି। ବାରଣ୍ଡାକୁ ଖୋଳି ଦିଆ ଯାଇଥିବାବେଳେ ସେହି ରାସ୍ତାରେ ଛାତ୍ରଛାତ୍ରୀ ଯିବାଆସିବା କରୁଛନ୍ତି। ବେଳେବେଳେ ସେଥିରେ ଝୁଣ୍ଟି ଛୋଟଛୋଟ ପିଲା ଖଣ୍ଡିଆଖାବରା ହେଉଛନ୍ତି।

ମୁଖ୍ୟ ଫାଟକଟି ଅର୍ଦ୍ଧନିର୍ମିତ ହୋଇ ଖୋଲା ପଡ଼ିଥିବାରୁ ପରିସରକୁ ବୁଲାପ୍ରାଣୀଙ୍କ ଅବାଧ ପ୍ରବେଶ ଲାଗିରହିଛି। ଏକ ସ୍ବାସ୍ଥ୍ୟକର ପରିବେଶରେ ଛାତ୍ରଛାତ୍ରୀଙ୍କ ପାଇଁ ଖାଦ୍ୟ ରୋଷେଇ କରିବାକୁ ନିର୍ଦେଶ ଥିଲେ ମଧ୍ୟ, ରୋଷେଇଘର କାର୍ଯ୍ୟ ସଂପୂର୍ଣ୍ଣ ହୋଇନଥିବାରୁ ଧୂଳିଧୂସରିତ ବାରଣ୍ଡାରେ ଖାଦ୍ୟ ରୋଷେଇ ହେଉଥିବା ଦେଖିବାକୁ ମିଳିଛି। ଶିକ୍ଷା ବିଭାଗ କିଂବା ସ୍ଥାନୀୟ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ତୁରନ୍ତ ସ୍କୁଲ ମରାମତି ସାରିବାକୁ ଗ୍ରାମବାସୀ ଦାବି କରିଛନ୍ତି।