ଚନ୍ଦନେଶ୍ୱର: ଆଉ କେଇଟା ଦିନ ପରେ ମହାଶିବରାତ୍ରି ଓ ବାବା ଚନ୍ଦନେଶ୍ୱର ଜିଉଙ୍କ ବିଶ୍ବ ପ୍ରସିଦ୍ଧ ଚଡ଼କ ମେଳା। ଏବେରୁ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତେବେ ମେଳା ପରିଚାଳନା ନେଇ ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି। କାରଣ; ମନ୍ଦିର ଓ ଏହାର ବିକାଶମୂଳକ କାମ ମନ୍ଥର ଗତିରେ ଚାଲିଛି। ଶିବରାତ୍ରି ଓ ମେଳା ବେଳକୁ ସରିବା ନେଇ ସଂଦେହ ସୃଷ୍ଟି ହୋଇଛି। ଯଦି କାମ ନସରେ; ଲକ୍ଷ ଲକ୍ଷ ଭକ୍ତ କିପରି ଠାକୁରଙ୍କ ଦର୍ଶନ କରିବେ ଏବଂ ନୀତିକାନ୍ତି କିପରି ସଂପନ୍ନ ହେବ, ସେନେଇ ପ୍ରଶ୍ନ ଉଠିଛି।
ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ଚନ୍ଦନେଶ୍ବରରେ ରହିଛି ବାବା ଚନ୍ଦନେଶ୍ୱର ଜିଉଙ୍କ ମନ୍ଦିର। ଏଠାରେ ପ୍ରତିବର୍ଷ ମହାଶିବରାତ୍ରି ଓ ବିଶ୍ବ ପ୍ରସିଦ୍ଧ ଚଡ଼କ ମେଳା ହୋଇଥାଏ। ଯେଉଁଠି ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୁଏ। ଏଥର ମଧ୍ୟ ଭକ୍ତଙ୍କ ବେଶ୍‌ ଭିଡ଼ ଜମିବ ବୋଲି ଆକଳନ କରାଯାଉଛି।

Advertisment

ତେବେ ଶିବରାତ୍ରି ଓ ମେଳା ପରିଚାଳନା ନେଇ ଅନେକ ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି। କାରଣ ରାଜ୍ୟ ସରକାର ଦୁଇଟି ପର୍ଯ୍ୟାୟରେ ଦେଇଥିବା ମୋଟ ୯ କୋଟି ୩୫ ଲକ୍ଷ ଟଙ୍କାରେ ହେଉଥିବା ବିକାଶମୂଳକ କାମ ମନ୍ଥର ଗତିରେ ଚାଲିଛି। ନୀଳ ପୋଖରୀର ପାହାଚ ନିର୍ମାଣ ଓ ଆଲୋକୀକରଣ ସହ କିଛି ସୌର୍ନ୍ଦୀକରଣ କାମ ସରିଛି। ହେଲେ ବଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ କାମ ସହ ମନ୍ଦିରର ଗର୍ଭଗୃହ ସୌନ୍ଦର୍ଯ୍ୟୀକରଣ, ମୁଣ୍ଡନ ପୋଖରୀରେ ପାହାଚ ନିର୍ମାଣ, ମୁଣ୍ଡନ ଗୃହ ନିର୍ମାଣ, ଭକ୍ତମାନଙ୍କ ପଦଧୁଆ ପରିସର, ପାର୍କ, ଭକ୍ତଙ୍କର ବସ୍ତ୍ର ପରିବର୍ତ୍ତନ ଗୃହ କାମ ସରିବାକୁ ଆହୁରି ବେଶ୍‌ କିଛିଦିନ ଲାଗିବ। ଏପରି ସମୟରେ ଚନ୍ଦନେଶ୍ବର ମନ୍ଦିର ପରିସର ଭଗ୍ନସ୍ତୁପର ଭ୍ରମ ସୃଷ୍ଟି କରୁଛି। ଉଲ୍ଲେଖ ଥାଉକି ଉପଯୁକ୍ତ ଶୌଚାଳୟ ବ୍ୟବସ୍ଥା ନଥିବାରୁ ଭକ୍ତମାନେ ନୀଳ ପୋଖରୀ ହୁଡ଼ାରେ ଥିବା ନିର୍ମାଣାଧୀନ ବସ୍ତ୍ର ପରିବର୍ତ୍ତନ ଗୃହରେ ପରିସ୍ରା କରୁଛନ୍ତି। ଫଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ସେହିପରି ମୁଣ୍ଡନ ପୋଖରୀରୁ ପଙ୍କ ଉଦ୍ଧାର ନକରି ପୂର୍ତ୍ତ ବିଭାଗ ପାଚେରି ନିର୍ମାଣ କରୁଛି।

ତେବେ ପ୍ରଶାସନର ଏପରି ମନମୁଖି ଓ ଦାୟିତ୍ବହୀନ କାମକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଅନ୍ୟପଟେ ଚନ୍ଦନେଶ୍ୱର ଭଣ୍ଡାରୀ ସେବାୟତ ଓ ସେବାୟତ ସଂଘର ସଦସ୍ୟଙ୍କ ସହ ସେବାୟତ ବୁଦ୍ଧଦେବ ପଣ୍ଡା, ଅରୁଣ ପଣ୍ଡା, ଗୌତମ ପଣ୍ଡା ପ୍ରମୁଖ ଯୁଦ୍ଧକାଳୀନ ଭିତ୍ତିରେ କାମ ସାରିବାକୁ ଦାବି କରିଛନ୍ତି। ଏ ନେଇ ମନ୍ଦିର ମୌରସୀ ତପନ କୁମାର ପଣ୍ଡାଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଥିଲେ, ଶୀଘ୍ର କାମ ନସରିଲେ ମହାଶିବରାତ୍ରି ଓ ଚଡ଼କ ମେଳାରେ ଭକ୍ତମାନେ ନାନା ସମସ୍ୟାରେ ପଡ଼ିବେ। କେବଳ ସେତିକି ନୁହେଁ, ମନ୍ଦିର ପରିଚାଳନା କମିଟି ଭିଡ଼ ନିୟନ୍ତ୍ରଣ କରିବାରେ ଅସମର୍ଥ ହେବ। ଏପରି ସମୟରେ ଅଘଟଣ ଘଟିବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବନି। ସେହିପରି ମନ୍ଦିର ପରିଚାଳନା କମିଟି କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଭୋଗରାଇ ତହସିଲଦାର ହିମାଂଶୁ ଗିରିଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଛନ୍ତି, ପର୍ବ ପୂର୍ବରୁ କେମିତି ସବୁ କାମ ସରିବ, ସେ ନେଇ ବ୍ୟବସ୍ଥା କରାଯାଉଛି। ଭକ୍ତମାନଙ୍କର କୌଣସି ଅସୁବିଧା ହେବନି।