କେବଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୁଲାରେ ଅଟକିଛି ବିକାଶ
ରୋଗୀଙ୍କ ସମ୍ପର୍କୀୟଙ୍କ ବିଶ୍ରାମ କକ୍ଷ ସ୍ଥାନ ନିରୂପଣ କଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିକାଶ କେବଳ ଜିଲ୍ଲାଧିକାରୀ, ସଚିବ ଓ ମନ୍ତ୍ରୀଙ୍କ ପରିଦର୍ଶରେ ସୀମିତ ରହିଯାଇଛି। ଆଜିକୁ ମିଶାଇ ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୪ଥର ଜିଲ୍ଲାପାଳ ଗସ୍ତ କରି ଥିବା ବେଳେ ୩ଥର ବିଭାଗୀୟ ସଚିବ, ନିର୍ଦେଶକ ଓ କମିଟି ଗସ୍ତ କରିଛନ୍ତି। ଏହା ସତ୍ୱେ ମଧ୍ୟ ଚିକିତ୍ସାଳୟର ଅନେକ ଆନୁସଙ୍ଗିକ ଭିତ୍ତିଭୂମି ଯଥାପୂର୍ବ ତଥା ପର ହୋଇ ରହିଛି। ଆଜି ସକାଳେ ଜିଲ୍ଳାପାଳ କେ ସୁଦର୍ଶନ ଚକ୍ରବର୍ତୀ, ଆରକ୍ଷୀ ଅଧୀକ୍ଷକ ସିର୍ଦ୍ଧାର୍ଥ କଟ୍ଟାରିଆ, ଜିଲ୍ଲା ସ୍ୱାସ୍ଥ୍ୟାଧିକାରୀ ବିଶ୍ୱମୋହନ ମିଶ୍ର, ଚିକିତ୍ସାଳୟ ପରିଚାଳକ ବିନାୟକ ପାଣିଗ୍ରାହୀ, ଆର୍ଆଣ୍ଡବିର ଏସ୍ଡିଓ, କନିଷ୍ଠଯନ୍ତ୍ରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପହଂଚିଥିଲେ। ରୋଗୀଙ୍କ ସମ୍ପର୍କୀୟଙ୍କ ବିଶ୍ରାମ କକ୍ଷ ନିର୍ମାଣ ନିମନ୍ତେ ସ୍ଥାନ ନିରୂପଣ କରିବା ନିମନ୍ତେ ଚିହ୍ନଟ ହୋଇଥିବା ଜାଗାର ସମୀକ୍ଷା କରିଥିଲେ। ଏହାସହ ଆହାର କେନ୍ଦ୍ରର ପରିଚାଳନା ଦେଖିବା ସହ ସେଠାରେ ଖାଦ୍ୟ ଖାଇଥିଲେ। ନିର୍ମାଣ ହୋଇଥିବା ପ୍ରାଚୀରର ସ୍ଥିତି ପରଖି ଥିଲେ। ଏହାସହ ଚିକିତ୍ସାଳୟ ପରିସରରେ ଉଠାଦୋକାନଗୁଡ଼ିକର ଭିଡ଼, ଘରୋଇ ଆମ୍ବୁଲାନ୍ସ ଆଦିର ଦର ତାଲିକା ଟଙ୍ଗା ହୋଇନଥିବା ଦେଖି ତାଗିଦ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ଚଳିତ ବର୍ଷ ୪ଥର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ଚିକିତ୍ସାଳୟର ଏଭଳି ସ୍ଥିତି ନେଇ କ୍ଷୋଭ ପ୍ରକାଶ କରି ପଦକ୍ଷେପ ନେବାକୁ ତାଗିଦ କରି ଫେରିଛନ୍ତି, କିନ୍ତୁ ଚିକିତ୍ସାଳୟ ପରିସରର ଅବ୍ୟବସ୍ଥାରେ କୌଣସି ପରିବର୍ତନ ଆସିପାରିନାହିଁ। ଚିକିତ୍ସାଳୟ ପ୍ରାଚୀର ନିର୍ମାଣ ହେବା ପରେ ଏକ ଫାଣ୍ଡି ସ୍ଥାପନ ପାଇଁ ଯୋଜନା ରହିଥିଲା, ସେହି ଯୋଜନା କେବଳ ପ୍ରତିଶ୍ରୁତିରେ ଅଟକି ଯାଇଛି। ଉଠଦୋକାନୀଙ୍କୁ ଉଚ୍ଛେଦ କରିବାକୁ ନିର୍ଦେଶ ରହିଥିଲେ ମଧ୍ୟ ସେମାନଙ୍କ ସଂଖ୍ୟା କମିବା ପରିବର୍ତେ ବୃଦ୍ଧି ପାଇଛି। ନିର୍ଦ୍ଧାରିତ ପାର୍କିଂ ସ୍ଥାନରେ ଘରୋଇ ଆମ୍ବୁଲାନ୍ସ ରଖିବା ଓ ରୋଗୀଙ୍କୁ ଶୋଷଣ ନିୟନ୍ତ୍ରଣ ପାଇଁ ଦର ତାଲିକା ଲଗାଇବା ନେଇ ନିର୍ଦେଶ ଦିଆଯାଇଥିଲେ ମଧ୍ୟ ଏହା ପାଳନ ହୋଇପାରିନାହିଁ। କେବଳ ଏହାନୁହେଁ, ଆପତକାଳୀନ ଓ ଆଶୁ ଚିକିତ୍ସା ବିଭାଗରେ ବରିଷ୍ଠ ନାଗରିକ, ଭିନ୍ନକ୍ଷମଙ୍କ ପଂଜୀକରଣ ଓ ଚିକତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାର ନିୟମ ରହିଥିଲେ ମଧ୍ୟ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। କେବଳ ପରିଦର୍ଶନ ଓ ସମୀକ୍ଷା କଲେ ଚାରିଟି ଜିଲ୍ଲାର ଗ୍ରାମାଂଚଳର ଗରିବ ଲୋକ ନିର୍ଭର କରୁଥିବା ଜିଲ୍ଲା ଚିକିତ୍ସାଳୟର ବିକାଶ ସମ୍ଭବ ନୁହେଁ ଏହାକୁ କଡ଼ାକଡ଼ି ପାଳନ କରିବାର ବ୍ୟବସ୍ଥା କରାଯିବା ଉଚିତ ବୋଲି ରୋଗୀଙ୍କ ସମ୍ପର୍କୀୟ ଓ ସହରର ବରିଷ୍ଠ ନାଗରିକଙ୍କ ପକ୍ଷରୁ ମତ ପ୍ରକାଶ ପାଇଛି।