ରାଉରକେଲା: ଶ୍ରମିକ ଓ ସେମାନଙ୍କ ପରିବାରକୁ ଚିକିତ୍ସାସେବା ଯୋଗାଇବାରେ ଇଏସ୍‌ଆଇସି ଡିସ୍‌ପେନ୍‌ସାରି ବିଫଳ ହୋଇଛି। ଆବଶ୍ୟକୀୟ ଭିତ୍ତିଭୂମି ନ ଥାଇ ଡିସ୍‌ପେନ୍‌ସାରି ଖୋଲି ଦିଆଯାଉଛି। ଜିଲ୍ଲାରେ ଗୋଟିଏ କି ଦୁଇଟି ନୁହେଁ ଏକାଧିକ ଡିସ୍‌ପେନ୍‌ସାରିରେ ଏମିତି ସମସ୍ୟା ଉପୁଜିଛି। ଅଧିକାଂଶ ସମୟରେ ଶ୍ରମିକମାନେ ଡିସ୍‌ପେନ୍‌ସାରିକୁ ଆସୁଥିଲେ ହେଁ, ଡାକ୍ତର ନଥିବାରୁ ଫେରି ଯାଉଛନ୍ତି। ଏମିତି ଅଭିଯୋଗ ଆଣିଛନ୍ତି ସିମୁ’ର ସାଧାରଣ ସମ୍ପାଦକ ଜାହାଙ୍ଗୀର ଅଲ୍ଲୀ। ଇଏସ୍‌ଆଇ ଏଭଳି ଖାମ୍‌ଖିଆଲି ମନୋଭାବ ନଛାଡ଼ିଲେ ବୀମାଧାରୀମାନଙ୍କୁ ନେଇ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।‌ ସେ କହିଛନ୍ତି, ନୂଆ ଡିସ୍‌ପେନ୍‌ସାରି ପାଇଁ ବହୁଦିନ ଧରି ଆନ୍ଦୋଳନ ଜାରି ରହିଛି। ଇଏସ୍‌ଆଇ ବଣାଇ ଓ କୋଇଡାରେ ଡିସ୍‌ପେନ୍‌ସାରି ଖୋଲିବାକୁ ନିଷ୍ପତ୍ତି ନେଇଛି।

Advertisment

ଦୁଇଟି ସ୍ଥାନରେ ଉପଯୁକ୍ତ ଆନୁଷଙ୍ଗିକ ବ୍ୟବସ୍ଥା ନଥାଇ ଡିସ୍‌ପେନ୍‌ସାରି ଖୋଲିଦିଆଯାଇଛି। ବଣାଇରେ ସପ୍ତାହରେ ୩ ଦିନ ଜଣେ ଡାକ୍ତରଙ୍କୁ ନେଇ ଖୋଲାଯିବ। ସେ କୁଆରମୁଣ୍ଡା ଡିସ୍‌ପେନ୍‌ସାରିରେ ଏକମାତ୍ର ଡାକ୍ତର ଭାବେ କାର୍ଯ୍ୟ କରୁଛନ୍ତି। କୁଆରମୁଣ୍ଡାରେ ହଜାର ହଜାର ବୀମାଧାରୀ ରହିଥିବାବେଳେ ସେଠାରେ ଅଧିକ ଡାକ୍ତରଙ୍କ ଆବଶ୍ୟକତା ରହିଛି। ସେ ପୂର୍ବରୁ ୬ ଦିନ କାର୍ଯ୍ୟ କରୁଥିଲେ। ଏଣିକି ମାତ୍ର ୩ ଦିନ କାର୍ଯ୍ୟ କରିବେ। ବଣାଇରେ ମଧ୍ୟ ସେହି ସମାନ ସମସ୍ୟା। କୋଇଡା ଡିସ୍‌ପେନ୍‌ସାରିରେ ବିଶ୍ରା ଡିସ୍‌ପେନ୍‌ସାରିରୁ ଡାକ୍ତରକୁ ନିଆଯାଇଛି। ବିଶ୍ରା ଡିସ୍‌ପେନ୍‌ସାରିରେ ୫ ଡାକ୍ତର ଆବଶ୍ୟକ ଥିଲାବେଳେ, ଅଛନ୍ତି ମାତ୍ର ଦୁଇଜଣ। ତେଣୁ ଏଠାରେ ରୋଗୀଙ୍କୁ ହଇରାଣ କରି କୋଇଡା ଡିସ୍‌ପେନ୍‌ସାରିକୁ ଡାକ୍ତରଙ୍କୁ ନେଇଯିବା ଆଦୌ ଯୁକ୍ତିଯୁକ୍ତ ନୁହେଁ ବୋଲି କହିଛନ୍ତି। ଡିସ୍‌ପେନ୍‌ସାରିରେ ଉନ୍ନତ ଚିକିତ୍ସା ସହିତ ଉପଯୁକ୍ତ ଡାକ୍ତର, ପାରାମେଡ଼ିକାଲ ଷ୍ଟାଫ୍‌, ନର୍ସ, ଟେକ୍ନିସିଆନ୍‌, ପାର୍ମାସିଷ୍ଟ ଓ ଆବଶ୍ୟକ ଔଷଧ ପାଇଁ ସେ ଦାବି କରିଛନ୍ତି।