ଗାରୋଇ: ନାଉଗାଁ ବ୍ଲକ୍ ଉପାନ୍ତ ଅଞ୍ଚଳରେ ପ୍ରାଣୀ ଚିକିତ୍ସାର ବିକଳ ଚିତ୍ର ସାମ୍ନାକୁ ଆସିଛି। କୋରୁଅ ପଞ୍ଚାୟତ ଅଧୀନ ଗାରୋଇ ପ୍ରାଣୀଧନ ସହାୟକ କେନ୍ଦ୍ର ଏବେ ଭଗବାନଙ୍କ ଭରସାରେ ଚାଲିଛି। ଏଠାରେ ପ୍ରାଣୀଧନ ନିରୀକ୍ଷକ ନିୟୋଜିତ ହୋଇଛନ୍ତି। ହେଲେ, ତାଙ୍କର ଦେଖାନାହିଁ। ସ୍ବାସ୍ଥ୍ୟସେବକଙ୍କ ହାତରେ ପ୍ରାଣୀ ଚିକିତ୍ସା ଚାଲିଛି। ପ୍ରାଣୀଧନ ନିରୀକ୍ଷକ ଜଣକ ଗାରୋଇ ସମେତ ତିରୁଣା ପ୍ରାଣୀ ଚିକିତ୍ସାଳୟ ଦାୟିତ୍ବରେ ଥିବା ଉପରିସ୍ଥ ଅଧିକାରୀ କହୁଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା, ତିରୁଣା ପ୍ରାଣୀ ଚିକିତ୍ସାଳୟ ୧୦ ବର୍ଷ ହେଲା ବନ୍ଦ ପଡ଼ିଛି। ଚିକିତ୍ସାଳୟ ବନ୍ଦ ପଡ଼ିବା ଓ ଅଧିକାରୀ ନ ଜାଣିବା ଘଟଣା ଏହି ଅଞ୍ଚଳରେ ପ୍ରାଣୀ ଚିକିତ୍ସାର ସ୍ଥିତି କିପରି ଚାଲିଛି ତାହା ସ୍ପଷ୍ଟ ବୁଝା ପଡ଼ୁଛି। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ଗାରୋଇରେ ୫ରୁ ୬ ବର୍ଷରୁ ଅଧିକ ହେବ ସ୍ବାସ୍ଥ୍ୟସେବକ ରଞ୍ଜନ ମହାନ୍ତି ପ୍ରାଣୀଧନ ନିରୀକ୍ଷକଙ୍କ ଦାୟିତ୍ବ ତୁଲାଇ ଆସୁଛନ୍ତି।
ଗୋଚିକିତ୍ସାଠାରୁ ଆରମ୍ଭ କରି କୃତିମ ପ୍ରଜନନ ପର୍ଯ୍ୟନ୍ତ ସବୁ କାର୍ଯ୍ୟ କରୁଛନ୍ତି। ହେଲେ, ଏଠାରେ ନିଯୁକ୍ତ ପ୍ରଣୀଧନ ନିରୀକ୍ଷକ ଡା. ସଚିଦାନନ୍ଦ ପୋଥାଳଙ୍କୁ ଦେଖା ମିଳୁନି। ସିଏ କୁଆଡ଼େ ଗାରୋଇ ସମେତ ତିରୁଣାରେ ଅବସ୍ଥାପିତ ଥିବା ଅଧିକାରୀ କହୁଛନ୍ତି। କିନ୍ତୁ ତିରୁଣା ପ୍ରାଣୀ ଚିକିତ୍ସାଳୟ ବନ୍ଦ ପଡ଼ିଛି। ଗାରୋଇ ଅଞ୍ଚଳର ଗୋଚାଷୀ ଚିତ୍ରସେନ ବିଶ୍ବାଳ, ବଳରାମ ଜେନା, ଅଭୟ ଜେନା, ବିଭୁପ୍ରସାଦ ବିଶ୍ବାଳ, ବିକ୍ରମ ବିଶ୍ବାଳ ପ୍ରମୁଖଙ୍କ କହିବାନୁଯାୟୀ, ସେମାନେ ଥରୁଟିଏ ବି ଏଠାରେ ପ୍ରାଣୀଧନ ନିରୀକ୍ଷକଙ୍କୁ ଦେଖି ନାହାନ୍ତି। ବ୍ଲକ ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ଅତିରିକ୍ତ ଚିକିତ୍ସା ଅଧିକାରୀ ଡା. ଶୁଭେନ୍ଦୁ ସେଠୀ କହିଛନ୍ତି, ଗାରୋଇ କେନ୍ଦ୍ରରେ ନିୟୋଜିତ ପ୍ରାଣୀଧନ ନିରୀକ୍ଷକ ଡେରିକି ପଞ୍ଚାୟତ ବନ୍ଧମୁଣ୍ତା ପ୍ରାଣୀ ଚିକିତ୍ସାଳୟର ଦାୟିତ୍ବ ତୁଲାଉଛନ୍ତି। ତେବେ ବନ୍ଧମୁଣ୍ତାରେ କୌଣସି ପ୍ରାଣୀ ଚିକିତ୍ସାଳୟ ନାହିଁ ବୋଲି କହିବାରୁ ଶ୍ରୀ ସେଠୀ ନିଜର ତ୍ରୁଟି ସ୍ବୀକାର କରି ସଂପୃକ୍ତ ପ୍ରାଣୀଧନ ନିରୀକ୍ଷକ ତିରୁଣାରେ ଅବସ୍ଥାପିତ ଥିବା କହିଥିଲେ। ହେଲେ, ତିରୁଣା ପ୍ରାଣୀ ସହାୟତା କେନ୍ଦ୍ର କାର୍ଯ୍ୟକ୍ଷମ ନ ହୋଇ ୧୦ ବର୍ଷ ହେଲା ପଡି ରହିଛି। ପ୍ରାଣୀଧନ ନିରୀକ୍ଷକ କେଉଁଠି ନିଯୁକ୍ତି ପାଇଛନ୍ତି ସେ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କ ପାଖରେ ଖବର ନ ରହିବା ଘଟଣା ଦର୍ଶାଉଛି ଯେ ନାଉଗାଁ ବ୍ଲକ୍ ଉପାନ୍ତ ଅଞ୍ଚଳରେ ପ୍ରାଣୀ ଚିକିତ୍ସା ଭଗବାନଙ୍କ ଭରସାରେ ଚାଲିଛି। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ଡା. ବୀରକିଶୋର ପରିଡା କହିଛନ୍ତି, ଏହି ସମସ୍ୟାର ପ୍ରତିକାର ନିମନ୍ତେ ପଦକ୍ଷେପ ନିଆଯିବ।