ବହୁଦିନ ହେଲା ବିନା ଡାକ୍ତରରେ ଚାଲିଛି ନିଶ୍ଚେତକ ଓ ସର୍ଜରୀ ବିଭାଗ

ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ନାହାନ୍ତି ଅଧାରୁ ଅଧିକ ଡାକ୍ତର ଓ କର୍ମଚାରୀ

ଭଞ୍ଜନଗର : ତୃଣମୂଳ ସ୍ତରରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ସରକାର ଯୋଜନା କରୁଛନ୍ତି। କିନ୍ତୁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାକୁ ଦେଖିଲେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ମିଳୁଥିବା ସେବା ମଧ୍ୟ ଏଠାରେ ଉପଲବ୍ଧ ହୋଇପାରୁନି। କେବଳ ବଡବଡ କୋଠା ରହିଥିବା ବେଳେ ରୋଗୀ ସେବା ଦୁର୍ବଳ ହୋଇପଡିଛି। ଡାକ୍ତର ଅଭାବ ସାଙ୍ଗକୁ ରହିଛି ଆନୁଷଙ୍ଗିକ ଅବ୍ୟବସ୍ଥା। ଏଠାରେ ୨୪ ଜଣ ଡାକ୍ତରଙ୍କ ସ୍ଥାନରେ ଅଛନ୍ତି ମାତ୍ର ୧୧ ଜଣ। ପୁଣି ସେଥିରୁ ବିଶେଷଜ୍ଞ ୧୪ ଜଣରୁ ଅଛନ୍ତି ୭ ଜଣ।

ଅଧାରୁ ଅଧିକା ଡାକ୍ତର ପଦବି ଖାଲି ପଡିଥିବା ବେଳେ ସେଥିମଧ୍ୟରୁ ସର୍ଜରୀ, ଆନାସ୍ଥେସିଆ, ଅର୍ଥୋପେଡିକ ଓ ଚକ୍ଷୁ ପରି ଗୁରୁତ୍ବପୂର୍ଣ ବିଭାଗରେ ଦୀର୍ଘ ବର୍ଷ ହେଲା କେହି ବିଶେଷଜ୍ଞ ନାହାନ୍ତି। ଡାକ୍ତରଙ୍କ ଅଭାବ ସହିତ ସହଯୋଗୀ ପଦବି ଗୁଡିକର ଅବସ୍ଥା ମଧ୍ୟ ଅନୂରୁପ ଖାଲି ରହିଛି। ମାତ୍ର ଅଧାରୁ କମ୍ ଡାକ୍ତରଙ୍କୁ ନେଇ ଚାଲିଛି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ। ଗଞ୍ଜାମ ଜିଲ୍ଲାର ପ୍ରମୁଖ ସଦର ମହକୁମା ଭାବେ ପରିଚିତ ଭଞ୍ଜନଗର ଉପଖଣ୍ତ ଡାକ୍ତରଖାନାର ଏ ହେଉଛି ବାସ୍ତବ ଚିତ୍ର। ସଂପ୍ରତି କରୋନା ପାଇଁ ରୋଗୀ ସଂଖ୍ୟା ପୂର୍ବାପେକ୍ଷା ହ୍ରାସ ପାଇଥିଲେ ମଧ୍ୟ କରୋନାକୁ ବାଦ ଦେଇ ଅନ୍ୟ ରୋଗୀ ସଂଖ୍ୟା ମଧ୍ୟ କିଛି କମ୍ ହୋଇନାହିଁ। ଡାକ୍ତର ଅଭାବରୁ ଏଠାକୁ ଆସୁଥିବା ହଜାର ହଜାର ରୋଗୀ ପ୍ରତିଦିନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଏହି ଡାକ୍ତରଖାନା ଉପରେ କେବଳ ଉପଖଣ୍ଡ ସମେତ କନ୍ଧମାଳ ଓ ନୟାଗଡ ଜିଲ୍ଲାର କିଛି ରୋଗୀ ନିର୍ଭର କରୁଛନ୍ତି। ଜିଲ୍ଲା ଚିକିତ୍ସାଳୟ ବହୁ ଦୂରରେ ଥିବାରୁ ହଜାର ହଜାର ରେଗୀ ଏହି ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି। ବେଳେବେଳେ ରୋଗୀଙ୍କୁ ଠିକ୍ ଭବେ ଚିକିତ୍ସା କରାଯାଉନି ବୋଲି ବାରମ୍ବାର ଅଭିଯୋଗ ମଧ୍ୟ ହେଉଛି। ଅଧିକା˚ଶ ସମୟରେ ଲୋକଙ୍କ ଭିତରେ ଚିକିତ୍ସାକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଉଛି।

ବିଶେଷ କରି ସର୍ଜରୀ ବିଭାଗ ଏକ ପ୍ରକାର ଅକାମୀ ହୋଇପଡିଛି। ଅସ୍ଥିଶଲ୍ୟ, ନିଶ୍ଚେତକ ଓ ସର୍ଜରୀ ଡାକ୍ତରଙ୍କ ପଦବି ଖାଲି ପଡିଥିବାରୁ ରୋଗୀକୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଉଛି। ଏହା କେବଳ ଏକ ରେଫରାଲ ହସପିଟାଲ ବୋଲି ଲୋକେ ଅଭିଯୋଗ କରୁଛନ୍ତି। ସର୍ଜରୀ ବିଭାଗରେ ବିଶେଷଜ୍ଞ ପଦବି ୪ ବର୍ଷ ଧରି ଖାଲି ପଡିଥିବା ବେଳେ ଅସ୍ଥିଶ୍ଲ୍ୟ ବିଶେଷଜ୍ଞ ପଦବି ୩ ବର୍ଷ ଓ ନିଶ୍ଚେତକ ବିଶେଷଜ୍ଞ ପଦବି ୨ ବର୍ଷ ହେବ ଖାଲି ପଡିଛି। ଏଠାକୁ ଆସୁଥବା ରୋଗୀମାନଙ୍କ ମଧ୍ୟରୁ ମେଡିସନ୍ ବିଭାଗର ଅଧିକାଂଶ ରୋଗୀ ହୋଇଥିବାରୁ ଭେଷଜ ବିଶେଷଜ୍ଞ ଡାକ୍ତରର ଆବଶ୍ୟକତା ଅଧିକା ରହିଛି। ଏଥିରେ ଜଣେ ମାତ୍ର ବିଶେଷଜ୍ଞ ରହିଛନ୍ତି। ଚକ୍ଷୁ ବିଶେଷଜ୍ଞ ପଦବି ଖାଲି ପଡିଥିବା ବେଳେ ଜଣେ ଏଲ୍ଟିଆର୍ ଡାକ୍ତରଙ୍କୁ ଦାୟିତ୍ବ ଦିଆଯାଇଛି। ଏଥିରେ ଡାକ୍ତରମାନେ କେଉଁ ଭଳି ଭାବରେ ରୋଗୀକୁ ଉତ୍ତମ ଚିକିତ୍ସା ପ୍ରଦାନ କରିବେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ଡାକ୍ତରଖାନାରେ ଅଧିକ୍ଷକଙ୍କୁ ଛାଡିଦେଲେ ଆଉ ମାତ୍ର ୧୦ ଜଣ ଡାକ୍ତର ଏବଂ ସେଥିରୁ ୬ ଜଣ ବିଶେଷଜ୍ଞ ରହିଛନ୍ତି। ସ୍ତ୍ରୀ ଓ ପ୍ରସୂତି, ଭେଷଜ ଓ ଶିଶୁରୋଗ ବିଶେଷଜ୍ଞଙ୍କୁ ଛାଡିଦେଲେ ଅନ୍ୟ କୌଣସି ବିଭାଗରେ ବିଶେଷଜ୍ଞ ଡାକ୍ତର ନାହାନ୍ତି। ଏଠାରେ ୨୪ ଜଣ ଡାକ୍ତରର ଆବଶ୍ୟକତା ରହିଥିବା ବେଳେ ସେଥିରୁ ୧୧ ଜଣ ଡାକ୍ତର ଅଛନ୍ତି ଓ ୧୩ଟି ପଦବି ଖାଲି ପଡିଛି।

ସେଥିରୁ ମୋଟ ୧୪ଜଣ ବିଶେଷଜ୍ଞ ଡାକ୍ତର ପଦବି ମଞ୍ଜୁର ରହିଥିବା ବେଳେ ୭ଜଣ ବିଶେଷଜ୍ଞ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗାଲେରୀ ସ୍ବାସ୍ଥକେନ୍ଦ୍ରକୁ ଡେପୁଟେସନରେ ପଠାଯାଇଛି। ଏଠି କାର୍ଯ୍ୟରତ ଦୁଇଜଣ ଡାକ୍ତର ଅଧିକା ପଢିବା ପାଇଁ କିଛି ଦିନ ତଳେ ଚାଲିଯାଇଛନ୍ତି। କେବଳ ଡାକ୍ତର ନୁହେଁ ୨୨ ଷ୍ଟାଫନର୍ସ ପଦବିରୁ ୧୪ଟି ପଦବି ଖାଲି ପଡିଛି। ଆଟେଣ୍ଡାଣ୍ଟ ୧୨ଟି ପଦବିରୁ ମାତ୍ର ୫ ଜଣ ରହିଛନ୍ତି। ୭ ଟି ଆଟେଣ୍ଡାଣ୍ଟ୍ ପଦବି ଖାଲି ପଡିଛି।

ଝାଡୁଦାର ୨ଟି ପଦବୀ ଖାଲି ପଡିଛି। ସିନିଅର ହେଲପର ୩ଟି ପଦବୀ,ରୋଷେୟା,ରୋଷେୟା ହେଲପର ଗୋଟିଏ ଲେଖାଁ, ଷ୍ଟେଚର ବଏ ୨ଟିରୁ ୨ଟି ପଦବି, ଏଲଏଚଭି ୨ଟି ପଦବି, ପୁରୁଷ ସ୍ବାସ୍ଥ୍ୟକର୍ମୀ ୪ଟି ପଦବି ରହିଥିବା ବେଳେ ସମସ୍ତ ପଦବି ଅନେକ ଦିନ ହେବ ଖାଲି ରହିଛି। ଅଧିକା କାର୍ଯ୍ୟଭାର ପଡୁଥିବାରୁ କିଛି କର୍ମଚାରୀଙ୍କ ମନୋବଳ ଭାଙ୍ଗିବା ସ୍ବଭାବିକ। ଏହାପରେ ମଧ୍ୟ ପ୍ରତିଟି ପ୍ରତିକୂଳ ପରିସ୍ଥତିରେ ଲୋକଙ୍କୁ ସେବା ପ୍ରଦାନ କରାଯାଉଛି ବୋଲି ମେଡିକାଲ୍ ଅଧିକ୍ଷକ ଡ.ସୀତାଂଶୁ ଶେଖର ଶତପଥି କହିଛନ୍ତି।

 

ସମ୍ବନ୍ଧିତ ଖବର