ଜୟପୁର: ନକଲି ଔଷଧ ରୋକିବା ଏବଂ, କମ୍ପାନିର ବ୍ୟାଚ୍ ନମ୍ବର ଅନୁଯାୟୀ ବଜାରରେ ସଠିକ ଔଷଧ ବିକ୍ରି ହେଉଛି ନା ନାହିଁ ଯାଞ୍ଚ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଜଣେ ଲେଖାଏଁ ଭେଷଜ ନିରୀକ୍ଷକ (ଡ୍ରଗ୍ସ ଇନିସପେକ୍ଟର, ଡି.ଆଇ)ଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି। ସରକାର ସବୁ ଜିଲ୍ଲାରେ ଭେଷଜ ନିରୀକ୍ଷକ(ଡି.ଆଇ) ନିଯୁକ୍ତି ଦେଇ ନଥି‌ବାରୁ ଜଣେ ଜଣେ ଡି.ଆଇ ତିନୋଟି ଲେଖାଏଁ ଜିଲ୍ଲାର ଦାୟିତ୍ବ ସମ୍ଭାଳିଛନ୍ତି। ଏଭଳି ଚିତ୍ର କୋରାପୁଟ ରେଞ୍ଜ ଡିଆଇଙ୍କ କ୍ଷେତ୍ରରେ ବି ଦେଖାଦେଇଛି। କୋରାପୁଟ ଜିଲ୍ଲାର ଡି.ଆଇଙ୍କୁ କୋରାପୁଟ ଜିଲ୍ଲା ସହ କଳାହାଣ୍ଡି ଓ ନୁଆପଡ଼ା ଜିଲ୍ଲାର ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

Advertisment

ଜୟପୁର ସହର ଏବଂ ଚତୁଃପାର୍ଶ୍ବରେ ୮୦ଟି ମେଡିକାଲ ଷ୍ଟୋର ରହିଥିବା ବେଳେ ଜିଲ୍ଲାରେ ୩୦୦ଟି ରହିଥିବା ଡି.ଆଇ କହିଛନ୍ତି। ଏଭଳି ୩ଟି ଜିଲ୍ଲାରେ ୯୦୦ରୁ ଉର୍ଦ୍ଧ୍ବ ମେଡିକାଲ ଷ୍ଟୋର ରହିଛି। ଏହା ବାଦେ ସରକାରୀ ଡାକ୍ତରଖାନାର ନିରାମୟ (ମାଗଣା ଔଷଧ ବିତରଣ କେନ୍ଦ୍ର) ନିଦାନ ସହ ରକ୍ତଭଣ୍ଡାର ସହ ଘରୋଇ କ୍ଲିନିକ୍ ଗୁଡିକର ଯାଞ୍ଚ କରି ରିପୋର୍ଟ ଦେବାରେ ବି ଡ୍ରଗ୍ସ ଇନିସପେକ୍ଟରଙ୍କ ପ୍ରମୁଖ ଭୁମିକା ରହିଛି। ତିନି ଜିଲ୍ଲାରେ ଭେଷଜ ନିରୀକ୍ଷକ (ଡ୍ରଗ୍ସ ଇନିସପେକ୍ଟର)ଙ୍କ କାର୍ଯ୍ୟାଳୟରେ ତାଙ୍କ ବାଦେ ଜଣେ ଜଣେ ପିଅନଙ୍କୁ ନିଯୁକ୍ତି ଦିଆଯାଇଛି। ସେ ଯେ କୌଣସି ଗୋଟିଏ ଜିଲ୍ଲାରେ କାମ କରୁଥିବା ସମୟରେ ଅନ୍ୟ ଦୁଇ ଜିଲ୍ଲାରେ କାର୍ଯ୍ୟାଳୟକୁ ପିଅନ୍ ମାନେ ହିଁ ସମ୍ଭାଳୁଛନ୍ତି। ଜୟପୁର ସହର ସମେତ ଆଖ ପାଖ ଗାଁରେ ଖୋଲିଥିବା ବହୁ ମେଡିକାଲ ଷ୍ଟୋରରେ ଯାହା ନାଁରେ ସରକାର ଭେଷଜ (ଔଷଧ ବିକ୍ରି) ପାଇଁ ଲାଇସେନ୍ସ ଦେଇଛନ୍ତି ଉକ୍ତ ବ୍ୟକ୍ତି ଉକ୍ତ ମେଡିକାଲ ଷ୍ଟୋରରେ ଦେଖିବାକୁ ମିଳୁନାହିଁ। ଅଳ୍ପ କିଛି ଟଙ୍କାରେ ଉକ୍ତ ଲାଇସେନ୍ସ ଲିଜରେ ଆଣି ଲାଇସେନ୍ସର ନକଲ ଟାଙ୍ଗି ମେଡିକାଲ ଷ୍ଟୋର ଗୁଡିକ ଚାଳିଛି ବୋଲି କିଛି ମେଡିକାଲ ଷ୍ଟୋରର ମାଲିକ କହିଛନ୍ତି।

publive-image Sambad

ଜୟପୁର ସହରର କିଛି ଔଷଧ ଦୋକାନରେ ବିଭିନ୍ନ ନିଶାବଟିକା, କଫ ସିରଫ ସହ ଗଞ୍ଜାମ ଜିଲ୍ଲା ସହ ଛତିଶଗଡ଼ରୁ କିଛି ନିଶା ସିରଫ ଓ ଔଷଧ ବିକ୍ରି ହେଉଛି। କୋଭିଡ ସଂକ୍ରମଣ ଆରମ୍ଭ ପର ଠାରୁ ବ୍ୟାପକ ଭାବେ ନକଲି ଔଷଧ ବଜାରରେ ବିକ୍ରୀ ଅଭିଯୋଗ ହେବା ସହ କଟକ, ଭୁବନେଶ୍ବର ଆଦି ଅଞ୍ଚଳରୁ ବହୁ ନକଲି ଔଷଧ ଧରାପଡ଼ିବା ସହ ଅଭିଯୁକ୍ତ ମାନେ ଧରା ପଡ଼ିଛନ୍ତି।

ଅଭିଯୁକ୍ତ ମାନେ ପୁଲିସ ତଦନ୍ତ ସମୟରେ କୋରାପୁଟ ଜିଲ୍ଲାକୁ ତଥା ଖାସ୍ କରି ଜୟପୁର ସହରକୁ ବି ଏହି ନକଲି ଔଷଧ ବିଭିନ୍ନ ବିତରକ ଓ ମେଡିକାଲ ଷ୍ଟୋରକୁ ପଠାଇଥିବା ସ୍ବୀକାର ବି କରିଛନ୍ତି। ଏହା ବାଦେ ବି କୋରାପୁଟ ରେଞ୍ଜର ଗୋଟିଏ ସ୍ଥାନରେ ବି ନକଲି ଔଷଧ କିମ୍ବା କଟକରୁ କୌଣସି ଔଷଧ ଆସିନଥିବା ଡି.ଆଇ କହିବା କେତେ ଦୁର ଯୁକ୍ତି ଯୁକ୍ତ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି। କୋରାପୁଟ ରେଞ୍ଜ ଭେଷଜ ନିରୀକ୍ଷକ ସିକେ ଜେନାଙ୍କୁ ପଚାରିବାରେ ୩ଟି ଜିଲ୍ଲାରେ ୯୦୦କାଉଣ୍ଟର ରହିଥିବା ବେଳେ ପାଳି କରି ୩ଜିଲ୍ଲାର ଯାଞ୍ଚ କରୁଥିବା କହିଛନ୍ତି। ଏହି ସ୍ଥିତିରେ ତିନି ଜିଲ୍ଲାରେ ଥିବା ୯୦୦ରୁ ଉର୍ଦ୍ଧ୍ବ ମେଡିକାଲ ଷ୍ଟୋର ସହ ଅନ୍ୟାନ୍ୟ କ୍ଲିନୀକ ଆଦିରେ ଥିବା ଶହ ଶହ କମ୍ପାନିର ଔଷଧ କିଭଳି ଯାଞ୍ଚ କରୁଥିବେ ତାହା ସହଜେ ଅନୁମେୟ।