ବାଲିକୁଦା: ବାଲିକୁଦା ବ୍ଲକ୍ ତଥା ଆଖପାଖ ଅଞ୍ଚଳବାସୀଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚରେ ପ୍ରତିଷ୍ଠା କରିଥିବା ‘ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର’ ଏବେ ନାନା ଅବ୍ୟବସ୍ଥା ଭିତରେ ଚାଲିଛି। ଏଠାରେ ଜଣେ ସ୍ଥାୟୀ ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯାଇ ପାରିନଥିବା କାରଣରୁ ସ୍ବାସ୍ଥ୍ୟସେବାରେ ନାନା ସମସ୍ୟା ଦେଖାଦେଉଛି। ଦୈନିକ ଏକାଧିକ ପ୍ରସୂତି ଚିକିତ୍ସା ବେଳେ ରୋଗୀମାନେ ହଇରାଣ ହେଉଛନ୍ତି। ସେହିପରି ପ୍ରସୂତି କକ୍ଷକୁ ଯିବା ପାଇଁ ରୋଗୀଙ୍କ ନିମନ୍ତେ ଅଦ୍ୟାବଧି ଲିଫ୍ଟର ସୁବିଧା ନଥିବାରୁ ଉପର ମହଲାକୁ ଯିବା ପାଇଁ ଗର୍ଭବତୀ ମହିଳା, ଶିଶୁମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଡାକ୍ତରଖାନାର ଅବ୍ୟବସ୍ଥା ନେଇ ପଞ୍ଚାୟତ ସମିତି ବୈଠକରେ ସଭ୍ୟମାନେ ଏକାଧିକବାର ଉଦ୍ବେଗ ବ୍ୟକ୍ତ କରିବା ସହ ହୋହାଲ୍ଲା କରିଛନ୍ତି। ଏପରିକି ସ୍ଥାନୀୟ ଜନସାଧାରଣ ଏଥିପାଇଁ ଏକାଧିକବାର ରାସ୍ତାରୋକ ଆନ୍ଦୋଳନ କରିଛନ୍ତି। ବିଡ଼ମ୍ବନା ହେଲା ଆନ୍ଦୋଳନସ୍ଥଳରେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଓ ପ୍ରାଶାସନିକ ଅଧିକାରୀମାନେ ସମସ୍ୟାର ସମାଧାନ ପ୍ରତିଶ୍ରୁତି ଦେଇଯାଇଥାନ୍ତି। କିନ୍ତୁ ଅଦ୍ୟାବଧି ସରକାରଙ୍କ ପକ୍ଷରୁ କୌଣସି ବିହିତ ବ୍ୟବସ୍ଥା ଗ୍ରହଣ କରାଯାଉନଥିବାରୁ ସାଧାରଣରେ ଅସନ୍ତୋଷ ତୀବ୍ର ହୋଇଛି। ଏହି ପ୍ରସଙ୍ଗକୁ ନେଇ ବଡ଼ ଧରଣର ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ସୂଚନା ମିଳିଛି। ଗତ ୨ ବର୍ଷ ହେଲା ବିଭାଗୀୟ ଡାକ୍ତରଙ୍କ ବାରମ୍ବାର ବଦଳି ଓ ନିସ୍ତେତକ ବିଶେଷଜ୍ଞଙ୍କ ଅନୁପସ୍ଥିତି ପ୍ରସୂତିମାନଙ୍କ ପାଇଁ ବେଦନାର କାରଣ ପାଲଟିଛି। ପ୍ରଶାସନିକସ୍ତରରେ ଅବହେଳା ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଏଠାରେ ସ୍ଥାୟୀ ପ୍ରସୂତି ବିଭାଗ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଉନାହିଁ। ୬ ମାସରୁ ଅଧିକ କାଳ ହେବ ନିସ୍ତେତକ ବିଶେଷଜ୍ଞ ନାହାନ୍ତି।
ଫଳରେ ପ୍ରସୂତି ମା’ ମାନେ ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ ଶେଷକୁ ଜଗତସିଂହପୁର ଡାକ୍ତରଖାନା କିମ୍ବା ଘରୋଇ ଡାକ୍ତରଖାନାରେ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି। ଏହି ଡାକ୍ତରଖାନାର ୩ ମହଲା ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ ସମୟରେ ଉପରକୁ ସୁବିଧାରେ ଯିବା ଆସିବା ପାଇଁ ଲିଫ୍ଟ ନିର୍ମାଣ ଲାଗି ଅର୍ଥ ବ୍ୟୟ ବରାଦ ହୋଇଥିଲେ ହେଁ ତାହା କାର୍ଯ୍ୟକାରୀ କରାଯାଇନାହିଁ। ମେସିନ ନଥାଇ ଗେଟ୍ ନିର୍ମାଣର ୭ ବର୍ଷ ବିତିଗଲା। ଏଯାଏଁ ଲିଫ୍ଟ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ସ୍ୱାସ୍ଥ୍ୟ କେନ୍ଦ୍ରର ତଳ ମହଲାରେ ଜରୁରୀ କାଳୀନ ସେବା ଯୋଗାଇ ଦିଆଯାଉ ଥିବା ବେଳେ ଦ୍ୱିତୀୟ ମହଲାରେ ପ୍ରସୂତିମାନଙ୍କ ପାଇଁ ଅସ୍ତ୍ରୋପଚାର କକ୍ଷ ଓ ଅନ୍ୟାନ ପ୍ରସବ କାଳୀନ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦିଆଯାଉଛି। ହେଲେ ପ୍ରସୂତି ମାନେ ସିଡି ପାହାଚ ଦେଇ ଉପରକୁ ଚାଲି ଚାଲି ଯାଉଥିବାରୁ ଯନ୍ତ୍ରଣା ଭୋଗୁଛନ୍ତି। ଏନେଇ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦର ମୁଖ୍ୟ ଡାକ୍ତର ହିମାଂଶୁ ଶେଖର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଏହି ସମସ୍ୟା ନେଇ ସେ ଡାକ୍ତରମାନଙ୍କ ସହ ଆଲୋଚନା କରିଛନ୍ତି। ଆମ ମେଡିକାଲ ଯୋଜନାରେ ଏକ ଟିମ ମେଡିକାଲ ପରିଦର୍ଶନ କରିବାକୁ ଆସି ଖୁବ ଶୀଘ୍ର ଲିଫ୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପ୍ରସୂତି ବିଭାଗ ଡାକ୍ତର ସପ୍ତାହରେ ୨ ଥର ଏଠାକୁ ଆସୁଥିବାରୁ ସାମୟିକ ସମସ୍ୟା ରହିଛି। ତାହା ଦୂର କରାଯିବା ପାଇଁ ସରକାରଙ୍କ ନିକଟକୁ ଚିଠି ଯାଇଛି। ନିରାମୟ ଯୋଜନାରେ ଛୋଟ ପିଲାଙ୍କ ଜ୍ୱର କଫ, ଝାଡ଼ା ଭଳି ବ୍ୟାଧିପାଇଁ ନିରାମୟରେ ଔଷଧ ଉପଲବ୍ଧ ହେଉନାହିଁ ବୋଲି ମଧ୍ୟ ଅଭିଯୋଗ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/IMG-20230123-WA0072_6.jpg)