ନରସିଂହପୁର: ନରସିଂହପୁର ବ୍ଲକ୍‌ର ଉପାନ୍ତ ତଥା ଜଙ୍ଗଲ ପରିବେଷ୍ଟିତ ଗାଁ ଦେବଭୂଇଁସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ବିନା ଡାକ୍ତରରେ ଏହି ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ଚାଲିଛି। ଏପରି କି, ଜଣେ ଅସ୍ଥାୟୀ ଫାର୍ମାସିଷ୍ଟ ଏଠାରେ ରୋଗୀଙ୍କ ସେବା କରୁଥିବା ଦେଖିବାକୁ ମିଳିଛି। ନରସିଂହପୁର ବ୍ଲକ୍‌ ଉପକଣ୍ଠରୁ ଅନୁଗୁଳ ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାରୁ ବୁଢ଼ାବୁଢ଼ୀ ଠାକୁରାଣୀଙ୍କ ଘାଟି ରାସ୍ତା ଅତିକ୍ରମ କରି ପ୍ରାୟ ୨୫ କିଲୋମିଟର ଗଲେ ପଡ଼ିବ ଦେବଭୂଇଁ ପଞ୍ଚାୟତ। ଏହି ପଞ୍ଚାୟତର ଜଙ୍ଗଲ ଅଧ୍ୟୁଷିତ ଗାଁ ଦେବଭୂଇଁରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲା ଯାଇଛି। ଏହି ଡାକ୍ତରଖାନା ଉପରେ ଦେବଭୂଇଁ, କନ୍ଧ ଦେବଭୂଇଁ, କଣ୍ଢାଳ, ଚାଉଁରିଆନାଳୀ, ଭଗବାନପୁର, ଦୁଲ୍ଲା, ନଣ୍ଡାଗୁଳୁ, ଦଲକ, ଶେରମୁଣ୍ଡା, ନୂଆଗଡ଼, ବ୍ରାହ୍ମଣୀ, ଭୁସକା ଆଦି ଗାଁର ୫ ହଜାରରୁ ଅଧିକ ଲୋକ ନିର୍ଭର କରନ୍ତି। ହେଲେ, ଏହି ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ ବିନା ଚାଲିଛି। ଏଠାରେ ରୋଗୀଙ୍କ ପାଇଁ କେବଳ ଜଣେ ଅସ୍ଥାୟୀ ଫାର୍ମାସିଷ୍ଟ ହିଁ ଭରସା। ଗାଁରେ କୌଣସି ବ୍ୟକ୍ତି କିମ୍ବା ପିଲା ଅସୁସ୍ଥ ହେଲେ ଫାର୍ମାସିଷ୍ଟ ବାବୁ ହିଁ ଚିକିତ୍ସା କରନ୍ତି। ଏ ସମ୍ପର୍କରେ ଗ୍ରାମବାସୀ ବହୁବାର ସ୍ଥାନୀୟ ଜନପ୍ରତିନିଧିଙ୍କ ସମେତ କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଦେବାଶିଷ ଜ୍ୟେଷ୍ଠି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଏବଂ ଫାର୍ମାସିଷ୍ଟଙ୍କ ନିଯୁକ୍ତିକୁ ସ୍ଥାୟୀ କରିବା ପାଇଁ ନିବେଦନ କରିଛନ୍ତି। ହେଲେ, ସୁଫଳ ମିଳୁ ନ ଥିବା ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି।

Advertisment

ଏପରି କି, ୨୦୦୮ ମେ’ ମାସ ୨୧ ତାରିଖରେ ସ୍ଥାପନ କରାଯାଇଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ପର୍ଯ୍ୟନ୍ତ ସ୍ଥାୟୀ ଡାକ୍ତର ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ୨୦୧୩ ମସିହାରେ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଅସ୍ଥାୟୀ ଭାବେ ଫାର୍ମାସିଷ୍ଟ ଅଜୟ କୁମାର ପ୍ରଧାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ଅଳ୍ପ କେଇମାସ ହେଲା ରୋଗୀ କଲ୍ୟାଣ ସମିତି ପକ୍ଷରୁ ତାଙ୍କୁ ମାସକୁ ୧୬ ଦିନ କାର୍ଯ୍ୟ କରିବା ନିମନ୍ତେ ଦିନକୁ ୪୧୬ ଟଙ୍କା ହିସାବରେ ଅର୍ଥ ପ୍ରଦାନ କରାଯାଉଛି। ମାସର ବାକି ଦିନ ସେ ବିନା ବେତନରେ ରୋଗୀସେବା କରୁଥିବା ଗ୍ରାମବାସୀ କହିଛନ୍ତି। ଫାର୍ମାସିଷ୍ଟଙ୍କ ନିଯୁକ୍ତିକୁ ସ୍ଥାୟୀ କରିବା ପାଇଁ ସ୍ଥାନୀୟ ଜନସାଧାରଣ ବାରମ୍ବାର ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧିଙ୍କୁ ଅନୁରୋଧ କରିଛନ୍ତି। ହେଲେ, ଡାକ୍ତର ନିଯୁକ୍ତି ଓ ଫାର୍ମାସିଷ୍ଟଙ୍କୁ ସ୍ଥାୟୀ କରିବା ଦାବିକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ସଞ୍ଜୟ କୁମାର ସାହୁ, ବିଭୂତିଭୂଷଣ ସାହୁ, ମନୋରଞ୍ଜନ ରାଉତ, ରତ୍ନାକର ନାୟକ, ଚକ୍ରଧର ସାହୁଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଜ୍ୟେଷ୍ଠି କହିଛନ୍ତି‌ ଯେ ଦେବଭୂଇଁ ଅଞ୍ଚଳକୁ ଜଙ୍ଗଲ ଘାଟି ରାସ୍ତା ଦେଇ ଯିବାକୁ ପଡ଼େ। ନରସିଂହପୁରରୁ ଗଲେ ବିଭିନ୍ନ ସମୟରେ ବନ୍ୟଜନ୍ତୁଙ୍କ ଭୟ ରହିଥାଏ। ଆଜି ପର୍ଯ୍ୟନ୍ତ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନ ଥିଲା ବେଳେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଫାର୍ମାସିଷ୍ଟ ଶ୍ରୀ ପ୍ରଧାନଙ୍କୁ ରୋଗୀ କଲ୍ୟାଣ ସମିତି ପକ୍ଷରୁ ଅସ୍ଥାୟୀ ନିଯୁକ୍ତି ଦିଆଯାଇଛି। ଫାର୍ମାସିଷ୍ଟଙ୍କ ନିଯୁକ୍ତି ନିୟମିତ କରିବା ପାଇଁ ଅଞ୍ଚଳବାସୀ ଲିଖିତ ଭାବେ ଜଣାଇଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି ବୋଲି ଡାକ୍ତର ଜ୍ୟେଷ୍ଠି ସୂଚନା ଦେଇଛନ୍ତି।