ସର୍ବସାଧାରଣ ସ୍ଥାନରେ ହୋଇ ପାରିବନି ଶାରଦୀୟ ଦୁର୍ଗାପୂଜା: ମୟୂରଭଂଜ ଜିଲ୍ଲାପାଳ

କୋଭିଡ୍‌-୧୯ ମାର୍ଗଦର୍ଶୀକା ଅନୁପାଳନ ପୂର୍ବକ ହେଉ ଦୁର୍ଗାପୂଜା: ପୂଜା କମିଟି

ବାରିପଦା: ସର୍ବସାଧାରଣ ସ୍ଥାନରେ କୌଣସି ପୂଜାକୁ ଅନୁମତି ପ୍ରଦାନ କରାଯାଇପାରିବ ନାହିଁ। କୋଭିଡ୍‌-୧୯ ସ୍ଥିତି ଉପରେ ଅନୁଧ୍ୟାନ କରୁଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଏନେଇ ଜିଲ୍ଲାପାଳ ବିନୀତ ଭରଦ୍ଵାଜ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ସମସ୍ତ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ବଳବତ୍ତର ରହିଛି।

ସୂଚନାଯୋଗ୍ୟ, ଆସନ୍ତା ଅକ୍ଟୋବର ଓ ନଭେମ୍ବର ମାସରେ ହେବାକୁ ଥିବା ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା ଓ କାଳିପୂଜା ନିମନ୍ତେ ଅନୁମତି ମାଗିଛନ୍ତି ବାରିପଦାର ବିଭିନ୍ନ ପୂଜା କମିଟି। ଦୁର୍ଗାପୂଜା ବାରିପଦାର ଏକ ପ୍ରମୁଖ ପର୍ବ। ଜନସାଧାରଣ ଏହାକୁ ଉତ୍ସୁକତାର ସହିତ ଅପେକ୍ଷା କରିଥାଆନ୍ତି। ମାତ୍ର ଚଳିତ ବର୍ଷ କରୋନା ଦୁର୍ଗାପୂଜା ପାଳନ କ୍ଷେତ୍ରରେ ଏଥିରେ ବାଧକ ସାଜିଛି।

ତେବେ ଏନେଇ ଆଇନଜୀବୀ ଜ୍ୟୋତିପ୍ରକାଶ ରଥଙ୍କ ନେତୃତ୍ୱରେ ବାରିପଦା ପୌରପରିଷଦରେ ରହିଥିବା ସମସ୍ତ ଦୁର୍ଗାପୂଜା ଓ କାଳିପୂଜା ପୂଜା କମିଟିର କର୍ମକର୍ତ୍ତାମାନେ କୋଭିଡ୍‌-୧୯ ମାର୍ଗଦର୍ଶୀକା ଅନୁପାଳନ ପୂର୍ବକ ଶାରଦୀୟ ଦୁର୍ଗାପୂଜା ଓ କାଳିପୂଜା ପାଇଁ ଅନୁମତି ପାଇଁ ଜିଲ୍ଲାପାଳଙ୍କୁ ଆବେଦନ କରିଛନ୍ତି। ଏହି ମର୍ମରେ ଏକ ଆବେଦନପତ୍ର ଅତିରିକ୍ତ ଜିଲ୍ଲାପାଳ ସ୍ୱଧାଦେବ ସିଂ’ଙ୍କୁ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର