ସରକାରୀ ବାବୁଙ୍କ ହାତରେ ଆର୍‌ଏମ୍‌ସି ଭାଗ୍ୟ ; ୧୨ ବର୍ଷ ଧରି ଅଟକିଛି ନିର୍ବାଚନ, ଆଗେଇ ପାରୁନି ବସ୍ତିର ବିକାଶ

ରାଉରକେଲା : ଇସ୍ପାତ ସହର ରାଉରକେଲା ପୌରପାଳିକାକୁ ହୋଇଛି ମହାନଗର । ପୁଣି ସ୍ଥାନ ପାଇଛି ରାଜ୍ୟରେ ଦ୍ବିତୀୟ ସ୍ମାର୍ଟ ସିଟିର ମାନ୍ୟତା। କିନ୍ତୁ ସେହି ଅନୁଯାୟୀ ସହରବାସୀ ବିକାଶ ଦେଖି ନାହାନ୍ତି। ବିକାଶ ରଥର ଅନ୍ତରାୟ ସୃଷ୍ଟି କରିଛି ଆର୍‌ଏମ୍‌ସିର ନିର୍ବାଚନ ନ ହେବା। ବର୍ଷେ କି ଦୁଇ ବର୍ଷ ନୁହେଁ ବିଭିନ୍ନ ଆଳ ଦେଖାଇ ୨୦୦୮ରୁ ଅଟକିଛି ନିର୍ବାଚନ। ୨୦୦୮ରୁ ୨୦୧୩ ପଶ୍ଚିମ ଓଡ଼ିଶାର ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିରୁ। ୨୦୧୬ରୁ ଆଜି ମହାନଗର ନିଗମରେ ଝାଡ଼ତରଙ୍ଗ ଓ ଜଗଦା ଦୁଇଟି ପଞ୍ଚାୟତ ସାମିଲ ହେବାରୁ ନିର୍ବାଚନର ଭାଗ୍ୟ କୋର୍ଟରେ ଝୁଲୁଛି। ଦୁଇଟି ପଞ୍ଚାୟତକୁ ବାଦ୍ ଦେଇ ନିର୍ବାଚନ କରାଯାଇପାରନ୍ତା। ଶାସକ ଦଳ ଚାହୁଁ ନଥିବାରୁ ନିର୍ବାଚନ ହୋଇପାରୁ ନାହିଁ ବୋଲି କୁହାଯାଉଛି। ନିର୍ବାଚନ ନ ହେବା ଯୋଗୁଁ ସହରର ପ୍ରମୁଖ ସମସ୍ୟା ଦୂର ହୋଇପାରୁନି। ନିର୍ବାଚନ ନ ହେବାରୁ ସଂଘୀୟ ବ୍ୟବସ୍ଥାରେ ମୂଲ୍ୟହୀନ ହୋଇଛି ଗଣତନ୍ତ୍ର ଶାସନ। ଲୋକମାନେ ସେମାନଙ୍କ ହକ୍‌ ପାଇବାରୁ ବଞ୍ଚିତ ହେଉଛନ୍ତି। ପ୍ରତ୍ୟେକ ବିଭାଗରେ ଚାଲିଛି ଅଫିସର ଶାସନ। ଜନ ପ୍ରତିନିଧି ନଥିବାରୁ ମନମୁଖୀ କାର୍ଯ୍ୟ କରୁଛନ୍ତି ସରକାରୀ ବାବୁମାନେ। ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ଯେତିତି ଗୁରୁତ୍ବ ଦେବା କଥା, ତାହା ଦେଉ ନାହାନ୍ତି। ଯଦି ବାବୁମାନଙ୍କ ଦ୍ବାରା ସବୁକିଛି ହୋଇପାରନ୍ତା, ତେବେ ପୌରସଂସ୍ଥାର କ’ଣ ଆବଶ୍ୟକତା ରହିଛି ବୋଲି ବିରୋଧୀ ଦଳ ଓ ବୁଦ୍ଧିବୀମାନେ ପ୍ରଶ୍ନ କରିଛନ୍ତି। ଗତ ୨୦୦୮ରୁ ଆଜି ସରକାରୀ ବାବୁମାନଙ୍କ ହାତରେ ଚାଲିଛି ଆର୍‌ଏମ୍‌ସି। ଜନ ପ୍ରତିନିଧି ନଥିବାରୁ ପ୍ରତ୍ୟେକ ୱାର୍ଡ ମୌଳିକ ସମସ୍ୟା ଦିନକୁ ଦିନ ଜଟିଳ ହେଉଛି। ରାସ୍ତାଘାଟ ଠାରୁ ଆରମ୍ଭ କରି ଡ୍ରେନ, ବିଜୁଳି, ପାଣି ଆଦି ପ୍ରତ୍ୟେକ କ୍ଷେତ୍ରରେ ବସ୍ତିଲୋକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। କିନ୍ତୁ ସରକାରୀ ବାବୁମାନେ ସବୁ କିଛି ଠିକ୍‌ ଠାକ୍‌ ଚାଲିଛି ବୋଲି ସଫେଇ ଦେଉଛନ୍ତି। ବସ୍ତିଗୁଡ଼ିକର ବାସ୍ତବ ଚିତ୍ର କିନ୍ତୁ ଓଲଟା। ବସ୍ତିବାସୀଙ୍କ ଦୁଃଖ ବୁଝିବାକୁ ଜନ ପ୍ରତିନିଧି ନଥିବାରୁ ବାରମ୍ବାର ଆର୍‌ଏମ୍‌ସି ଅଫିସ୍‌କୁ ଦୌଡି ଦୌଡି ନୟାନ୍ତ ହେଉଛନ୍ତି। କେତେବେଳେ ଶୁଣୁଛନ୍ତି ତ ଅନ୍ୟ କେତେବେଳେ ସମୟ ନାହିଁ ବୋଲି ମାସ ମାସ ଗଡାଇ ଚାଲୁଛନ୍ତି। ଅନ୍ୟପଟେ ଭାବେ ଜନ ପ୍ରତିନିଧି ନଥିବାରୁ ସମୀକ୍ଷା ବୈଠକ ବି ନାହିଁ। ଏମିତି ସ୍ଥିତି ଉପୁଜିଛି ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ରେ। ଯେଉଁ ଦୁଇଟି ପଞ୍ଚାୟତକୁ ନେଇ ଉଚ୍ଚନ୍ୟାୟାଳୟ ସ୍ଥଗିତାଦେଶ ଜାରି କରିଛନ୍ତି। ସେହି ଦୁଇଟି ପଞ୍ଚାୟତରେ ଆର୍‌ଏମ୍‌ସି ସମେତ ଅନ୍ୟ ବିଭାଗ ପକ୍ଷରୁ ବିକାଶମୂଳକ କାମ ଜାରି ରହିଛି। ସେପଟେ ଦୁଇଟି ପଞ୍ଚାୟତକୁ ବାଦ୍‌ ଦେଇ ହମିରପୁର ଆଦି ଅ୍ଞ୍ଚଳକୁ ସାମିଲ କରି ପୌର ନିର୍ବାଚନ କରିବାକୁ ଆଦିବାସୀ ନେତା ଓ ଜିଲ୍ଲା କଂଗ୍ରେସର ସଭାପତି ଜର୍ଜ ତର୍କୀ ପୂର୍ବତନ ଜିଲ୍ଲାପାଳ ରଶ୍ମିତା ପଣ୍ଡା ଓ ବର୍ତ୍ତମାନ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କୁ ଚିଠି ଲେଖି ଜଣାଇଛନ୍ତି। ଜିଲ୍ଲାପାଳଙ୍କ ପକ୍ଷରୁ ଅଦ୍ୟାବଧି ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ସରକାରଙ୍କ ପକ୍ଷରୁ ମଧ୍ୟ ସେତେଟା ତତ୍ପରତା ପ୍ରକାଶ ପାଉ ନାହିଁ। ଉଚ୍ଚ ନ୍ୟାୟାଳୟରେ ସରକାର ଆଜି ପର୍ଯ୍ୟନ୍ତ ନିଜର ପକ୍ଷ ରଖି ନାହାନ୍ତି। ଏସବୁ କାରଣରୁ ରାଉରକେଲା ସହରର ବିକାଶ ଯେଉଁଠି ପହଞ୍ଚିବା କଥା ସେହି ସ୍ଥାନରେ ପହଞ୍ଚି ପାରି ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି। ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ବିରେନ ସେନାପତି କହିଛନ୍ତି, ନିର୍ବାଚନ କରିବାକୁ ସରକାରଙ୍କ ଆଦୌ ଆନ୍ତରିକତା ନାହିଁ। ଏଠି ଗଣତନ୍ତ୍ରକୁ ଅଣଦେଖା କରାଯାଉଛି। ବାବୁଙ୍କ ଶାସନ ଚାଲିଛି। ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରୁ ନାହିଁ। ବାବୁମାନଙ୍କ ଦ୍ବାରା ସବୁ ସମ୍ଭବ, ତେବେ ପୌରସଂସ୍ଥା ବ୍ୟବସ୍ଥାର କିଛି ଆବଶ୍ୟକତା ନାହିଁ। ଯଦି ସରକାର ସହରର ବିକାଶ ଚାହୁଁଛନ୍ତି, ତେବେ ତୁରନ୍ତ ଆର୍‌ଏମ୍‌ସିର ନିର୍ବାଚନ କରିବା ଦରକାର। ବିଜେପିର ବରିଷ୍ଠ ନେତା ନିହାର ରାୟ କହିଛନ୍ତି, ସରକାର ସମ୍ବିଧାନକୁ ଅସମ୍ମାନ କରୁଛନ୍ତି। ଜାଣିଶୁଣି ନିର୍ବାଚନ କରାଯାଉ ନାର୍ହି। ଅଫିସର ରାଜ ଚାଲିଛି। ପ୍ରତ୍ୟେକ ବିଭାଗର ଦୁର୍ନୀତିକୁ ଲୁଚାଇବାକୁ ଶାସକ ଦଳ ଏମିତି କରୁଛନ୍ତି। ଅଫିସର ରାଜ ବନ୍ଦ କରି ତୁରନ୍ତ ନିର୍ବାଚନ କରନ୍ତୁ। ଜନ ପ୍ରତିନିଧିଙ୍କ ଜରିଆରେ ୱାର୍ଡବାସୀଙ୍କ ସମସ୍ୟା ଦୂର କରାଯାଉ। ରାଉର‌କେଲା ବିଜେଡି ନଗର ସଭାପତି ଗଗନ ପଣ୍ଡା କହିଛନ୍ତି, ଆଜି ପର୍ଯ୍ୟନ୍ତ ପରିସୀମା ନିର୍ଦ୍ଧାରଣ କରାଯାଇ ପାରିନାହିଁ। ଜଗଦା, ଝାରତରଙ୍ଗ ଦୁଇଟି ପଞ୍ଚାୟତକୁ ସାମିଲକୁ ନେଇ କୋର୍ଟରେ ମାମଲା ରହିଥିବାରୁ ନିର୍ବାଚନ ହେବାରେ ବିଳମ୍ବ ହେଉଛି। ଉଲ୍ଲେଖଯୋଗ୍ୟ, ୩୦ଟି ୱାର୍ଡ ୨୪ଟି ରାଜସ୍ବ ଗ୍ରାମକୁ ନେଇ ଆର୍‌ଏମ୍‌ସି ଗଠିତ। ଆର୍‌ଏମ୍‌ସି ଅଧୀନରେ ମୋଟ ୧୦୫ଟି ବସ୍ତି ରହିଛି। ଯାହାର ଲୋକ ସଂଖ୍ୟା ପ୍ରାୟ ଦେଢ଼ ଲକ୍ଷ। ଏମିତି ଭାବେ ଆର୍‌ଏମ୍‌ସିରେ ମୋଟ ଲୋକ ସଂଖ୍ୟା ପ୍ରାୟ ସାଢ଼େ ୩ ଲକ୍ଷରୁ ଅଧିକ ହେବ।

ସମ୍ବନ୍ଧିତ ଖବର