ରାୟଗଡ଼ା: ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଏମିତି ଗାଁ ରହିଛି ଯେଉଁ ଗାଁରେ ଆଜି ବି ଲୋକେ ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି। ରାତି ଅନ୍ଧାରରେ କଟୁଛି।ରାଜ୍ୟ ଏବେ ଆଧୁନିକତା ଏବଂ ମୋବାଇଲ ଯୁଗରେ ପାଦ ଥାପି ଥିବା ବେଳ ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୧୭ କିଲୋମିଟର ଦୂରରେ ରହିଥିବା ପିପିଲଗୁଡ଼ା ପଞ୍ଚାୟତର ତଳକୋଣା ଗ୍ରାମରେ ବିଦ୍ୟୁତ ପହଞ୍ଚିପାରିଲା ନାହିଁ, ଯାହା ଅତି ଦୁଃଖଦ ଓ ଆଶ୍ଚର୍ଯ୍ୟ କଲାଭଳି ବିଷୟ। ଗାଁ ଗାଁକୁ ରାସ୍ତା, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ ପହଞ୍ଚୁଥିବା ନେଇ ସରକାର ଯେଉଁ ଡିଣ୍ଡିମ ପିଟୁଛନ୍ତି। ବାସ୍ତବରେ ତାହା ନଦେଖିଲେ ବିଶ୍ବାସ କରିହେବ ନାହିଁ।

Advertisment

ତଳକୋଣା ଗ୍ରାମରେ ପ୍ରାୟ ୧୨ରୁ ୧୫ ପରିବାର ବସବାସ କରୁଛନ୍ତି। ସମସ୍ତେ ଆଦିବାସୀ ସଂପ୍ରଦାୟର। ଲୋକେ ଜମିରେ ଚାଷ କରି ଏବଂ ଜଂଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ନିଜର ପ୍ରତିପୋଷଣ କରୁଛନ୍ତି। ତଳକୋଣା ଗାଁରେ ପ୍ରାୟ ୧୫ରୁ ୨୦ ପିଲା ବିଭିନ୍ନ ସ୍କୁଲରେ ପାଠ ପଢୁଛନ୍ତି। ସେମାନେ ଆଜି ବି ଡିବିରି ଆଲୁଅରେ ରାତିରେ ପାଠ ପଢିବାକୁ ବାଧ୍ୟ ହେଉଛନ୍ତି। ରାତି ହେଲେ ଗାଁର ଗୋଟିଏ ସ୍ଥାନରେ ଗ୍ରାମବାସୀ ନିଆଁ ଲଗାଇ ବସିଥାନ୍ତି।ସେଠାରେ ହିଁ ଖାଇବା ଏବଂ ପାଠ ପଢିବା କାମ ପ୍ରାୟତଃ ହୋଇଥାଏ।ବଡ କାଠ ଗଣ୍ଡିକୁ ନିଆଁ ଲଗାଇବା ଫଳରେ ବହୁ ଅଂଚଳକୁ ନିଆଁ ଆଲୋକ ଦେଇଥାଏ। ଶୀତ ଦାଉରୁ ରକ୍ଷା ପାଇବା ସହ ଅନ୍ୟ ସମସ୍ କାମ ସେହି ଆଲୁଅରେ ଗ୍ରାମବାସୀ କରନ୍ତି। ଗାଁରେ କିଛି ଲୋକ ମୋବାଇଲ ଧରିଥିଲେ ମଧ୍ୟ ବିଦ୍ୟୁତ ନଥିବାରୁ ଗ୍ରାମବାସୀ ୧୫ କିଲୋମିଟର ଯାଇ ମୋବାଇଲ ଚାର୍ଜ କରିବାକୁ ପଡୁଥିବା ଗ୍ରାମବାସୀ କହନ୍ତି।ରାତିରେ ମୋବାଇଲ ଚାର୍ଜ ସରିଯିବାରୁ ମୋବାଇଲ ବନ୍ଦ ରହୁଥିବା କହନ୍ତି।ବାରମ୍ବାର ବିଦ୍ୟୁତ ବିଭାଗର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ କହିଛନ୍ତି। ଆଗାମୀ ଦିନରେ ଏନେଇ ଭୋଟ ବର୍ଜନ କରିବା ନିଷ୍ପତ୍ତି ଗ୍ରାମବାସୀ ଚୁଡାନ୍ତ କରିଛନ୍ତି। ନିର୍ବାଚନ ପାଖେଇ ଆସୁଥିବାରୁ ମାଳ ମାଳ ନେତାଙ୍କର ଏବେ ଗାଁରେ ପାଦ ପଡିବ। ତେବେ ବିଦ୍ୟୁତ ନାହିଁ ତ ଭୋଟ ନାହିଁ ବୋଲି ସଫା ସଫା ଗ୍ରାମବାସୀ କହିବେ ବୋଲି କହିଛନ୍ତି।