ପୁରୀ: ମହାମାରୀ କରୋନା ଭାଇରସ ସଂକ୍ରମଣ ଲାଗି ଜିଲ୍ଲାର ବାହାରୁ ଆସୁଥିବା ଲୋକଙ୍କୁ ପୁରୀ ମନା ହୋଇଛି। ବାହାର ଜିଲ୍ଲାର ଲୋକମାନେ ଚଳିତ ମାସ ୩୧ ତାରିଖ ଯାଏଁ ପୁରୀରେ ପ୍ରବେଶ କରିପାରିବେ ନାହିଁ। ଏଥି ପାଇଁ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି । ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ କହିଛନ୍ତି, ଆସନ୍ତାକାଲି ଠାରୁ ଜିଲ୍ଲା ବାହାର ବ୍ୟକ୍ତିଙ୍କୁ ଜିଲ୍ଲା ମଧ୍ୟକୁ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ଅତ୍ୟାବଶ୍ୟକୀୟ ସେବା କିମ୍ବା କାର୍ଯ୍ୟ ନଥିଲେ ପ୍ରବେଶ ନିମନ୍ତେ ଅନୁମତି ଦିଆଯିବ ନାହିଁ । ଜିଲ୍ଲା ମଧ୍ୟକୁ ଥିବା ପ୍ରବେଶ ପଥ ନିକଟରେ ଯାଞ୍ଚ କରିବା ନିମନ୍ତେ ଟିମ ଗଠନ କରାଯାଇଛି । ଅତ୍ୟାବଶ୍ୟକୀୟ ସେବା କିମ୍ବା କାର୍ଯ୍ୟ ନଥିଲେ ଜିଲ୍ଲା ବାହାରକୁ ନଯିବା ପାଇଁ ଜିଲ୍ଲାବାସୀଙ୍କୁ ପରାମର୍ଶ ।
ଅତି ଜରୁରୀ କାମ ନ ଥିଲେ ପୁରୀ ଜିଲ୍ଲାକୁ ବାହାର ଜିଲ୍ଲାର ଲୋକେ ନ ଆସନ୍ତୁ। ଯେଉଁମାନେ ଜରୁରୀକାଳୀନ କାମ ପାଇଁ ପୁରୀ ଜିଲ୍ଲାକୁ ଆସୁଛନ୍ତି, ସେମାନେ ସାଥୀରେ ବାଧ୍ୟତାମୂଳକ ଭାବେ ପରିଚୟପତ୍ର ରଖନ୍ତୁ। ଏଥି ସହିତ ଜିଲ୍ଲାପାଳ କହିଛନ୍ତି ଯେ, ପୁରୀ ଜିଲ୍ଲାର ୩ଟି ପ୍ରବେଶ ପଥ (ପୁରୀ-ଭୁବନେଶ୍ୱର, ପୁରୀ-ଅସ୍ତରଙ୍ଗ ଓ ଜଗନ୍ନାଥ ସଡ଼କ) ଉପରେ ପ୍ରଶାସନର ନଜର ରହିବ। ପ୍ରବେଶ ପଥ ଗୁଡ଼ିକରେ ନାକାବନ୍ଦୀ କରି ଯାଞ୍ଚ କଡ଼ାକଡ଼ି କରାଯିବ। ସେହିଭଳି କାଲିଠାରୁ ପୁରୀରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି କରିଦିଆଯିବ। ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରାଯିବ।
ତେବେ ପୁରୀ ଜିଲ୍ଲାର ସାଧାରଣ ଲୋକ ଆବଶ୍ୟକୀୟ କାମରେ ବାହାରକୁ ଯାଇ ଫେରି ପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।