ବ୍ୟୟ କରିପାରୁନାହାନ୍ତି, ପଡ଼ିରହିଛି ୧୦୩ କୋଟି: ଡିଏମ୍‌ଏଫ୍‌ ପ୍ରକଳ୍ପ, ଅନୁଦାନକୁ ଶନିଦଶା

ରାଉରକେଲା: ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠି ଅନୁମୋଦିତ ପ୍ରକଳ୍ପର ଭାଗ୍ୟରେ ଶିଥିଳତା ଲାଗିଛି, ଏହା ଆଉ ଅଛପା ନାହିଁ। ଡିଏମଏଫ୍‌ ପାଣ୍ଠିରୁ ଏକାଧିକ ପ୍ରକଳ୍ପ ଅନୁମୋଦନ ହେଉଛି, କିନ୍ତୁ ବିଭାଗୀୟ କର୍ତୃପକ୍ଷ ପ୍ରକଳ୍ପକୁ ଆଗେଇ ନେବାରେ କୃତକାର୍ଯ୍ୟ ହୋଇପାରୁନାହାନ୍ତି। ବିଭାଗୀୟ କର୍ତୃପକ୍ଷଙ୍କ ଅବହେଳା ହେଉ ଅବା ଉଦାସୀନତା ମନୋଭାବ; ପ୍ରକଳ୍ପ ଯେଉଁ ବେଗରେ ଅଗ୍ରଗତି କରିବାକଥା ତାହା ଦେଖିବାକୁ ମିଳୁନି। ଡିଏମ୍‌ଏଫ୍‌ ଅନୁମୋଦିତ ଅର୍ଥରେ ରାସ୍ତା/ବ୍ରିଜ୍‌ ପ୍ରକଳ୍ପ ନିର୍ମାଣକୁ ଉଦାହରଣ ସ୍ବରୂପ ନିଆଯାଇପାରେ। ଗତ ୩ ବର୍ଷ ହେଲା ଡିଏମ୍‌ଏଫ୍‌ ଅନୁଦାନରେ ଉଭୟ ରାଉରକେଲା ଓ ସୁନ୍ଦରଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଜନ(ଆର୍‌ଡବ୍ଲ୍ୟୁ ବିଭାଜନ) ଦ୍ବାରା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରାସ୍ତା/ବ୍ରିଜ୍‌ ନିର୍ମାଣ କରାଯାଉଛି। ଏନେଇ ଅର୍ଥ ଅନୁମୋଦିତ ବି ହୋଇସାରିଛି। ତେବେ ଏହି ଅନୁଦାନକୁ ବିଭାଗ ବ୍ୟୟ କରିପାରୁନାହାନ୍ତି;ଯଦ୍ବାରା ନିର୍ଦ୍ଦିଷ୍ଟ ସମୟରେ ପ୍ରକଳ୍ପ ସଂପନ୍ନ ହୋଇପାରୁନଥିବାରୁ ଜନସାଧାରଣଙ୍କର ଆବଶ୍ୟକତା ମେଣ୍ଟିପାରୁନି।

ସଂପ୍ରତି ଜିଲ୍ଲାରେ ଗ୍ରାମ୍ୟ ନିର୍ମାଣ ବିଭାଜନ ଦ୍ବାରା ୧୮୪(୧୪୮ ରାସ୍ତା ଓ ୩୬ ବ୍ରିଜ୍‌)ପ୍ରକଳ୍ପ ହାତକୁ ନିଆଯାଇଛି। ଏଥିପାଇଁ ଡିଏମ୍‌ଏଫ୍‌ ପାଣ୍ଠିରୁ ରାସ୍ତା ପାଇଁ ୨୨୩.୫୫ କୋଟି ଓ ବ୍ରିଜ୍‌ ପାଇଁ ୪୬.୯୫ କୋଟି, ମୋଟ୍‌ ୨୭୦.୫ କୋଟି ମଞ୍ଜୁର ହୋଇଛି। ଏଥିରୁ ୧୬୭.୧୫ କୋଟି(୬୧.୭୯%) ବ୍ୟୟ ହୋଇସାରିଥିବାବେଳେ ୧୦୩.୩୫ କୋଟି (୩୮.୨୦%) ପଡ଼ିରହିଛି। ରାସ୍ତା ପାଇଁ ୧୩୬.୮୮ କୋଟି ବ୍ୟୟ କରାଯାଇଥିବାବେଳେ ବ୍ରିଜ୍‌ ପାଇଁ ୩୦.୨୭ କୋଟି ବ୍ୟୟ ହୋଇଛି। ରାଉରକେଲା ଗ୍ରାମ୍ୟ ନିର୍ମାଣ ବିଭାଜନରେ ବ୍ୟୟ ପରିମାଣ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ରାଉରକେଲା ଡିଭିଜନରେ ୧୩୬ଟି ପ୍ରକଳ୍ପ ପାଇଁ ୨୧୫.୯୩ କୋଟି ଅନୁମୋଦନ ଆସିଛି। ଏଥିରୁ ମାତ୍ର ୧୨୨.୪୨ କୋଟି ବ୍ୟୟ ହୋଇଥିବାବେଳେ ୯୩.୫୧ କୋଟି ପଡ଼ିରହିଛି। ରାସ୍ତା ପାଇଁ ଅନୁମୋଦିତ ୧୮୨.୦୨ କୋଟିରୁ ୧୦୧.୮୪ କୋଟି ବ୍ୟୟ ହୋଇଥିବାବେଳେ ୮୦.୧୮ କୋଟି ଅବ୍ୟବହୃତ ହୋଇ ରହିଛି। ବ୍ରିଜ୍‌ ପାଇଁ ଅନୁମୋଦିତ ୩୩.୯୧ କୋଟିରୁ ବ୍ୟୟ ହୋଇଛି ମାତ୍ର ୨୦.୫୮ କୋଟି, ଅର୍ଥାତ୍‌ ୧୩.୩୩ କୋଟି ଏଯାଏଁ ବ୍ୟୟ କରାଯାଇପାରିନି। ସେହିଭଳି ସୁନ୍ଦରଗଡ଼ ଡିଭିଜନ୍‌ରେ ମଧ୍ୟ ବ୍ୟୟ ପରିମାଣ ଆଖିଦୃଶିଆ ନୁହେଁ। ଏଠାରେ ୪୮ ପ୍ରକଳ୍ପ ପାଇଁ ୫୪.୫୭ କୋଟି ଅନୁମୋଦିତ ହୋଇଥିବାବେଳେ ଖର୍ଚ୍ଚ ହୋଇଛି ୪୪.୭୩ କୋଟି, ଅର୍ଥାତ୍‌ ୯.୮୪ କୋଟି ଏଯାଏଁ ଖର୍ଚ୍ଚ ହୋଇପାରିନି। ଏହି ଡିଭିଜନ୍‌ରେ ରାସ୍ତା ପାଇଁ ଅନୁମୋଦିତ ୪୧.୫୩ କୋଟିରୁ ୩୫.୦୪ କୋଟି ବ୍ୟୟ ହୋଇଥିବାବେଳେ ୬.୪୯ କୋଟି ପଡ଼ିରହିଛି। ବ୍ରିଜ୍‌ ପାଇଁ ୧୩.୦୪ କୋଟି ଅନୁମୋଦିତ ହୋଇଥିଲା। ଏଥିରୁ ୯.୬୯ କୋଟି ବ୍ୟୟ ହୋଇଥିବାବେଳେ ୩.୩୫ କୋଟି ବ୍ୟୟ ହୋଇପାରିନି।

ଅର୍ଥ ବ୍ୟୟ କରିବାରେ ବିଭାଗ ସଂପୂର୍ଣ୍ଣ ଫେଲ୍‌ ମାରିଥିବାବେଳେ ବିନିଯୋଗ ପ୍ରମାଣପତ୍ର(ୟୁସି) ଦାଖଲରେ ମଧ୍ୟ ଧିମେଇ ଯାଇଛି। ଅବଶ୍ୟ, ରାଉରକେଲା ଡିଭିଜନ ୟୁସି ଦାଖଲରେ ଶତ ପ୍ରତିଶତ ରେକର୍ଡ ହାସଲ କରିଛି। କିନ୍ତୁ ସୁନ୍ଦରଗଡ଼ ଡିଭିଜନ୍‌ ଢ଼େର୍‌ ପଛେଇଯାଇଛି। ସୁନ୍ଦରଗଡ଼ ଡିଭିଜନରେ ଏଯାଏଁ ମୋଟ୍‌ ୪୪.୭୩ କୋଟି ଟଙ୍କା ବ୍ୟୟ ହୋଇସାରିଥିବାବେଳେ ୩୦.୭୪ କୋଟିର ୟୁସି ଦାଖଲ ହୋଇଛି। ଅତଏବ, ଏଯାଏଁ ୧୩.୯୯ କୋଟିର ୟୁସି ଦାଖଲ କରିପାରିନି। ଡିଏମ୍‌ଏଫ୍‌ ପାଣ୍ଠି ଅର୍ଥର ବିନିଯୋଗ କରି ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରି, ଜନସାଧାରଣଙ୍କ ଆବଶ୍ୟକତା ରାସ୍ତା/ବ୍ରିଜ୍‌ ନିର୍ମାଣକୁ ସଂପନ୍ନ କରିବାକୁ ଦାବିହୋଇଛି।

ସମ୍ବନ୍ଧିତ ଖବର