ମାଲକାନଗିରି: ଏକଦା ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାର ବିଛିନ୍ନାଞ୍ଚଳ ନକ୍ସଲଙ୍କ ଚରାଭୁଇଁ ଥିଲା। ଏଠାରେ ଥିବା ୧୫୧ ଗ୍ରାମକୁ ନକ୍ସଲ ନିଜ ଅକ୍ତିଆରରେ ରଖିଥିଲେ। ଲୋକେ ନକ୍ସଲଙ୍କ ଆଇନ କାନୁନ ମାନିବାକୁ ବାଧ୍ୟ ହେଉଥିଲେ। ସରକାରୀ ଯୋଜନା ଏଠାରେ ଶୂନ।ନକ୍ସଲଙ୍କ ଦ୍ବାରା ପରିଚାଳିତ ଏହି ୯ଟି ପଞ୍ଚାୟତର ୧୫୧ ଗ୍ରାମରେ ଲୋକେ ନକ୍ସଲଙ୍କ ଅନୁମତି ବିନା ବାହାରକୁ ଯାଇ ପାରୁନଥିଲେ। ଭର ପୋଷା ପିନ୍ଧି ପାରୁନଥିଲେ କି ଭଲ ଘର ଖଣ୍ଡିଆ କରି ପାରୁନଥିଲେ। ଗାଈଗୋରୁ ରଖିବା ଏବଂ ଜମିବାଡି ରଖିବା ଦ୍ବାରା ନକ୍ସଲଙ୍କର ଟାର୍ଗେଟକୁ ଆସୁଥିଲେ।ନକ୍ସଲ ଯାହାକୁ ଟାର୍ଗେଟ କରୁଥିଲେ ତାକୁ ହତ୍ୟା କରୁଥିଲେ। ଏଠାରେ ଏକ ପ୍ରକାର ତାଲିବାନି ଶାସନ ଚାଲୁଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ହତ୍ୟା କରିବା ନକ୍ସଲଙ୍କ ପାଇଁ ନିତିଦିନିଆ କାମ ଥିଲା। କୁକୁଡା ଛେଲିକୁ ହତ୍ୟା କଲାଭଳି ମଣିଷକୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରୁଥିଲେ। ଲୋକେ ତ୍ରାହି ତ୍ରାହି ଡାକ ଛାଡୁଥିଲେ। ନା ସରକାର, ନା ପୁଲିସ ଏଠାରେ ପହଞ୍ଚି ପାରୁଥିଲା।

Advertisment

୨୦୧୧ରେ ତତ୍କାଳୀନ ଜିଲ୍ଲାପାଳ ବିନିଲକ୍ରିଷ୍ଣା ସୁରକ୍ଷାକୁ ଏଡାଇ ଦେଇ ବିଛିନ୍ନାଞ୍ଚଳକୁ ଯାଇଥିବା ବେଳେ ନକ୍ସଲ ତାଙ୍କୁ ଅପହରଣ କରି ନେଇଥିଲେ। ଯେଉଁଥିପାଇଁ ସରକାରଙ୍କୁ ନାକେଦମ ହେବାକୁ ପଡିଥିଲା। ଏପରିକି ୩୭ ଜଣ ଗ୍ରେହାଉଣ୍ଡ ଯବାନକୁ ମଧ୍ୟ ନକ୍ସଲ ଅତି ନିକଟରୁ ହତ୍ୟା କରିଥିଲେ। ତେଣୁ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ରୂପେ ବିପଦପୂର୍ଣ୍ଣ ରହିଥିଲା। ଚିତ୍ରକୋଣ୍ଡା ସମ୍ପୂର୍ଣ୍ଣ ରୂପେ ନକ୍ସଲଙ୍କର କବଜାକୁ ଚାଲି ଯାଇଥିଲା। ୨୦୧୭ରେ ପଞ୍ଚାୟତ ନିର୍ବାଚନ କରାଇ ଦେଇନଥିଲେ ନକ୍ସଲ। ୨୦୧୮ରେ ଗୁରୁପ୍ରିୟା ହେବା ପରେ ବିଛିନ୍ନାଞ୍ଚଳରୁ ସ୍ବାଭିମାନ ଅଞ୍ଚଳ ହେବା ଏବଂ ସମସ୍ତ ସରକାରୀ ଯୋନଜା ଏହି ଅଞ୍ଚଳକୁ ପହଞ୍ଚାଇବା ପାଇଁ ସରକାର ବିଡା ଉଠାଇଥିଲେ। ଗୁରୁପ୍ରିୟାକୁ ସମ୍ପର୍କର ସେତୁ ବୋଲି କୁହାଗଲା। ସ୍ବାଭିମାନ ଅଞ୍ଚଳକୁ ପ୍ରଥମେ ଶହେ କୋଟି ଟଙ୍କା ଦେଇ ବିକାଶକୁ ତୁରନ୍ତ ତରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଥିଲେ। ଏହାପରେ ପ୍ରଶାସନ ଆଉ ପଛକୁ ଫେରି ନାହିଁ। ନକ୍ସଲଙ୍କର ନାଲି ଆଖିକୁ ନଡରି ପ୍ରଥମେ ରାସ୍ତା କାମକୁ ପକ୍କା କଲା।

publive-image Sambad

ଗ୍ରାମବାସୀଙ୍କ ସହଯୋଗ ଏବଂ ପୁଲିସ ଓ ବିଏସଏଫର କଡା ସୁରକ୍ଷାରେ ସ୍ବାଭିମାନ ଅଞ୍ଚଳକୁ ପ୍ରଥମ କରି ରାସ୍ତା ପହଞ୍ଚିଲା। ରାସ୍ତା ପହଞ୍ଚିବା ପରେ ସମସ୍ତ ମୌଳିକ ସୁବିଧା ଧିରେ ଧିରେ ପହଞ୍ଚିଲା। ୯ଟି ପଞ୍ଚାୟତରେ ୭ଟି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରି ନକ୍ସଲକୁ ସ୍ବାଭିମାନ ଅଞ୍ଚଳରୁ ବିତାଡିତ କରାଗଲା। ବିଏସଏଫ ବିଭିନ୍ନ ଦୁର୍ଗମ ଗ୍ରାମରେ ପହଞ୍ଚି ଲୋକଙ୍କ ପ୍ରିୟଭାଜନ ହେବା ସହ ସେମାନଙ୍କୁ ସହାୟତା ପ୍ରଦାନ କଲେ। ପୁଲିସ ମଧ୍ୟ ଘନ ଘନ ଲୋକଙ୍କ ପାଖେ ପହଞ୍ଚି ଲୋକଙ୍କୁ ବିଶ୍ବାସକୁ ଆଣିଲା। ଯାହାଫଳରେ ନକ୍ସଲଙ୍କ ଦ୍ବାରା ଲୁଚାଇ ରଖାଯାଇଥିବା ବିସ୍ଫୋରକ ଜବତ କରାଯାଇପାରିଲା। ଏଥିସହ ନକ୍ସଲକୁ ଅନ୍ଧ ଭାବେ ବିଶ୍ବାସ କରୁଥିବା ଲୋକେ ପୁଲିସ ନିକଟରେ ଆତ୍ମସମର୍ପଣ କଲେ। ଏବେ ଲୋକେ ସ୍ବଚ୍ଛନ୍ଦରେ ରାତିରେ ମଧ୍ୟ ବୁଲିପାରୁଛନ୍ତି।

ଏବେ ରାତିରେ ଆଉ ସେହି ନକ୍ସଲର ଭୟ ନାହିଁ। ଦିନ ଥିଲା ସଂଧ୍ୟା ହେଲେ ଘରର ତାଟିକବାଟ ପଡିଯାଉଥିଲା। ଲୋକେ ରାତିରେ ଭୟ ଓ ଆତଙ୍କରେ ଶୋଉଥିଲେ। ନକ୍ସଲ କେତେବେଳେ ଆସି କାହାକୁ ଉଠାଇ ନେବେ କେହି ଜାଣି ପାରୁନଥିଲେ। ଏବେ କିନ୍ତୁ ଲୋକେ ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମକୁ ବେଧଟକ ରାତିରେ ମଧ୍ୟ ଯିବା ଆସିବା କରିପାରୁଛନ୍ତି। ନିଜ ନିଜ ମଧ୍ୟରେ ରହିଥିବା କଳି କଜିଆକୁ ଦୁର କରି ଭାଇଚାରା ସୃଷ୍ଟି କରିପାରିଛନ୍ତି। ଏଥିରେ ପୁଲିସ ଏବଂ ପ୍ରଶାସନର ବିଶେଷ ସହଯୋଗ ରହିଛି। ଲୋକେ ରାତିରେ ନାଚଗୀତର ଆସର ଜମାଉଛନ୍ତି। ବିଗତ ଦିନରେ ନିଜର ସଂସ୍କୃତିକୁ ଲୋକେ ଭୁଲି ଯାଇଥିଲେ। ଏବେ କିନ୍ତୁ ସେହି ପୁରୁଣା ସଂସ୍କୃତି ଏବଂ ପରମ୍ପରାକୁ ଲୋକେ ପୁଣି ଆରମ୍ଭ କରିଛନ୍ତି। ଲୋକେ ଏବେ କହୁଛନ୍ତି ‘ଆମକେ ନାଇଁ ନକ୍ସଲ ଭୟ’।