ଜୟପୁର: ଓଡିଶା ଓ ତେଲେଙ୍ଗାନା ମଧ୍ୟରେ ଅନ୍ଥରାଜ୍ୟ ବସ ଚଳାଚଳ ପାଇଁ ଏମଓୟୁ (ଚୁକ୍ତିନାମା ସ୍ବାକ୍ଷର) ଗତ ବର୍ଷକ ତଳେ ହୋଇଥିଲା। ତେଲେଙ୍ଗାନାର ହାଇଦ୍ରାବାଦରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହା ଅନୁଷ୍ଠିତ ହୋଇଥିଲା। ଚୁକ୍ତିନାମା ଅନୁଯାୟୀ, ଉଭୟ ରାଜ୍ୟର ବିଭିନ୍ନ ରୁଟରେ ଟିସଆରଟିସିର ୧୦ଟି ଓ ଓଏସଆରଟିସିର ୧୩ଟି ଏଭଳି ୨୩ଟି ବସ ଚଳାଚଳ କରିବ ବୋଲି ଚୁକ୍ତି ହୋଇଥିଲା। ତେବେ ଏହାରି ମଧ୍ୟରେ ଚୁକ୍ତିନାମାକୁ ବର୍ଷକ ବିତିଯାଇଛି। ତେବେ ଚୁକ୍ତିନାମା ଅନୁଯାୟୀ ଗୋଟିଏ ବି ବସ ଏ ଯାଏଁ ଗଡିନି । ତେଲେଙ୍ଗାନାର ଟିଆରଏସ୍ ସରକାର ରହିଥିବା ବେଳେ ଏହି ଚୁକ୍ତିନାମା ହୋଇଥିଲା। ଏବେ ଏଠାରେ କଂଗ୍ରେସ ନେତୃତ୍ବାଧୀନ ସରକାର ରହିଛି । ସେତେବେଳେ ଜୟପୁର – ହାଇଦ୍ରାବାଦ, ନବରଙ୍ଗପୁର – ହାଇଦ୍ରାବାଦ, ରାୟଗଡ଼ା -ଖମାମ୍, ଜୟପୁର –ଭଦ୍ରାଚଳମ, ଭଦ୍ରାଚଳମ୍ –ଜୟପୁର, ଖମାମ୍ –ରାୟଗଡ଼ା , ରାୟଗଡ଼ା- କରିମନଗର, ଭବାନୀପାଟଣା –ବିଜୟୱାଡା ଆଦି ରୁଟରେ ବସ ଚାଲିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପୁରୁଣା ଏମଓୟୁ (ଚୁ୍କ୍ତିନାମା)କୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ମାନି କାର୍ଯ୍ୟକାରୀ କରିବେ ନା ନାହିଁ ତାହାକୁ ନେଇ ବିରାଟ ବଡ ପ୍ରଶ୍ନ ସୃଷ୍ଟି କରିଛି। ଅପରପକ୍ଷରେ ଏହି ସୁଯୋଗରେ ଗୋଟିଏ ଘରୋଇ ବସ କଂପାନୀ ୧୨ଟି ବସ ଚଳାଇଥିବା ବେଳେ ଆଉ କିଛି ଘରୋଇ ଦ୍ରୁତଗାମୀ ବସ ଏସବୁ ରୁଟଗୁଡିକରେ ଚାଲିବା ଆରମ୍ଭ କରି ଦେଇଛନ୍ତି।

Advertisment

publive-image

ସେଭଳି ଏହାରି ମଧ୍ୟରେ ଓଡିଶାରେ ବି ସାଧାରଣ ନିର୍ବାଚନ ମୁଣ୍ଡ ଉପରେ ରହିଛି। ଏହି ସମୟରେ ପୁଣି ଦୁଇରାଜ୍ୟ ମଧ୍ୟରେ ବସ ଚଳାଚଳକୁ ନେଇ କିଛି ପଦକ୍ଷେପ ଗ୍ରହଣ କରାଯିବ କି ନାହିଁ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅପରପକ୍ଷରେ ଯାତ୍ରୀଙ୍କୁ ଅତ୍ୟାଧୁନିକ ଓ ସୁରକ୍ଷିତ ବସ ସେବା ଯୋଗାଇବା ପାଇଁ ଓଡିଶା ସଡକ ପରିବହନ ନିଗମ ପକ୍ଷରୁ ଗତ ୩ବର୍ଷ ତଳେ ୨ଟି ଭଲବୋ ବସ ଜୟପୁର ୟୁନିଟକୁ ଦେଇଥିଲେ। ତେବେ ଗତ ତିନି ବର୍ଷ ହେବ ଏହି ଦୁଇଟି ଯାକ ବସ ଚଳାଇବା ପାଇଁ ନିଗମ କିମ୍ବା ରାଜ୍ୟ ସରକାର ୨ଟି ପରମିଟ ଯୋଗାଡ଼ କରିପାରି ନଥିଲେ। ଏଭଳିକି ଏହି ଦୁଇଟି ବସ ହାଇଦ୍ରାବାଦ ଚାଲିବ ବୋଲି ବି ଚର୍ଚ୍ଚା ଜୋର ଧରିଥିଲା। ୨ଟି ଭଲବୋ ବସକୁ ହାଇଦ୍ରାବାଦ ଚଳାଇବା ଯୋଜନା ରହିଥିଲା, ତେବେ ପରମିଟ୍ ବି ଆବେଦନ ହୋଇଥିଲା ତେବେ ତେଲେଙ୍ଗାନା ନିର୍ବାଚନ ପାଇଁ ପରମିଟ୍ ମିଳିପାରିନଥିଲା ବୋଲି କହିଛନ୍ତି ଜୟପୁର ୟୁନିଟ୍ ଡିଟିଏମ୍ ଶ୍ରୀନିବାସ ପାଣିଗ୍ରାହୀ। ଏହି ଦୁଇଟି ବସ କୋରାପୁଟରୁ ଭୁବନେଶ୍ବର ଚାଲୁଛି। ରାଜ୍ୟସରକାର ହାଇଦ୍ରାବାଦ ପରମିଟ୍ ଆଣିଲେ ଏହି ଦୁଇଟି ବସ ହାଇଦ୍ରାବାଦ ଚାଲିବ ବୋଲି କହିଛନ୍ତି ଡିଟିଏମ।